ଆହୁରି ସମୃଦ୍ଧ ହେବ ଓଡ଼ିଶା: ଗୋକୁଳାନନ୍ଦ

କୋରାପୁଟ : ୨୦୩୬ ବେଳକୁ ଓଡ଼ିଶା ଏକ ସମୃଦ୍ଧ ରାଜ୍ୟରେ ପରିଣତ ହେବ । ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ଥାନୀୟ ପୁଲିସ ପ୍ୟାରେଡ ପଡ଼ିଆ ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ବିକାଶ ମେଳାରେ ଏହା ପ୍ରକାଶ କରିଛନ୍ତି ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଶ୍ରୀ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେଳା ଉଦଘାଟନ କରିବା ସହ ଜିଲ୍ଲା ବିକଶିତ ହେଲେ ଓଡ଼ିଶା ବିକଶିତ ହେବ ବୋଲି କହିଥିଲେ । ଏହାସହ ସେ କହିଥିଲେ, ସମାଜର ସବୁବର୍ଗର ଲୋକଙ୍କ ମତକୁ ନେଇ ଭିଜନ ଡକୁ୍ୟମେଣ୍ଟ ପ୍ରସ୍ତୁତ କରାଯାଉଛି । ରାଜ୍ୟରେ ଗୁଣାତ୍ମକ ଶିକ୍ଷା ପାଇଁ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ସ୍ଥାପନ ହେବାକୁ ଯାଉଛି ବୋଲି କୋରାପୁଟ ବିଧାୟକ ରଘୁରାମ ମାଛ କହିଛନ୍ତି । ସେହିପରି ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ଯୋଜନାରୁ ଓଡ଼ିଶାବାସୀ କିପରି ଲାଭ ଉଠାଇଛନ୍ତି ତାହା ବଖାଣି ଥିଲେ ମନ୍ତ୍ରୀ ।
ଅନ୍ୟମାନଙ୍କ ମଧ୍ୟରେ କୋଟପାଡ ବିଧାୟକ ରୁପୁ ଭତ୍ରା, ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା, କୋରାପୁଟ ଏସ୍ପି ରୋହିତ ବର୍ମା, ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ତପନ ନାୟକ, କୋରାପୁଟ ବ୍ଲକ ଅଧ୍ୟକ୍ଷା ନମିତା ମାଝୀ, କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ, ସୁନାବେଡା ପୌର ପରିଷଦ ଅଧ୍ୟକ୍ଷ ରାଜେନ୍ଦ୍ର ପାତ୍ର, କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଏମ ଶଙ୍କର ରାଓ ପ୍ରମୁଖ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏ ଅବସରରେ ପାରମ୍ପରିକ ସୁଭଦ୍ରା ଖାଦ୍ୟ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ପ୍ରାୟ ୭ ହଜାର ଲୋକଙ୍କ ସମାଗମ ହୋଇଥିଲା ।