ଉପମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା ନାଗରିକ କମିଟ
ନବରଙ୍ଗପୁର : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ ଅବସରରେ ସ୍ଥାନୀୟ ସର୍କିଟ ହାଉସରେ ଜିଲ୍ଲା ନାଗରିକ କମିଟିର ସଦସ୍ୟମାନେ ସାକ୍ଷାତ କରି ତାଙ୍କୁ ଜିଲ୍ଲା ସଦର ମହକୁମା ଡାକ୍ତରଖାନା ଓ ଜିଲ୍ଲାର ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକର ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଆଲୋଚନା କରି ସମସ୍ୟା ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ନବରଙ୍ଗପୁର ଜିଲ୍ଲାର ପ୍ରାୟ ୧୪, ୭୦, ୦୦୦ ଜନସଂଖ୍ୟା ଏବଂ ପୌରାଞ୍ଚଳର ପ୍ରାୟ ୫୨ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ, ଆର୍ଥିକ ଭାବେ ଅତିପଛୁଆ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ କ୍ଷେତ୍ରରେ ଏକ ଅନଗ୍ରସର ଜିଲ୍ଲାଭାବେ ପରିଗଣିତ ହୋଇଥିବା ଯୋଗୁଁ ପ୍ରାଥମିକତା ଭିତ୍ତିରେ ବିଚାରକୁ ନେଇ ଜିଲ୍ଲାରେ ଦେଖାଦେଇଥିବା ସ୍ୱାସ୍ଥ୍ୟ ସେବାରେ ସୁଧାର ଆଣିବା ପାଇଁ ଏହି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି । ଜିଲ୍ଲା ସଦର ମହକୁମା ଡାକ୍ତରଖାନା ଅନେକ ବର୍ଷ ହେଲା ସ୍ଥାପିତ ହୋଇଥିଲେ ମଧ୍ୟ ଏଠାରେ ବିଭିନ୍ନ ବିଭାଗରେ ବିଶେଷଜ୍ଞ ଡାକ୍ତର ନଥିବା ଯୋଗୁଁ ଜନସାଧାରଣ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜିଲ୍ଲାରେ ମୋଟ ୩୯୫ ଅନୁମୋଦିତ ଡାକ୍ତର ପଦବୀ ମଧ୍ୟରୁ ମାତ୍ର ୨୧୪ ଡାକ୍ତର ରହିଛନ୍ତି ଏବଂ ୧୮୧ ପଦବୀ ଖାଲି ପଡ଼ିଛି । ଜିଲ୍ଲାର ଅନେକ ନାଗରିକଙ୍କ ଗୁରୁତର ଅଭିଯୋଗ ଅନୁଯାୟୀ, ଜିଲ୍ଲା ସଦର ମହକୁମା ଡାକ୍ତରଖାନାକୁ ଯେକୌଣସି ରୋଗୀ ଚିକିତ୍ସା ପାଇଁ ଗଲେ, ସେମାନଙ୍କୁ ଚିକିତ୍ସା ନ କରି ତୁରନ୍ତ କୋରାପୁଟ ଡାକ୍ତରଖାନାକୁ ରେଫର କରାଯାଉଛି । ଏହି ଡାକ୍ତରଖାନା କେବେଳ ଏକ ରେଫରାଲ କେନ୍ଦ୍ର ଭାବେ କାମ କରୁଛି । ଜିଲ୍ଲାର ଅନେକ ସାମାଜିକ ସଂଗଠନ ପର୍ଯ୍ୟାପ୍ତ ପରିମାଣର ରକ୍ତ ସରକାରୀ ଡାକ୍ତରଖାନାର ରକ୍ତ ଭଣ୍ଡାରକୁ ରକ୍ତ ଦାନ କରୁଥିଲେ ମଧ୍ୟ ଜରୁରୀ ଆବଶ୍ୟକ ସମୟରେ କେବେ ମଧ୍ୟ ରୋଗୀଙ୍କୁ ରକ୍ତନଥିବା କହି ରକ୍ତ ଦିଆଯାଉନାହିଁ । ସେହିପରି ସଦର ମହକୁମା ଡାକ୍ତରଖାନାରେ ଥିବା ଶୀତତାପ ନିୟନ୍ତ୍ରଣ ଯନ୍ତ୍ର ଦୀର୍ଘ ମାସ ହେଲା ଅଚଳ ହୋଇ ପଡିଥିବାରୁ ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ଡାକ୍ତରଖାନାର ବିଭିନ୍ନ ଯନ୍ତ୍ରପାତିର ଯାନ୍ତ୍ରିକ ନଥିବା ଓ ଏହାର ବିଶେଷଜ୍ଞ ଡାକ୍ତର ନଥିବାରୁ ଜନସାଧାରଣ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏହାର ପ୍ରତିକାର ଯଥାଶୀଘ୍ର କରିବା ପାଇଁ ଉପମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯିବା ସହ ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ଏହି ଅବସରରେ ଜିଲ୍ଲା ନାଗରିକ କମିଟିର ସଭାପତି ତଥା ସମାଜସେବୀ ଜଗନ୍ନାଥ ମହାପାତ୍ର, ସମ୍ପାଦକ ରାମ ପ୍ରସାଦ ପାତ୍ର, ସହକାରୀ ଆବାହକ ପ୍ରଦୀପ ସାହୁ, କୋଷାଧ୍ୟକ୍ଷ ଶ୍ରୀନିବାସ ପାତ୍ର, କିଶୋରୀ ପଟ୍ଟନାୟକ, ସ୍ୱର୍ଣ୍ଣଲତା ପଟ୍ଟନାୟକ, ତପନ ବିଷୋଇ, ସୁବ୍ରତ ବେହେରା, ପ୍ରଭାସିନୀ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।