ବୁଢ଼ାବଳଙ୍ଗ ନଦୀରେ ବଢୁଛି ଜଳସ୍ତର : ନାଖରା ପୋଲର ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ
ବୈଶିଙ୍ଗା: ମୟୂରଭଞ୍ଜ ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ସହିତ ବୈଶିଙ୍ଗା ଥାନା ଅର୍ନ୍ତଗତ ପାଟଳିପୁରା ପଞ୍ଚାୟତ ମଧ୍ୟ ଦେଇ ବୋହି ଯାଇଥିବା ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବଢ଼ିଛି । ବନ୍ୟା ପରିସ୍ଥିତିକୁ ଆକଳନ କରି ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳର ଗ୍ରାମବାସୀମାନଙ୍କୁ ସତର୍କ ରହିବାକୁ ସୂଚନା ଦିଆଯାଇଛି । ମାତ୍ର ବୈଶିଙ୍ଗା ବଡ଼ସାହି ମୁଖ୍ୟ ରାସ୍ତାର ନାଖରା ପୋଲର ତଳ ପାର୍ଶ୍ୱରେ ଗତ ବନ୍ୟା ସମୟରେ ଅତଡା ଖସି ସୃଷ୍ଟି ହୋଇଥିବା ଘାଇ ନିକଟରେ ନଦୀଜଳ ଭଉଁରୀ କାଟି ପ୍ରବାହିତ ହେଉଥିବା ଯୋଗୁଁ ଚିନ୍ତାରେ ଅଛନ୍ତି ଅଞ୍ଚଳବାସୀ । ଏଥିପାଇଁ ଗତବର୍ଷ ପାଟଳିପୁରା, ଦାରିହା, କାଠପାଳ, ସିଙ୍ଗଲାମୁଣ୍ଡଳି, ଶାଳଗାଁ, ଦେବସ୍ଥଳୀ, ଡେଁଫଉଦା, ଖଣ୍ଡଦେଉଳା ଆଦି ତଳିଆ ଅଞ୍ଚଳର ଗ୍ରାମବାସୀମାନେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ସମ୍ଭାବ୍ୟ ବନ୍ୟା ଆଶଙ୍କାକୁ ଆଖି ଆଗରେ ରଖି ଶନିବାର ଦିନ ତିନିଟା ସମୟରେ ଜିଲ୍ଲାପାଳ ହେମକାନ୍ତ ସଏ, ଏସ୍ପି ବରୁଣ ଗୁଣ୍ଠୁପାଲି, ବୈଶିଙ୍ଗା ଥାନାଧିକାରୀ ବାରିଣୀ ଦାସଙ୍କ ସହିତ ଜରୁରୀକାଳୀନ ଅଧିକାରୀମାନେ ନାଖରା ସେତୁ ନିକଟରେ ସ୍ଥିତି ଅନୁଧ୍ୟାନ କରିବା ସହିତ ସତର୍କ ରହିବା ପାଇଁ ସ୍ଥାନୀୟ ପାଟଳିପୁରା ସରପଞ୍ଚ ମମତା ନାଏକ, ରାଜସ୍ୱ ନିରୀକ୍ଷକ, ବେତନଟୀ ଓ ବଡ଼ସାହି ତହସିଲଦାରଙ୍କୁ ନିଦେ୍ର୍ଦଶ ଦେଇଥିବାର ସୂଚନା ମିଳିଛି । ତେବେ ମାଟି ଅତଡା ଖସି ସେତୁ ପ୍ରତି ବିପଦ ଥିବା ନେଇ ସରପଞ୍ଚ ମମତା ନାଏକଙ୍କୁ ପଚାରିବାରୁ ସ୍ଥିତି ସେତେ ବେଶୀ ବିପଦଜନକ ନୁହେଁ ବରଂ ପାଣି କମିଯିବା ପରେ ବାଉଁଶରେ ଫ୍ରେମ୍ ଲଗାଇ ବାଲିବସ୍ତା ଦିଆଗଲେ ଏହା ଅଧିକ ସୁରକ୍ଷିତ ହୋଇପାରିବ ବୋଲି ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ବେତନଟୀ ଆର୍ଆଣ୍ଡବିର ଉପଖଣ୍ଡ ଅଧିକାରୀ (ଏସଡିଓ) ଅରବିନ୍ଦ ମହାନ୍ତିଙ୍କୁ ପଚାରିବାରୁ ସେ ମଧ୍ୟ ସେତୁ ପ୍ରତି ବିପଦ ନଥିବା କହିଛନ୍ତି । ତେବେ ନଦୀର ଉଭୟ ପାଖ ଆଡ଼ିବନ୍ଧ ସୁରକ୍ଷା ପ୍ରକୃତପକ୍ଷେ ଜଳସେଚନ ବିଭାଗର ଦାୟିତ୍ୱ ହୋଇଥିବା ବେଳେ ତାଙ୍କ ବିଭାଗ ପକ୍ଷରୁ ଜରୁରୀକାଳୀନ ପଦକ୍ଷେପ ନିଆଯାଇ ମାଟି ଧସିଥିବା ସ୍ଥାନରେ ବାଲିବସ୍ତା ଦିଆଯାଉଥିବା ବେଳେ ଏହା ରହୁନାହିଁ ବୋଲି ଉପଖଣ୍ଡ ଅଧିକାରୀ ଜଣାଇଛନ୍ତିି । ତେବେ ବର୍ଷା ଋତୁ ପରେ ଏହି ଘାଇର ସ୍ଥାୟୀ ସମାଧାନ ପାଇଁ ଗଭୀର କଂକି୍ରଟ ପିଲାର ନିର୍ମାଣ ହେବା ଜରୁରୀ ହୋଇପଡ଼ିଛି ବୋଲି ନଦୀକୂଳ ବାସିନ୍ଦା ପ୍ରକାଶ କରିଛନ୍ତି ।