ସମସ୍ୟା ଘେରରେ ଗୋଲାମୁଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ର
ଗୋଲାମୁଣ୍ଡା : କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକର ସଦର ମହକୁମା ଠାରେ ରହିଛି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର । ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ବ୍ଲକର ୩୦ହଜାରରୁ ଊଦ୍ଧ୍ୱର୍ ଲୋକ ନିର୍ଭର କରିଥାନ୍ତି । ବିଗତ ଦିନରେ ଏହା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଥିଲା । ତେବେ ରୋଗୀମାନଙ୍କ ଆବଶ୍ୟକତା ଦୃଷ୍ଟିରେ ରଖି ତାକୁ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ କରାଗଲା । ଆଉ ଏହି ମେଡିକାଲ ଅପଗ୍ରେଡେସନ୍ ହେବା ପରେ ସ୍ଥାନୀୟ ଲୋକ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ବେଶ ଆଶାବାଦୀ ଥିବାବେଳେ ବର୍ତ୍ତମାନ କିନ୍ତୁ ତାହାର ଓଲଟା ଚିତ୍ର ସାମ୍ନାକୁ ଆସିଛି । ଚିକିତ୍ସାଳୟ ପରିସରରେ ଜରୁରୀକାଳୀନ ବିଦୁ୍ୟତ୍ ସେବା ପାଇଁ କୌଣସି ଇନ୍ଭେଟର କିମ୍ବା ଜେନେରେଟରର ବ୍ୟବସ୍ଥା ନାହିଁ । ଫଳରେ ବିଦୁ୍ୟତ୍ ସେବା ବନ୍ଦ ହେଲେ ଡାକ୍ତରମାନଙ୍କୁ ଅନ୍ଧାରରେ ମୋବାଇଲ ଲାଇଟ କିମ୍ବା ଟର୍ଚ୍ଚ ଲାଇଟର ସାହାରା ନେଇ ରୋଗୀ ଚିକିତ୍ସା କରିବାକୁ ପଡିଥାଏ । ଏହା ସହ ବିଭିନ୍ନ ସମସ୍ୟା ଉପରେ ଗତି କରୁଛି ଅଞ୍ଚଳର ଏହି ଏକମାତ୍ର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର । ଏଠାରେ ୧୨ଜଣ ଡାକ୍ତର ପଦବୀ ଥିବା ବେଳେ ଅଛନ୍ତି ମାତ୍ର ୪ଜଣ । ସେହିପରି ମେଡ଼ିସିନ, ସ୍ତ୍ରୀ ଓ ପ୍ରସୂତି, ଶିଶୁ ରୋଗ, ସର୍ଜରୀ ଭଳି ୪ଗୋଟି ବିଶେଷଜ୍ଞ ଡାକ୍ତର ପଦବୀ ରହିଛି, ତେବେ କୌଣସି ବିଭାଗରେ ମଧ୍ୟ ବିଶେଷଜ୍ଞ ଡାକ୍ତର ନାହାନ୍ତି । ଫଳରେ ଏଠାକାର ରୋଗୀମାନଙ୍କୁ ଧର୍ମଗଡ କିମ୍ବା ଭବାନୀପାଟଣା ଚିକିତ୍ସାଳୟ ଉପରେ ନିର୍ଭର କରିବାକୁ ପଡ଼େ । ନର୍ସ ପଦବୀ ମଧ୍ୟ ଖାଲି କେବଳ ଜଣେ ମାତ୍ର ନର୍ସରେ ଚାଲିଛି ଏହି ଚିକିସôାଳୟ । ଏହା ସହ ଡାକ୍ତରମାନଙ୍କ ପାଇଁ କୌଣସି ଷ୍ଟାଫ କ୍ୱାଟର ମଧ୍ୟ ନାହିଁ । ଯାହାଫଳରେ କି ଚିକିତ୍ସାଳୟ ମଧ୍ୟରେ ଥିବା ଡାକ୍ତର ଡୁ୍ୟଟି ରୁମରେ ଶୋଇଥାନ୍ତି । ଯାହାକୁ ନେଇ ଡାକ୍ତରମାନେ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ସେହିପରି ଏହି ବିଲ୍ଡିଂ କିଛି ବର୍ଷ ତଳେ ନିର୍ମାଣ ହେଇ ଥିବାବେଳେ ନିମ୍ନମାନର କାମ ଯୋଗୁଁ କୋଠରୀ ସବୁ ଫାଟ ଦେବାକୁ ବସିଲାଣି । ଆଉ ବର୍ଷା ହେଲେ ଡାକ୍ତରଖାନା ମଧ୍ୟକୁ ପାଣି ପ୍ରବେଶ କରୁଥିବା ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି । ଗୋଲାମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହିସବୁ ଅବ୍ୟବସ୍ଥାକୁ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ବାରମ୍ବାର ପ୍ରଶାସନ ଏବଂ ସରକାରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ହେଲେ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳି ପାରିନାହିଁ । ଏଣୁ ଏହିସବୁ ସମସ୍ୟା ପ୍ରତି ତୁରନ୍ତ ସରକାର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।