ବାଗୁଡ଼ି ଖାଦାନରେ ଚଢ଼ାଉ ; ଲକ୍ଷାଧିକ ଟଙ୍କାର ପଥର ଜବତ
ସୋର : ସୋର ବ୍ଲକ ମହୁମୁହାଣ ପଞ୍ଚାୟତ ବାଗୁଡ଼ି ଖାଦାନରେ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇ ଲକ୍ଷାଧିକ ଟଙ୍କାର ପଥର ଜବତ କରାଯାଇଥିବା ଜଣାପଡିଛି । ଗତ ରାତିରେ ଏହି ଖାଦାନ ଅଞ୍ଚଳରେ ବେଆଇନ ବ୍ଲାଷ୍ଟିଂ ହେବାର ଖବର ପାଇ ସୋର ଅତିରିକ୍ତ ତହସିଲଦାର ଦୈତାରୀ ମଲ୍ଲିକ ଦୁଇଜଣ କନିଷ୍ଠ ଖଣି ଅଧିକାରୀ ଓ ସୋର ପୁଲିସ ସହାୟତାରେ ଚଢ଼ାଉ କରିଥିଲେ । ଚଢ଼ାଉ ହେଉଥିବା ଜାଣି ପାରି ବ୍ଲାଷ୍ଟିଂ ପରେ ସେଠାରେ ପଥର ଉତ୍ତୋଳନ କାର୍ଯ୍ୟରେ ନିୟୋଜିତ ଥିବା ୪ଟି ପୋକଲିନର ଚାଳକ ପୋକଲିନକୁ ନେଇ ସେଠାରୁ ଫେରାର ହୋଇଯାଇଥିଲେ । ଫଳରେ ଅତିରିକ୍ତ ତହସିଲଦାର ଶ୍ରୀ ମଲ୍ଲିକ ୧୦୪ ଟ୍ରିପ ପଥରକୁ ଜବତ କରିଥିଲେ । ଉକ୍ତ ଜବତ ପଥରକୁ ଖଣି ବିଭାଗର ଉପସ୍ଥିତିରେ ୩,୬୭,୦୭୦ ଟଙ୍କାରେ ନିଲାମ କରାଯାଇଥିଲା । ଏହି କାର୍ଯ୍ୟ ସାରି ଫେରିବା ସମୟରେ ଶ୍ରୀ ମଲ୍ଲିକ ଭଦ୍ରକରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ଓଡି୨୨ଏକ୍ସ ୭୦୦୧ ନମ୍ବର ବିଶିଷ୍ଟ ଏକ ବାଲି ବୋଝେଇ ଡମ୍ପର ଏବଂ ବେଆଇନ ମାଟି ବୋଝେଇ କରି ଯାଉଥିବା ଦୁଇଟି ନମ୍ବର ବିହୀନ ଟ୍ରାକ୍ଟରକୁ ଜବତ କରି ସୋର ଥାନାରେ ରଖିବା ସହିତ ଖଣି ବିଭାଗକୁ ହସ୍ତାନ୍ତର କରିଥିଲେ । ପ୍ରତିଦିନ ପଥର ମାଫିଆମାନେ ପଥର ଲୁଟ୍ କରି ଚାଲିଥିବା ବେଳେ କେବଳ ହାତଗଣତି ଚଢ଼ାଉ କରାଯାଉଛି । ପ୍ରତିଦିନ ଚଢ଼ାଉ କରାଯିବା ସହିତ ଏଠାରେ ଚେକ୍ପୋଷ୍ଟ କରିବାକୁ ସାଧାରଣରେ ଦାବି ହୋଇଛି ।