ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ତଥା ପରିଚାଳନା ଅଧ୍ୟକ୍ଷା ଶୁଭଶ୍ରୀ ରଥଙ୍କ ଅଧ୍ୟକ୍ଷତାରେ ଚଳିତବର୍ଷ ରଥଯାତ୍ରା ପାଇଁ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ଆରମ୍ଭରେ ଜଗନ୍ନାଥ ମନ୍ଦିରର ଦିବଂଗତ ସେବାୟତଙ୍କ ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ  ବିବରଣୀ ଅନୁଯାୟୀ ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ମହାପ୍ରଭୁଙ୍କ ରଥଯାତ୍ରା ନିମନ୍ତେ ରଥ ନିର୍ମାଣ ପାଇଁ ଆବଶ୍ୟକ କାଠ ସମ୍ପର୍କରେ ମହାରଣା ଅବଗତ କରିବା ସହିତ ନିର୍ବାହୀ ଅଧିକାରୀ ତଥା ତହସିଲଦାର ସୋନମ୍ ଦାସ ଜଙ୍ଗଲ ବିଭାଗ ୬ଗୋଟି ଅସନ୍, ୩ଗୋଟି ଶାଳ ୧ଗୋଟି କେନ୍ଦୁ ଗଛ ଚିହ୍ନଟ ହୋଇ ସଂଗ୍ରହ କରିଥିବା ପ୍ରକାଶ କରିଥିଲେ । ଏଥିସହିତ ଆଉ କିଛି ଅଧିକ କାଠ ପାଇଁ ଜଙ୍ଗଲ ବିଭାଗକୁ ଜଣାଇବା ଏବଂ ଏ ଉପରେ ନୀଳଗିରି ବନଖଣ୍ଡ ଅଧିକାରୀଙ୍କୁ ବିହୀତ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଥିଲେ । ରଥଯାତ୍ରା ସମୟରେ ରଥ ଉପରେ ଅବସ୍ଥାପିତ ବ୍ୟକ୍ତି ବିଶେଷଙ୍କ ତାଲିକା ଚୂଡ଼ାନ୍ତ, ରଥରେ ଯୋଗ୍ୟତା ପ୍ରମାଣପତ୍ର ପ୍ରଦାନ ପାଇଁ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ରଥଯାତ୍ରା ସମୟରେ ଯାତ୍ରୀମାନଙ୍କ ଗହଳିକୁ ଲକ୍ଷ୍ୟ ରଖି ଆଇନଶୃଙ୍ଖଳା, ଯାନବାହାନ ଚଳାଚଳ ନିୟନ୍ତ୍ରଣ, ଛିନତାଇ, ସାଧାପୋଷାକ ଧାରି ପୋଲିସ ବ୍ୟବସ୍ଥା, ସିସି କ୍ୟାମେରା, ନିରବିଚ୍ଛିନ୍ ପାନୀୟ ଜଳଯୋଗାଣ, ବିଦୁ୍ୟତ୍ ସେବା, ଅସ୍ଥାୟୀ ଚିକିତ୍ସା ସହାୟତା କେନ୍ଦ୍ରରେ ପର୍ଯ୍ୟାପ୍ତ ଓଆରଏସ୍ ଆମ୍ବୁଲାନ୍ସ ସେବା ଯୋଗାଇ ଦେବା, ଅସ୍ଥାୟୀ ସୂଚନା କେନ୍ଦ୍ର ଖୋଲିବା, ମଦଦୋକାନ ବନ୍ଦ ରଖିବା ଆବଶ୍ୟକ ସ୍ଥଳେ ପୁଲିସ ସହାୟତାରେ ବେଆଇନ ମଦ କାରବାର ରୋକିବାକୁ ଚଢ଼ାଉ କରିବା, ବଡ଼ଦାଣ୍ଡରେ ଦେଖାଦେଇଥିବା ବିଭିନ୍ନ ଅବ୍ୟବସ୍ଥାର ସୁଧାର ଆଣିବା ପାଇଁ ଅଧ୍ୟକ୍ଷା ଶ୍ରୀମତୀ ରଥ ସଂପୃକ୍ତ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଏହି ମହାନ ଗଣପର୍ବରେ ଉପଖଣ୍ଡସ୍ତରୀୟ ପ୍ରଦର୍ଶନୀ ଏବଂ ଭକ୍ତମାନଙ୍କ ମନୋରଞ୍ଜନ ନିମନ୍ତେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯକ୍ରମ ଆୟୋଜନ ପାଇଁ ସ୍ଥିର କରାଯାଇଛି । ଏହି ପ୍ରଥମ ପର୍ଯ୍ୟାୟ ବୈଠକରେ ବାଲେଶ୍ୱର ଜିଲ୍ଲା ସାଂସଦଙ୍କ ପ୍ରତିନିଧି କରୁଣାକର ପଣ୍ଡା, ବାଲେଶ୍ୱର ଜିଲ୍ଲା ଅବକାରୀଅଧିକ୍ଷକ ସନ୍ତୋଷ କୁ.ସେଠୀ, ଉପଖଣ୍ଡ ପୋଲିସ ଅଧିକାରୀ ପ୍ରମୋଦ କୁମାର ମଲ୍ଲିକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିକ୍ରମ କେଶୋରୀ ପରିଡା, ଏନ୍ଏସି ନିର୍ବାହୀ ଅଧିକାରୀ ଅଂଶୁମାନ ପରିଡା, ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଗୋବର୍ଦ୍ଧନ ବିଶ୍ୱାଳଙ୍କ ସମେତ ନୀଳଗିରି ସହରର ବିଭିନ୍ନ ବର୍ଗର ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ, ଆଇନଜୀବୀ, ସମାଜସେବୀ, ବିଭିନ୍ନ ବିଭାଗୀୟ ପଦାଧିକାରୀ ଓ ଗଣମାଧ୍ୟମର ପ୍ରତିନିଧିଗଣ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।