ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକଙ୍କ ବିରୋଧରେ ଅଭିଯୋଗ ଘଟଣା : ତଦନ୍ତ ଶେଷ, ଗଣମାଧ୍ୟମକୁ ଏଡ଼ାଇବା ପାଇଁ ତାଗିଦ୍ 

 ଭଣ୍ଡାରିପୋଖରୀ:  ଭଣ୍ଡାରିପୋଖରୀ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ କମଳାକାନ୍ତ ସ୍ୱାଇଁଙ୍କ ବିରୋଧରେ ମହିଳା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରିଣୀଙ୍କ ମିଳିତ ଅଭିଯୋଗର ତଦନ୍ତ ଶେଷ ହୋଇଛି । ମଙ୍ଗଳବାର ଅପରାହ୍ନ ୩ଟା ରେ ମେଡିକାଲର ସ୍ୱତନ୍ତ ଗଠିତ ତଦନ୍ତ କମିଟି ଅଧ୍ୟକ୍ଷା ତଥା ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ ଡା. କନକଲତା ସାହୁ, ସଦସ୍ୟ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ବନହରି ମିଶ୍ର ଓ ଜିଲ୍ଲା ଯକ୍ଷ୍ମାରୋଗ ନିୟନ୍ତ୍ରଣ ଅଧିକାରୀ ଡା. ସନ୍ତୋଷ କୁମାର ପୃଷ୍ଟି ଜିଲ୍ଲା ମେଡିକାଲ ସମ୍ମିଳନୀ କକ୍ଷରେ ମିଳିତ ଭାବେ ତଦନ୍ତ କରିଥିଲେ । ଆଜି ଅଧିକ୍ଷକ ଡା. ସ୍ୱାଇଁ ଓ ଅବଶିଷ୍ଟ ୧୩ ଜଣ ଅଭିଯୋଗକାରୀ ସିଏଚଓଙ୍କୁ ତଦନ୍ତ ପାଇଁ ଡକାଯାଇଥିଲା । ୨ ଘଣ୍ଟା କାଳ ତଦନ୍ତ ଶେଷରେ ଅଭିଯୋଗକାରୀଙ୍କୁ ଲିଖିତ ବୟାନ ଦେବା ପାଇଁ କମିଟି ପକ୍ଷରୁ କୁହାଯାଇଥିଲା । ଏହି ସମୟରେ ତଦନ୍ତ କମିଟିର ଜନୈକ ସଦସ୍ୟ ବାହାରକୁ ଆସି ଲିଖିତ ବୟାନ ପ୍ରସ୍ତୁତ କରୁଥିବା ଅଭିଯୋଗକାରୀଙ୍କୁ ତାଗିଦ କରି ଘରକଥା ଘରେ ରଖିବା ସହ ଗଣମାଧ୍ୟମକୁ ଏଡାଇବାକୁ ଧମକ ଦେଇଥିଲେ ବୋଲି ଅଭିଯୋଗକାରୀ ମାନେ ପ୍ରକାଶ କରିଛନ୍ତି । ଅନ୍ୟଥା ଚାନ୍ଦବାଲି ନହେଲେ ବାସୁଦେବପୁର ବଦଳିର ରାସ୍ତା ଦେଖାଇ ଦିଆଯିବ ବୋଲି ସଂପୃକ୍ତ ତଦନ୍ତ ସଦସ୍ୟ କହିଥିଲେ । ତଦନ୍ତ କମିଟିର ସଦସ୍ୟଙ୍କ ଏଭଳି ପକ୍ଷପାତପୂର୍ଣ୍ଣ ଧମକ ଘଟଣାକୁ ନେଇ ଅଭିଯୋଗକାରୀ ମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଲିଖିତ ବୟାନ ଦାଖଲ କରିଥିଲେ । ଅଭିଯୋଗକାରୀ ମାନେ ପଛକୁ ଆଦୌ ହଟିବେ ନାହିଁ ଓ ଅଭିଯୋଗକୁ ନିର୍ଣ୍ଣାୟକ ସ୍ତରକୁ ନେବାକୁ ସଙ୍କଳ୍ପ କରିଥିଲେ । ଏବେ ତଦନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଏହା ମିଳିବା ପରେ ପରବର୍ତ୍ତି ପଦକ୍ଷେପ ସମ୍ପର୍କରେ ନିଷ୍ପତ୍ତି  ଗ୍ରହଣ କରାଯିବ ବୋଲି ଅଭିଯୋଗକାରୀମାନେ ପ୍ରକାଶ କରିଥିଲେ ।