ବନ୍ଧୁକ ରଖିବା ଅଭିଯୋଗରେ ଜଣେ ଗିରଫ
ଢେଙ୍କାନାଳ : ନିଜ ଘରେ ଏକ ଚୋରା ବନ୍ଧୁକ ରଖିଥିବା ଅଭିଯୋଗରେ ଢେଙ୍କାନାଳ ଜିଲ୍ଲା ଗଁଦିଆ ପୁଲିସ ଜଣକୁ ଗିରଫ କରିଛି । ଗଁଦିଆ ଥାନା ପୁଲିସଠାରୁ ପ୍ରକାଶ ଯେ ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ମକୁନ୍ଦପୁର ଗ୍ରାମର ଅମୁଲ୍ୟକୁମାର ସାମଲ (୪୩ବର୍ଷ) ବିନା ଲାଇସେନ୍ସରେ ଏକ ବନ୍ଧୁକ ନିଜର ଘରେ ବେଆଇନ ଭାବରେ ରଖିଥିଲା ଓ ଉକ୍ତ ବନ୍ଧୁକରେ ଅନେକ ସମୟରେ ଅଶ୍ୱଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବନ୍ୟପ୍ରାଣୀ ଶିକାର କରିଥାନ୍ତି । ଗତକାଲି ମଙ୍ଗଳବାର-ବୁଧବାର ରାତ୍ରିରେ ଖବର ପାଇ ଗଁଦିଆ ଥାନାଧିକାରୀ ଶାନ୍ତନୁ କୁମାର ପ୍ରଧାନଙ୍କର ନେତୃତ୍ୱରେ ଏକ ଟିମ ଅଭିଯୁକ୍ତର ଘର ଖାନତଲାସୀ କରିବା ସମୟରେ ତାର ଘରୁ ଏକ ଚୋରା ବନ୍ଧୁକ ଜବତ କରିବା ସହିତ ଶିକାର ସମୟରେ ବ୍ୟବହୃତ କିଛି ବିସ୍ଫୋରକ ସାମଗ୍ରୀକୁ ମଧ୍ୟ ଜବତ କରିଥିଲେ । ଆଜି କେସ ନମ୍ବର ୧୯୧ରେ ଏକ ମାମଲା ରୁଜୁ କରି ଗଁଦିଆ ପୁଲିସ କୋର୍ଟ ଚାଲାଣ କରିଛି ।