ବୃଦ୍ଧା ମା’ ଭରସାରେ ଭେଣ୍ଡିଆ ପୁଅ

ବୃଦ୍ଧା ମା’ ଭରସାରେ ଭେଣ୍ଡିଆ ପୁଅ

ନୂଆପଡା (ପରମେଶ୍ୱର ବାରିକ) : ଦିନେ ସେ ଟ୍ରାକ୍ଟର ଚଲାଇ ପରିବାର ଚଳାଉଥିଲେ, କିନ୍ତୁ ଜାଣି ନଥିଲେ ଦିନେ ସେ ପରିବାରର ବୋଝ ପାଲଟି ଯିବେ । ସୁଖର ସପନ ଦେଖୁ ଦେଖୁ ଭାଗ୍ୟ ଏମିତି ଏକ ଦୋ ଛକିରେ ଆଣି ରଖିଦେବ ସେ ଜାଣି ପାରି ନଥିଲେ । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ନେହେନା ଗ୍ରାମର ଜଗତ ରାମ ନାଗ । ବୟସ ୩୭ ବର୍ଷ । ତାଙ୍କର ଦୁଃଖ କହିଲେ ନସରେ । ଚାରି ବର୍ଷ ହେଲା ଶଯ୍ୟାଶାୟୀ ଜଗତଙ୍କ ପାଇଁ ଏକମାତ୍ର ସାହା ଭରଷା ସତୁରୀ ବର୍ଷୀୟା ବୃଦ୍ଧା ମା’ । ତାଙ୍କରି ଭରସାରେ ଜୀବନ ଜିଇଁବାକୁ ପଡୁଛି । ଜଗତ ଆଗରୁ ଟ୍ରାକ୍ଟର ଡ୍ରାଇଭର ଥିଲେ ଓ ବାପା ମାଆଙ୍କୁ ପୋଷୁଥିଲେ । କିନ୍ତୁ ଦଇବ ଦିନେ ଦାଉ ସାଜିଲା ।  

  • ଚିକତ୍ସାରେ ଅର୍ଥ ସାଜିଛି ବାଧକ
  • ସହାୟତା ପାଇଁ ନିବେଦନ
     

୨୦୨୧ମସିହା ମାର୍ଚ୍ଚ ୨୧ ତାରିଖ ହୋଲି ଦିନ ଜଗତ ଟ୍ରାକ୍ଟର ନେଇ ଶ୍ରମିକମାନଙ୍କ ସହ ମାଟି ଆଣିବାକୁ ଯାଇଥିଲେ। ଶ୍ରମିକମାନେ ମାଟି ହାଣୁ ଥିବାବେଳେ ହଠାତ୍‌ ମାଟି ଅତଡା ତାଙ୍କ ଉପରେ ପଡ଼ି ଯାଇଥିଲା । ସେ ଗୁରୁତର ଆହତ ହେବା ସହ ତାଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିଲା । ପରିବାର ଲୋକେ ଓ ଗ୍ରାମବାସୀ ତାଙ୍କୁ ପ୍ରଥମେ ଖଡ଼ିଆଳ ଓ ପରେ ନୂଆପଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ସେଠାରୁ ଡାକ୍ତର ତାଙ୍କୁ ବୁର୍ଲା ରେଫର କରି ଦେଇଥିଲେ । ବୁର୍ଲା ଠାରେ ଉନ୍ନତ ଚିକିତ୍ସା ସୁବିଧା ହୋଇ ନ ପାରିବାରୁ ତାଙ୍କୁ ରାୟପୁର ସ୍ଥିତ ରାମକୃଷ୍ଣ କେୟାର ହସ୍ପିଟାଲ ନିଆଗଲା । ସେଠାରେ ତାଙ୍କର ମେରୁଦଣ୍ଡ ଅସ୍ତ୍ରୋପଚାର କରାଗଲା । ବିଜୁ ସ୍ୱାସ୍ଥ୍ୟ କାର୍ଡ ସହ ଘର ତିଆରି ପାଇଁ ରଖିଥିବା ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଗଲା । ସେଠାରୁ ଆସିଲା ପରେ ଘରେ ଶଯ୍ୟାଶାୟୀ ହୋଇ ପଡ଼ି ରହିଲେ । ବୃଦ୍ଧ ବାପା ମା’ ତାଙ୍କୁ ଯତ୍ନ ନେବାକୁ ଲାଗିଲେ । ଜଗତ ଖଟରୁ ଉଠି ପାରନ୍ତି ନାହିଁ । ତେଣୁ ସେଠାରେ ସ୍ନାନ ଶୌଚ ଖାଇବା ପିଇବା କରନ୍ତି । ଏତିକିରେ ଦୁଃଖର ଅନ୍ତ ହେଲା ନାହିଁ । ଏକ ବର୍ଷ ତଳେ ପେଟ ରୋଗରେ ପଡି ବାପା ଯୁଗେ ନାଗ ଆର ପାରି କି ଚାଲି ଯାଇଛନ୍ତି । ଏବେ ଦୁଇ ପଇସା ଉପାର୍ଜନ କରିବା ପାଇଁ କେହି ନାହିଁ । ମା’ପୁଅଙ୍କ ମାସିକ ଭତ୍ତା ଓ ୩୫ କିଲୋଗ୍ରାମ ଚାଉଳ ହିଁ ସେମାନଙ୍କ ବଞ୍ôଚବାର ଭରସା । ଜଗତଙ୍କ ଔଷଧ ପାଇଁ ସପ୍ତାହକୁ ତିନି ହଜାର ଟଙ୍କା ଖର୍ଚ୍ଚ ହେଉଥିଲା । ହେଲେ ଟଙ୍କା ନ ଥିବାରୁ ଔଷଧ ଖାଇବା ମଧ୍ୟ ବନ୍ଦ କରି ଦେଇଛନ୍ତି । ଏବେ ଇନ୍ଦରା ଆବାସ ଘର ମିଳିଛି । ଘର ମଧ୍ୟ ସମ୍ପୂର୍ଣ୍ଣ ହୋଇ ନାହିଁ । ଜଗତଙ୍କ ଚିକିତ୍ସା କରାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଏ ନେଇ ଖଡ଼ିଆଳ ଉପଖଣ୍ଡ ଚିକିତ୍ସା କେନ୍ଦ୍ରର ମେଡିକାଲ ଇନ୍‌ଚାର୍ଜ ଡାକ୍ତର ରଞ୍ଜିତ ରାଉତଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଏକ ଟିମ୍‌ ପଠାଇ ତାଙ୍କ ସ୍ୱାସ୍ଥ୍ୟବସ୍ଥାର ତଦନ୍ତ କରିବେ ଓ ଚିକିତ୍ସା ସେବା ଯୋଗାଇ ଦେବେ ବୋଲି କହିଛନ୍ତି ।