ସବରେଜିଷ୍ଟ୍ରାର ଅଫିସ୍ରେ ଅନିୟମିତତା : ୧୦.୩୦ରେ ଆସୁଛନ୍ତି କର୍ମଚାରୀ

 ବେତନଟୀ : ମୟୂରଭଞ୍ଜ ଜିଲ୍ଲାର ବେତନଟୀ ସବରେଜିଷ୍ଟ୍ରାର ଅଫିସରେ ପ୍ରଶାସନିକ ଅବହେଳା ଯୋଗୁଁ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସକାଳ ୧୦.୩୦ ପରେ ମଧ୍ୟ ଅଫିସରେ କୌଣସି କର୍ମଚାରୀ ଉପସ୍ଥିତ ନ ଥିବା ଅଭିଯୋଗ ହେଉଛି । ଯଦିଓ ଟ୍ରଷ୍ଟ ଡିଡ୍ ଓ ପ୍ଲଟ ବିକ୍ରି ସମ୍ପର୍କିତ କାର୍ଯ୍ୟ ପାଇଁ ସମୟ ୧୦ଟାରେ ନିର୍ଦ୍ଧାରିତ ହୋଇଛି, ତଥାପି ଏହାକୁ ଖାତିର କରୁନାହାନ୍ତି ସରକାରୀ କର୍ମଚାରୀ । ଏଥିଯୋଗୁଁ ଜମି ରେଜିଷ୍ଟ୍ରୀ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ କାର୍ଯ୍ୟ ପାଇଁ ଅଫିସକୁ ଆସୁଥିବା ଜନସାଧାରଣଙ୍କୁ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି । ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ଯେ, ସବରେଜିଷ୍ଟ୍ରାର ଅଫିସରେ କର୍ମଚାରୀଙ୍କ ଅନୁପସ୍ଥିତି ଓ ଅସମୟରେ ଅଫିସ ଆସିବା ନିୟମିତ ଘଟଣା ହୋଇଛି । ଏହା ଜନସେବାକୁ ବାଧାପ୍ରାପ୍ତ କରୁଥିବା ସହ ଜମି କିଣାବିକା ଓ ଅନ୍ୟାନ୍ୟ ଦସ୍ତାବିଜ ସମ୍ପର୍କିତ କାର୍ଯ୍ୟରେ ବିଳମ୍ବ ଘଟାଉଛି । ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ଓ ସବରେଜିଷ୍ଟ୍ରାର ଅଫିସରେ ଦାୟିତ୍ୱଶୀଳ କର୍ମଚାରୀ ନିଯୁକ୍ତି ଓ ସମୟାନୁବର୍ତ୍ତିତା ନିଶ୍ଚିତ କରିବାକୁ ଜନସାଧାରଣ ଦାବି କରିଛନ୍ତି । ଜନସାଧାରଣ ପ୍ରଶାସନକୁ ତୁରନ୍ତ ଏ ବାବଦରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି କରୁଛନ୍ତି ।