ମହିଳାଙ୍କ ସୁରକ୍ଷା ପ୍ରଶ୍ନ
ଅଧ୍ୟାପକଙ୍କ ଦ୍ୱାରା ଯୌନ ନିର୍ଯାତନା, କଲେଜ ପ୍ରଶାସନର ଅବହେଳା ଏବଂ ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁଁ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଦେଇଥିବା ବାଲେଶ୍ୱରର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କୁ ନ୍ୟାୟ ଏବଂ ରାଜ୍ୟରେ ମହିଳାଙ୍କ ଉପରେ ହେଉଥିବା ନିର୍ଯାତନା ପ୍ରସଙ୍ଗକୁ ରାଜ୍ୟରେ ୮ଟି ବିରୋଧୀ ଦଳର ୧୨ଘଂଟିଆ ଓଡିଶା ବନ୍ଦ ଯୋଗୁଁ ରାଜ୍ୟ ସାରା ଜୀବନଯାତ୍ରା ପ୍ରଭାବିତ ହେବା କେବଳ ଜନସାଧାରଣଙ୍କ ଅସନ୍ତୋଷକୁ ପ୍ରମାଣିତ କରିନାହିଁ, ମହିଳା ସୁରକ୍ଷା ସର୍ବାଗ୍ରେ ବୋଲି ସନେ୍ଦଶ ଦେଇଛି । କହିବା ବାହୁଲ୍ୟ ଯେ, ଦେଶରେ ଗଲା କିଛି ମାସ ଧରି କାର୍ଯ୍ୟକ୍ଷେତ୍ର ଠାରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ ଏବଂ ଘରେ ବାହାରେ ମହିଳା ବିରୋଧୀ ଯୌନ ନିର୍ଯାତନା ଘଟଣା ଭୟଙ୍କର ଭାବେ ବୃଦ୍ଧି ପାଇଛି । ଦେଶରେ ଏଭଳି ମହିଳା ବିରୋଧୀ ନିର୍ଯାତନା ଓ ହିଂସା ବିରୁଦ୍ଧରେ ବହୁ କଠୋର ଆଇନ ଏବଂ ଦଣ୍ଡବିଧାନ ଥିବା ସତ୍ତ୍ୱେ ଅପରାଧ ବଢିଚାଲିଛି । ଓଡିଶା, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ଦିଲ୍ଲୀରେ ଗତ କିଛି ମାସ ମଧ୍ୟରେ ସଂଘଟିତ ମହିଳା ବିରୋଧୀ ଯୌନ ନିର୍ଯାତନା ଘଟଣା ଏହାର ଜ୍ୱଳନ୍ତ ଉଦାହରଣ । ଆଇନ ଓ ଦଣ୍ଡବିଧାନ ପ୍ରତି ଅପରାଧିଙ୍କର ଆଦୌ ଖାତିର ନଥିବା ମନେହୁଏ । କିନ୍ତୁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ବିନା ବହୁ କ୍ଷେତ୍ରରେ ନିର୍ଯାତିତା ମହିଳାଙ୍କର ଜୀବନ ଯାଇଛି । ନିକଟରେ ବାଲେଶ୍ୱରର ଝିଅ କଲେଜ ପରିସରରେ ନିଜକୁ ଜାଳି ଦେଇଥିବାବେଳେ ପଶ୍ଚିମବଙ୍ଗରେ ଆର.ଜି.କର ମେଡିକାଲ କଲେଜର ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା, ଗତ ଜୁନ ମାସରେ କଲେଜ ପରିସରରେ ଜଣେ ଆଇନ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, କର୍ଣ୍ଣାଟକର ବେଙ୍ଗାଲୁରରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ୨ଜଣ ଅଧ୍ୟାପକଙ୍କ ଗିରଫ, ଦିଲ୍ଲୀରେ ଜଣେ ୯ବର୍ଷର ବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା, ଓଡିଶାରେ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣା ନେଇ ରାଜ୍ୟରେ ରାଜନୈତିକ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାବେଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ଜଣେ ଅଧ୍ୟାପକ ଗିରଫ ହେବା ଦେଶରେ ଚର୍ଚ୍ଚିତ ଯୌନ ନିର୍ଯାତନା ଘଟଣା ମଧ୍ୟରୁ ଅନ୍ୟତମ । ଆହୁରି ମଧ୍ୟ ଗୋପାଳପୁର ବେଳାଭୂମିରେ ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ମଧ୍ୟ ଲୋକଙ୍କ ମନରୁ ଲିଭିନାହିଁ । ଉଲ୍ଳେଖ କରାଯାଇପାରେ ଯେ ଦେଶରେ ପ୍ରତି ମିନିଟରେ ୫ଜଣ ମହିଳା ଯୌନ ନିର୍ଯାତନାର ଶିକାର ହେଉଥିବା ଜାତୀୟ ଅପରାଧ ରେକର୍ଡ ବୁ୍ୟରୋ(ଏନସିଆରବି)ର ରିପୋର୍ଟରେ କୁହାଯାଇଛି । ୨୦୨୩ର ଏନସିଆରବି ରିପୋର୍ଟ ପ୍ରକାଶ ପାଇନଥିବା ବେଳେ ୨୦୨୨ ବାର୍ଷିକ ରିପୋର୍ଟରେ ଦେଶରେ ମୋଟ ୪,୪୫,୨୫୬ ମହିଳା ବିରୋଧୀ ଅପରାଧ ପଂଜୀକୃତ ହୋଇଛି । ଯାହାକି ୨୦୨୧ ତୁଳନାରେ ୪ପ୍ରତିଶତ ଅଧିକ । ତେବେ ଲୋକଲଜ୍ୟା, ସାମାଜିକ ଅପବାଦ ଭୟରେ ବହୁ ଘଟଣା ମଧ୍ୟ ଲୋକଲୋଚନକୁ ଆସିପାରୁନାହିଁ । ତେବେ ସ୍ୱାମୀ କିମ୍ବା ସମ୍ପର୍କୀୟଙ୍କ ଦ୍ୱାରା ନିର୍ଯାତିତା ମହିଳା ବିରୋଧୀ ହିଂସା ୩୧.୪ ପ୍ରତିଶତ ଥିବାବେଳେ ମହିଳାଙ୍କ ପ୍ରତି ଅଭଦ୍ରୋଚିତ ବ୍ୟବହାର ଅପରାଧ ହାର ୧୮.୭ ରହିଥିଲା । ସେହିପରି ଦୁଷ୍କର୍ମ ଘଟଣା ୭.୧ ପ୍ରତିଶତ ଥିବା ରେକର୍ଡ କରାଯାଇଛି । ସ୍ମରଣଯୋଗ୍ୟ ଯେ, ୨୦୧୨ରେ ଦିଲ୍ଲୀରେ ବହୁ ଚର୍ଚ୍ଚିତା ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣା, ପରେ ୨୦୧୩ରେ ମହିଳା ବିରୋଧୀ ହିଂସା ବିରୁଦ୍ଧରେ ୨୦୧୩ରେ କଠୋର ଆଇନ ପ୍ରଣୟନ ହୋଇଥିଲା । ସେହିପରି ଯୌନ ନିର୍ଯାତନା ନିବାରଣ ଆଇନ(ପୋଶ୍) ପ୍ରଣୟନ କରାଯାଇଥବାବେଳେ କର୍ମସ୍ଥଳରେ ମହିଳା ଯୌନ ନିର୍ଯାତନା ଆଇନ ପ୍ରଣୟନ ହୋଇଥିଲା ଯେଉଁଥିରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି) ଗଠନ ବାଧ୍ୟତାମୂଳନ ଥିଲା । ସୁପ୍ରିମକୋର୍ଟ ଏବଂ ବିଶ୍ୱ ବିଦ୍ୟାଳୟ ଅନୁଦାନ ଆୟୋଗ ମଧ୍ୟ ଅନୁରୂପ ନିଦେ୍ର୍ଦଶାନାମା ଜାରି କରିଥିବା ସତ୍ତ୍ୱେ ଅଭିଯୋଗ ପ୍ରତି କେହି କର୍ଣ୍ଣପାତ ନକରିବା ବା ଉତ୍ତରଦାୟିତ୍ୱ ଅଭାବରୁ ଅପରାଧ ସଂଖ୍ୟା ବଢିଚାଲିଛି । ୨୦୧୮ ମିଠୁ ଏବଂ ୨୦୨୩ରେ ପ୍ରଭାବଶାଳୀ ରାଜନୀତିଜ୍ଞ ବିରୁଦ୍ଧରେ କୁସ୍ତିଯୋଦ୍ଧ ମହିଳାଙ୍କ ଆନେ୍ଦାଳନ ଦେଶରେ ଚାଂଚଲ୍ୟ ଖେଳାଇ ଦେଇଥିଲା । ଓଡିଶାରେ ଜଣେ ଛାତ୍ରୀ ନ୍ୟାୟ ନପାଇ ଜୀବନ ହାରଥିବାବେଳେ ଅନ୍ୟ ଜଣେ ଛାତ୍ରୀଙ୍କ ଅଭିଯୋଗ ଉପରେ ବ୍ୟବସ୍ଥା ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସୌମ୍ୟାଶ୍ରୀ ଆତ୍ମାହୁତି ପରେ ଅଭିଯୋଗ ଶୁଣିବା ଏବଂ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବ୍ୟବସ୍ଥା ପାଇଁ ଉପଯୁକ୍ତ ସମୟ ଉପନୀତ ହୋଇଛି, ଏଥିରେ ସନେ୍ଦହ ନାହିଁ ।
ସୌଭାଗ୍ୟ ରଂଜନ ମହାନ୍ତି,ମୋ:୭୯୭୮୬୬୬୪୦୩