ବିଗିଡ଼ିଲା ଏମ୍ପିଙ୍କ ସ୍ବାସ୍ଥ୍ୟାବସ୍ଥା : ସମ୍ଭାଳିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଇଣ୍ଡିଆ ଆଲାଏନ୍ସ ନିର୍ବାଚନ କମିଶନଙ୍କ ଉପରେ ଭୋଟ ତାଲିକାରେ ହେରଫେର ଅଭିଯୋଗ କରୁଛି। ଏହି ସମୟରେ ସଂସଦର ମକର ଦ୍ୱାରରୁ ନିର୍ବାଚନ କମିଶନ ଭବନ ପର୍ଯ୍ୟନ୍ତ ଇଣ୍ଡିଆ ବ୍ଲକ ପ୍ରତିବାଦରେ ନାଟକୀୟ ଦୃଶ୍ୟ ଦେଖାଦେଇଛି। ଏଥିରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ପୋଲିସ ବ୍ୟାରିକେଡ ଡେଉଁଥିବାର ଦେଖାଯାଇଛି। ଦିଲ୍ଲୀ ପୋଲିସ ସଂସଦରୁ ପଦଯାତ୍ରା କରୁଥିବା ନେତାମାନଙ୍କୁ ଅଟକାଇବାରୁ କଂଗ୍ରେସ ଏମ୍ପି ରାହୁଲ ଗାନ୍ଧୀ ଏବଂ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଅନେକ ନେତାଙ୍କୁ ହେପାଜତକୁ ନିଆଯାଇଥିଲା। ହେପାଜତ ସମୟରେ ଜଣେ ଏମ୍ପିଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା।
ଟିଏମସି ନେତା ମିତାଲି ବାଗ ପଦଯାତ୍ରା ସମୟରେ ବେହୋସ ହୋଇଯାଇଥିଲେ। ରାହୁଲ ଗାନ୍ଧୀ ଏବଂ ଅନ୍ୟମାନେ ଟିଏମସି ଏମ୍ପି ମିତାଲି ବାଗଙ୍କୁ ସାହାଯ୍ୟ କରୁଥିବାର ଦେଖାଯାଇଥିଲା। ରାହୁଲ ଗାନ୍ଧୀ ବସରୁ ଓହ୍ଲାଇ ତାଙ୍କୁ ଏକ କାରରେ ଚିକିତ୍ସା ପାଇଁ ପଠାଇ ବସ କୁ ଫେରି ଯାଇଥିଲେ। ନିର୍ବାଚନ ହେବାକୁ ଥିବା ବିହାର ରାଜ୍ୟରେ ଭୋଟର ତାଲିକାର ସ୍ପେଶାଲ ଇଣ୍ଟେନ୍ସଭ ରିଭିଜନ ଏବଂ ୨୦୨୪ ଲୋକସଭା ନିର୍ବାଚନ ସମୟରେ ‘ଭୋଟର ଜାଲିଆତି’ ଅଭିଯୋଗ ବିରୋଧରେ ବିରୋଧୀ ଇଣ୍ଡିଆ ଆଲାଏନ୍ସ ଦ୍ୱାରା ଏହି ପ୍ରତିବାଦ ଶୋଭାଯାତ୍ରା ବାହାର କରାଯାଉଥିଲା। ରାହୁଲ ଗାନ୍ଧୀ କହିଛନ୍ତି, ଭୋଟ ଚୋରିର ସତ୍ୟ ଏବେ ସମସ୍ତଙ୍କ ସାମ୍ନାରେ ଆସିଛି। ଏହି ଲଢ଼େଇ ରାଜନୈତିକ ନୁହେଁ; ଏହା ସମ୍ବିଧାନର ସୁରକ୍ଷା ପାଇଁ ଏକ ଲଢ଼େଇ। ଏହା ଗୋଟିଏ ବ୍ୟକ୍ତି ଗୋଟିଏ ଭୋଟର ମୌଳିକ ନୀତି ପାଇଁ ଏକ ଲଢ଼େଇ ଏବଂ ଏହାର ଅଖଣ୍ଡତା ସୁନିଶ୍ଚିତ କରିବା ପାଇଁ ଆମକୁ ଏକ ସ୍ବଚ୍ଛ ଭୋଟର ତାଲିକା ଆବଶ୍ୟକ।