ପ୍ରଦୂଷିତ ପରିବେଶରେ ବିକ୍ରି ହେଉଛି ଖାଦ୍ୟ

ଖଣ୍ଡପଡ଼ା : ଖଣ୍ଡପଡା ସହର ସମେତ ଆଖପାଖ ଅଞ୍ଚଳର ବିଭିନ୍ନ ସ୍ଥାନରେ ଅସ୍ୱାସ୍ଥ୍ୟକର ପରିବେଶରେ ଜଳଖିଆ ଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ଗୁଡ଼ିକ ବିକ୍ରି ହେଉଥିବାରୁ ଏ ଅଞ୍ଚଳରେ ଡାଇରିଆ ବ୍ୟାପିବାର ଆଶଙ୍କା ପ୍ରକାଶ ପାଇଛି । ଏବେ ବର୍ଷା ଦିନ ଯୋଗୁଁ ସବୁଠି ସନ୍ତସନ୍ତିଆ ପରିବେଶ ସୃଷ୍ଟି ହୋଇଛି । ଏଭଳି ସ୍ଥିତିରେ ରାସ୍ତା ପାର୍ଶ୍ୱରେ ମାଳମାଳ ଉଠା ଦୋକାନୀ, ଫାଷ୍ଟଫୁଡ ଓ ହୋଟେଲ ଗୁଡ଼ିକ ବେଫିକର ଭାବେ ଗ୍ରାହକଙ୍କୁ ଖାଦ୍ୟ ପରଷୁ ଥିବା ବେଳେ ଖାଦ୍ୟର ମାନ କେବେବି ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ମାନଙ୍କ ଦ୍ୱାରା ଯାଞ୍ଚ ହେଉନଥିବା ଜଣାପଡିଛି । ଏହାର ସୁଯୋଗ ନେଇ ଅସାଧୁ ବ୍ୟବସାୟୀମାନେ ମନଇଚ୍ଛା ନିମ୍ନମାନର ଖାଦ୍ୟ ପ୍ରସ୍ତୁତ କରି ଚଢାଦରରେ ଜନସାଧାରଣଙ୍କୁ ବିକ୍ରି କରୁଥିବା ଅଭିଯୋଗ ହେଉଛି  । ସେହିପରି ହୋଟେଲ ଓ ଉଠା ଦୋକାନ ଗୁଡିକରେ ବ୍ୟବହୃତ ହେଉଥିବା ପାଣିର ଗୁଣବତ୍ତା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏବେ ଡାଇରିଆ ରୋଗ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତି ଓ ବିକ୍ରି ଯୋଗୁଁ ଖଣ୍ଡପଡ଼ା ଅଞ୍ଚଳରେ ନିକଟ ଭବିଷ୍ୟତରେ ଏଭଳି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି । ଖଣ୍ଡପଡ଼ା ଅଞ୍ଚଳରେ ଅବସ୍ଥିତ ଅନେକ  ହୋଟେଲ ଓ ଉଠା ଦୋକାନୀ ଗୁଡ଼ିକ ଜନସାଧାରଣଙ୍କୁ ବିଭିନ୍ନ ସମୟରେ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ଅଭିଯୋଗ ହେଉଛି । ଫଳରେ ପେଟ ରୋଗ ଠାରୁ ଆରମ୍ଭ କରି ବିଭିନ୍ନ ଜଳବାହିତ ମାରାତ୍ମକ ରୋଗରେ ଜନସାଧାରଣ ଆକ୍ରାନ୍ତ ହେଉଥିବା ଜଣାପଡିଛି । ହାତ ଗଣତି କେତେକ ହୋଟେଲ ଓ ରେଷ୍ଟୁରାଣ୍ଟକୁ ବାଦ ଦେଲେ ଖାଦ୍ୟ ବିକ୍ରି ନିମନ୍ତେ ଅଧିକାଂଶ ଦୋକାନୀଙ୍କ ନିକଟରେ ଫୁଡ ଲାଇସେନ୍ସ ନଥିବା ଜଣାପଡିଛି । ଏ ଦିଗରେ ସ୍ୱାସ୍ଥ୍ୟ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି । ନଚେତ ଆଗାମୀ ଦିନରେ ଖଣ୍ଡପଡ଼ା ଓ ଏହାର ଆଖପାଖ ଅଞ୍ଚଳରେ ଡାଇରିଆ ପରି ମହାମାରୀ ବ୍ୟାପିବାର ଆଶଙ୍କା ପ୍ରକାଶ ପାଇଛି । ନୟାଗଡ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି ।