ନିର୍ବାଚନ ଆୟୋଗଙ୍କ ଉପରେ ରାହୁଲଙ୍କ ଗମ୍ଭୀର ଅଭିଯୋଗ

କଂଗ୍ରେସ ସାଂସଦ ତଥା ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ଆଜି ପୁଣି ଏକ ସଙ୍ଗିନ ଅଭିଯୋଗ ଆଣିଛନ୍ତି । ଶୁକ୍ରବାର ଦିନ ବେଙ୍ଗାଲୁରୁର ଏକ ଜନସଭାକୁ ଉଦବୋଧନ ଦେବା ଅବସରରେ ରାହୁଲ ଗାନ୍ଧୀ କହିଛନ୍ତି ଅଭିଯୋଗ ଆସିବା ପରେ ଏବେ ନିର୍ବାଚନ ଆୟୋଗ ରାଜସ୍ଥାନ ଓ ବିହାରର ଇ-ଭୋଟର ୱେବସାଇଟକୁ ବନ୍ଦ କରିଦେଇଛନ୍ତି । ଏକଥା କେବଳ ରାହୁଲ ଗାନ୍ଧୀ କହିନାହାନ୍ତି ବରଂ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏଭଳି ପୋଷ୍ଟ ଟ୍ରେଣ୍ଡ ହେବାରେ ଲାଗିଛି । ରାହୁଲ ଗାନ୍ଧୀ କେବଳ ବିହାର ଓ ରାଜସ୍ଥାନ ଇ-ଭୋଟର ୱେବସାଇଟ କଥା କହୁଥିବା ବେଳେ ସୋସିଆଲ ମିଡିଆରେ କିନ୍ତୁ ଏହି ଦୁଇ ରାଜ୍ୟ ସହ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ଇ-ଭୋଟର ତାଲିକା ଥିବା ୱେବସାଇଟ ଖୋଲୁନଥିବା କଥା କୁହାଯାଉଛି ।
ଏହାସହ ରାହୁଲ ଗାନ୍ଧୀ ମହାରାଷ୍ଟ୍ର ଓ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ବେଳେ ଭୋଟ ହେରଫେର ହୋଇଥିବା କଥା କହିଛନ୍ତି । ସେ କହିଛନ୍ତି କି, ଏହି ଦୁଇ ରାଜ୍ୟରେ ଲୋକସଭା ନିର୍ବାଚନ ବେଳେ ଯେତିକି ଭୋଟର ଭୋଟ ଦେଇଥିଲେ, ବିଧାନସଭା ନିର୍ବାଚନ ବେଳେ ଏହି ଭୋଟରଙ୍କ ସଂଖ୍ୟା ୧ କୋଟିରୁ ଅଧିକ ବଢିଛି । ସେ ପ୍ରଶ୍ନ ପଚାରିଛନ୍ତି ଲୋକସଭା ନିର୍ବାଚନ ବେଳେ ଏହି ୧ କୋଟି ଭୋଟର କୁଆଡେ ଯାଇଥିଲେ । ନା ଏହି ୧ କୋଟି ଭୋଟର ସ୍ଥାନରେ ଭୂତ ଆସି ଭୋଟ ଦେଇଛନ୍ତି । ଏହି ୧ କୋଟି ନକଲି ଭୋଟରଙ୍କ ସହାୟତାରେ ବିଜେପି ନିର୍ବାଚନ ଜିତିଛି ବୋଲି ରାହୁଲ ଗାନ୍ଧୀ ସଙ୍ଗିନ ଅଭିଯୋଗ କରିଛନ୍ତି । ବିରୋଧୀଦଳ ନେତା କହିଛନ୍ତି କି, ନିର୍ବାଚନ ଆୟୋଗ ଓ ବିଜେପି ମିଳିତ ଭାବେ ଭୋଟ ଚୋରି କରି ଲୋକତନ୍ତ୍ରର ହତ୍ୟା କରିଛି । ଆମ ସମ୍ବିଧାନ ଆମକୁ ଭୋଟଦାନର ଅଧିକାର ଦେଇଥିବା ବେଳେ ନିର୍ବାଚନ ଆୟୋଗ ଏହା ଆମଠାରୁ ଛଡ଼ାଇନେବାକୁ ବସିଛନ୍ତି ।