ସ୍ଵାସ୍ଥ୍ୟ ସେବାର ବିକଳ ଚିତ୍ର : ହାତରେ ସାଲାଇନ, ଚଟାଣରେ ଚିକିତ୍ସା

ସ୍ଵାସ୍ଥ୍ୟ ସେବାର ବିକଳ ଚିତ୍ର :  ହାତରେ ସାଲାଇନ, ଚଟାଣରେ ଚିକିତ୍ସା

ବରଗଡ଼ : ବରଗଡ଼ ସହରର ସହରାଞ୍ଚଳ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ଅପହଞ୍ଚ ହୋଇପଡ଼ିଛି । ଦେଖିବାକୁ ମିଳିଛି ସ୍ଵାସ୍ଥ୍ୟ ସେବାର ବିକଳ ଚିତ୍ର । ଏଠାରେ ଡାକ୍ତର ଅଭାବ ନିତିଦିନିଆ ଘଟଣା ହୋଇପଡ଼ିଛି । ସେହିପରି ଶଯ୍ୟା ଅଭାବ, ରୋଗୀଙ୍କୁ ସାଲାଇନ ଦେବାରେ ଅବ୍ୟବସ୍ଥା ମଧ୍ୟ ସାମ୍ନାକୁ ଆସିଛି ।

ସହରାଞ୍ଚଳ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଏଭଳି ଅବ୍ୟବସ୍ଥାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ର ଏକଦା ଜିଲା ମୁଖ୍ୟ ଚିକିତ୍ସାଳୟ ଥିଲା । ତେବେ ସହର ଉପକଣ୍ଠ ଖେଦାପାଲିକୁ ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ହେବା ପରେ ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ର ସହରାଞ୍ଚଳ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ ହୋଇଛି ।  ସହରାଞ୍ଚଳ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ ହେବା ପରେ ଏଠାରେ ସମସ୍ୟା ବହୁଗୁଣିତ ହୋଇପଡ଼ିଛି । ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ରୋଗୀଙ୍କୁ ମିଳୁନାହିଁ ଶଯ୍ୟା । ଫଳରେ ଚଟାଣରେ ରୋଗିଙ୍କ ଚିକିତ୍ସା ଚାଲିଛି । ସେହିପରି ସାଲାଇନ ଦେବା ପାଇଁ ଷ୍ଟାଣ୍ଡର ଅଭାବ ଫଳରେ ରୋଗୀଙ୍କୁ ସାଲାଇନ ଦେବା ସମୟରେ ହାତରେ ସାଲାଇନ ଧରି ରୋଗୀଙ୍କ ସମ୍ପର୍କୀୟଙ୍କୁ ଛିଡ଼ା ହୋଇ ରହିବାକୁ ପଡ଼ୁଛି । କେବଳ ସେତିକି ନୁହେଁ, ବିଭିନ୍ନ ପରୀକ୍ଷା ପାଇଁ ରୋଗୀଙ୍କୁ ବାହାରକୁ ଯାଇ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି । ତେବେ ବର୍ତ୍ତମାନ ତାତି, ଗ୍ରୀଷ୍ମ ପ୍ରବାହ ବଢ଼ି ଚାଲିଥିବା ବେଳେ ସହର ମଧ୍ୟରେ ରହିଥିବା ସ୍ବାସ୍ଥ୍ୟକେନ୍ଦ୍ରରେ ଏଭଳି ଅବ୍ୟବସ୍ଥା ସ୍ବାସ୍ଥ୍ୟ ବିଭାଗର ଅପାରଗତାକୁ ପଦାରେ ପକାଇଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।