ବିଷାକ୍ତ ପାଉଚ ମଦରେ ଉବୁଟୁବୁ କୋକସରା ଅଞ୍ଚଳ 

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ବିଭିନ୍ନ ଗାଁରେ ବିଷାକ୍ତ ପାଉଚ ମଦରେ ଉବୁଟୁବୁ ହେଉଛି  । ବିଭିନ୍ନ ପଞ୍ଚାୟତର ସାହି ଗଳିରେ ଥିବା ମଦକୋଠି ମଧ୍ୟରେ ବେଧଡକ ଭାବରେ ଦେଶୀ ଜରି ପାଉଚ କୋଚିଆଙ୍କ ଦ୍ୱାରା ବିକ୍ରି ହେଉଥିବାବେଳେ, ଲାଇସେନ୍ସ ପ୍ରାପ୍ତ ମଦଭାଟି କର୍ମଚାରୀଙ୍କ ଦ୍ୱାରା ପ୍ରତି ଗାଁର ସାହି ଗଳିରେ ଥିବା କୋଠିରେ ମଦ ଯୋଗାଇଦେଉଥିବା ଅଭିଯୋଗ ହୋଇଆସୁଥିଲେ ମଧ୍ୟ ଅବକାରୀ, ପୁଲିସ ବିଭାଗ ଏଥିରେ ରୋକ୍ ଲଗାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି  । ଫଳରେ ଗ୍ରାମାଞ୍ଚଳରେ ଥିବା ଦେଶୀ ପାଉଚ କୋଚିଆମାନେ ଖୁଲମଖୁଲା ବିକ୍ରି କରୁଥିବା ନଜର ରହିଛି  । ଏହି ବିଷାକ୍ତ ମଦ ପିଇ ଅନେକ ପରିବାର ସର୍ବସ୍ୱାନ୍ତ  ହୋଇଗଲାଣି । କୋଠି କୋଠିରେ ମଦ ବିକ୍ରିକୁ ନେଇ ମଦ ବିରୋଧୀ ଓ ଭାଟି ମାଲିକ ମଧ୍ୟରେ ଚାଲୁଥିବା ଖଣ୍ଡଯୁଦ୍ଧ ଅନେକାଂଶରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଛି । ମଦ ବିକ୍ରିକୁ ନିଷିଦ୍ଧ ପାଇଁ ଅନେକ ସମୟରେ ମହିଳାମାନେ, ସ୍ୱଂୟ ସହାୟକ ଗୋଷ୍ଠୀ ଆନେ୍ଦାଳନ କରି ଆସୁଥିଲେ ବି, କିଛି ସୁଫଳ ମିଳିନାହିଁ  ।
ଏକ ବେସରକାରୀ ଆକଳନ ଅନୁଯାୟୀ ଅଞ୍ଚଳରେ ହେଉଥିବା ସଡ଼କ ଦୂର୍ଘଟଣା,ପାରିବାରିକ ହିଂସା, ଯାବତୀୟ ପ୍ରକାର ଗଣ୍ଡଗୋଳ ର ମାଧ୍ୟମ ହେଉଛି ମଦ । ପଞ୍ଚାୟତର ବିଭିନ୍ନ ଗାଁ, ଗଳିକନ୍ଦି ଏବଂ ସାପ୍ତାହିକ ବଜାର ମଧ୍ୟରେ ଏହା ଦେଖିବାକୁ ମିଳୁଛି  । ଏଠାରେ ଜଣେ ମଦ କୋଚିଆ ନିର୍ଭୟର ସହ ଶହ ଶହ ଜରି ମଦ ପାଉଚ ଦୋକାନ, ଛକ ଓ ବଜାରରେ ବିକ୍ରି କରୁଥିଲେ ମଧ୍ୟ ପ୍ରଶାସନ ସବୁ ଜାଣିଶୁଣି ନୀରବଦ୍ରଷ୍ଟା ସାଜିଛି । ଯାହାଫଳରେ ଅନେକ ସ୍ଥାନ ମଧ୍ୟରେ ଅଧିକାଂଶ ସମୟରେ ଅପ୍ରୀତିକର ଘଟଣା ସବୁ ଦେଖାଦେବା ସହ ମଦୁଆମାନେ ବାଟୋଇଙ୍କୁ ହଇରାଣ ହରକତ କରୁଥିବା ଅଭିଯୋଗ ହେଉଛି । ଅଞ୍ଚଳରେ ଥିବା ଦେଶୀ ମଦ ପାଉଚ ଭାଟି ଆମପାଣି,ଲଡୁଗାଁ, ଫୁପଗାଁ, ମୋଟେର, ଗୋତମୁଣ୍ଡା ଏବଂ ଏହା ନିକଟସ୍ଥ ଟେମରାରେ ଥିବା ସରକାରୀ ଲାଇସେନ୍ସପ୍ରାପ୍ତ ମଦଭାଟିର ମ୍ୟାନେଜରମାନେ ତାଙ୍କ ଭାଟିର ଜରି ମଦ କିପରି ଅଧିକରୁ ଅଧିକ ବିକ୍ରି ହୋଇପାରିବ ସେଥିପାଇଁ ଗ୍ରାମାଞ୍ଚଳରେ ନିରୀହ ଲୋକଙ୍କୁ ପ୍ରଲୋଭନ ଦେଖାଇ ବେଆଇନ ମଦକୋଠି ଖୋଳି ମଦ ଯୋଗାଇ ଦେଉଥିବା ସହ ମଦକୋଠି ମାଳିକ ଓ ମଦଭାଟି କର୍ମଚାରୀମାନେ ଗ୍ରାମବାସୀଙ୍କୁ ମୋଟା ଅଙ୍କର ଅର୍ଥ ରାଶି ଦେବା ସହ ମଦ ବିକ୍ରି ପାଇଁ ପ୍ରୋତକ୍ସାହନ ଦେଉଥିବା ଏଠାରେ ଚର୍ଚ୍ଚା ଜୋର ଧରିଛି  । ଭାଟିରେ ବିକ୍ରି ଛଡ଼ା ବାହାରେ ପ୍ରତି ମଦଭାଟିର ମ୍ୟାନେଜର ମାନେ ଗାଁ ଗାଁ ରେ କୋଚିଆଙ୍କୁ ମଦ ଯୋଗେଇଦେଉଥିବା ବେଳେ, ଏସବୁ ଆମପାଣି,କୋକସରା ପୋଲିସ , ଅବକାରୀ ବିଭାଗ ଜାଣି ମଧ୍ୟ ନ ଜାଣିଲା  ଭଳି ଅଭିନୟ କରିଚାଲିଥିବା ଅଭିଯୋଗ ହୁଏ  । ଗୋଟେ ପଟେ ସରକାରୀ ଲାଇସେନ୍ସପ୍ରାପ୍ତ ମଦଭାଟିର ୧୦୦ ମିଟର ମଧ୍ୟରେ ମଦ ବିକ୍ରି କରିବାର ନିୟମ ରହିଥିଲେ ମଧ୍ୟ ମଦ ଭାଟି କର୍ମଚାରୀ ମାନେ ଏହାର ଖୋଲା ଉଲ୍ଲଘଂନ କରିଚାଲିଛନ୍ତି ଏବଂ କୋଚିଆଙ୍କ ଘରକୁ, ଗାଁକୁ ମଦ ପହଞ୍ଚାଇ ଦେଉଛନ୍ତି  । ଗ୍ରାମବାସୀ କିମ୍ବା ବୁଦ୍ଧିଜୀବୀ ବିରୋଧ କଲେ କୋଚିଆ ନାଲିଆଖି ଦେଖେଇବା ସହ ମାସକୁ ମାସ ଚାନ୍ଦା ଦେଇ ବିକ୍ରି କରୁଥିବା ସେମାନେ ଲୋକଙ୍କ ପାଖରେ ସଫେଇ ଦେଉଥିବା କିଛି ବ୍ୟକ୍ତି ବିଶେଷ ପ୍ରକାଶ କରିଛନ୍ତି  ।