ହାତୀ ଉପଦ୍ରବକୁ ନେଇ ସଂସଦରେ ଉଦ୍ବେଗ ପ୍ରକାଶ କଲେ ରୁଦ୍ର


ଢେଙ୍କାନାଳ : ଢେଙ୍କାନାଳ ସଂସଦୀୟ କ୍ଷେତ୍ର ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାକୁ ନେଇ ଗଠିତ  । ଏହି ଦୁଇ ଜିଲ୍ଲା ହାତୀ ପ୍ରବଣ ଅଂଚଳ ହୋଇଥିବା ବେଳେ, ବାରମ୍ବାର ହାତୀ ଆକ୍ରମଣରେ ଜନସାଧାରଣଙ୍କ ମୃତୁ୍ୟକୁ ନେଇ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି ସଂସଦରେ ଉଦ୍ବେଗ ପ୍ରକାଶ କରିବା ସହ ଏନେଇ ତୁରନ୍ତ ବିଭାଗୀୟ ମନ୍ତ୍ରୀ ଏଥିପ୍ରତି ଯତ୍ନବାନ ହେବାକୁ ପ୍ରକାଶ କରିଛନ୍ତି । 
ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ହାତୀ ମଣିଷ ଲଢେଇରେ ବହୁ ଧନଜୀବନ ନଷ୍ଟ ହେଉଛି । ଏଥିପାଇଁ କାହାର ନଜର ନଥିବା କଥା ସାଂସଦ ଶ୍ରୀ ପାଣି ପ୍ରକାଶ କରିଥିଲେ । ହିନେ୍ଦାଳ ଅଂଚଳରେ ବାରମ୍ବାର ହାତୀ ଆକ୍ରମଣରେ ଧନଜୀବନ ନଷ୍ଟ ହୋଇ ଆସୁଥିବା ବେଳେ, ଗତ ମାସରେ ହିନେ୍ଦାଳ ବିଧାନସଭା ନିର୍ବାଚନ ମଣ୍ଡିଳିରେ ଗୋଟିଏ ଦିନରେ ବାଘଧରିଆ ଗ୍ରାମରେ ଗୋଟିଏ ଦିନରେ ତିନି ଜଣଙ୍କର ହାତୀ ଆକ୍ରମଣରେ ମୃତୁ୍ୟ ଘଟଣାକୁ ନେଇ ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ଶୋକାକୁଳ ପରିବେଶ ଦେଖାଦେଇଥିଲା ବୋଲି ସାଂସଦ ଶ୍ରୀ ପାଣି ଗୃହରେ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ବନ୍ୟଯନ୍ତୁ ଆକ୍ରମଣରେ ଶିକାର ହେଉଥିବା ଧନଜୀବନ ପାଇଁ ଥିବା ଯୋଜନା କରାଯାଇଛି । ସେହି ଯୋଜନା ଗୁଡିକ ରାଜ୍ୟ ସରକାରଙ୍କ ସହିତ କଥାବାର୍ତ୍ତା କରି ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ଲାଗୁ କରିବା ପାଇଁ ଶ୍ରୀ ପାଣି ସଂସଦରେ ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନକାଳରେ  ଅନୁରୋଧ କରିଥିଲେ  । ବିଭାଗୀୟ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ସାଂସଦ ଶ୍ରୀ ପାଣିଙ୍କ ପ୍ରଶ୍ନର ଉତ୍ତର ଦେଇ ବନବିଭାଗ ପକ୍ଷରୁ ପ୍ରୋଜେକ୍ଟ ଏଲିଫ୍ୟାଣ୍ଟ କାର୍ଯ୍ୟକାରୀ କରାଯାଉଛି । ଏହି ପ୍ରୋଜେକ୍ଟରେ ସାରା ଦେଶରେ ହାତୀ ସଂରକ୍ଷିତ ଅଂଚଳ ଘୋଷଣା କରାଯିବାକୁ କାର୍ଯ୍ୟ ଚାଲୁରହିଛି । ହାତୀ କରିଡର ପାଇଁ ମଧ୍ୟ ସରକାରଙ୍କ ତରଫରୁ କାର୍ଯ୍ୟ କରାଯାଉଛି ।  ଏଥିସହିତ ହାତୀ ପ୍ରବଣ ଅଂଚଳରେ ହାତୀ ଗଣନା କାର୍ଯ୍ୟ ଚାଲୁ ରହିଛି ବୋଲି ପ୍ରକାଶ କରିଥିଲେ । ଆଗକୁ ଯେଭଳି ବନ୍ୟଯନ୍ତୁଙ୍କ ଦ୍ୱାରା କେହି ଶିକାର ନ ହୁଅନ୍ତୁ ସେଥିପାଇଁ ଏକ ବିସ୍ତୃତ ଗାଇଡଲାଇନ ପ୍ରସ୍ତୁତ କରାଯାଇଛି । ଏହା ବ୍ୟତୀତ ହାତୀଙ୍କ ରେଳ ଦୁର୍ଘଟଣା ଯେପରି ନହୁଏ ତା’ର ପ୍ରତିକାର ପାଇଁ ରେଳବିଭାଗ ସହ ମିଶି ବିଭିନ୍ନ ଯୋଜନା କାର୍ଯ୍ୟ କରାଯିବା ପାଇଁ ସ୍ଥିର କରାଯାଇଛି । ଏସବୁ ପାଇଁ ଯେଉଁ ଏସ୍ଓପି ତିଆରି କରାଯାଇଛି ତାହାକୁ ରାଜ୍ୟ ମାନେ ଗଂଭିରତାର ସହ ନେଇ କାର୍ଯ୍ୟକରିବା ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀ ଯାଦବ କହିଥିଲେ ।  ତେବେ ରାଜ୍ୟ ସରକାର ସହ ମିଶି କେନ୍ଦ୍ର ସରକାରଙ୍କ ତରଫରୁ ପ୍ରେଜେକ୍ଟ ଏଲିଫ୍ୟାଂଟ ପାଇଁ କାର୍ଯ୍ୟ କରୁଛୁ ବୋଲି ମନ୍ତ୍ରୀ ଶ୍ରୀ ଯାଦବ ଲୋକସଭାରେ ସ୍ପଷ୍ଟିକରଣ ରଖିଥିଲେ  ।