ଜାତୀୟ ସାହିତ୍ୟ ସମାରୋହ ଉଦ୍ୟାପିତ
ସମ୍ବଲପୁର : ପିଢୀ ପରେ ପିଢୀ, ଯୁଗ ପରେ ଯୁଗ ଧରି ତ୍ୟାଗ ଓ ପରିଶ୍ରମ ବଳରେ ବୋହି ଆସିଥିବା ସମ୍ବଲପୁରୀ ଭାଷା ସାହିତ୍ୟର ଧାରାକୁ ବୁହାଇ ଚାଲିବା ଉତ୍ତର ପୁରୁଷଙ୍କ ଦାୟିତ୍ୱ । ଭାଷାର ନାମ ପରିବର୍ତ୍ତନ ଉଦ୍ୟମ କୌଣସି ଅବସ୍ଥାରେ ମଧ୍ୟ ଉଚିତ୍ କିମ୍ବା ଗ୍ରହଣୀୟ ନୁହେଁ । ଏଥିରୁ ସମସ୍ତେ ବିରତ ରହିବା ଆବଶ୍ୟକ ଓ ସମ୍ବଲପୁରୀ ଭାଷା ସାହିତ୍ୟର ଉନ୍ନତି ଦିଗରେ ମନୋନିବେଶ କରିବା ପାଇଁ ସମ୍ବଲପୁର "କଲମ’ ଏବଂ ଗୁଆହାଟୀର "ଆଜିର କବିତା’ ସାହିତ୍ୟ ଅନୁଷ୍ଠାନର ମିଳିତ ସହଯୋଗରେ ଗଙ୍ଗାଧର ମେହେର କଲେଜରେ ଆୟୋଜିତ ସାହିତ୍ୟ ସମାରୋହର ଉଦ୍ୟାପନୀ ଉତ୍ସବରେ ଆହ୍ୱାନ ଦିଆଯାଇଛି । ପ୍ରଥମ ଅଧିବେଶନରେ ସମ୍ବଲପୁରୀ ଏବଂ ଅସମୀୟା ଭାଷା ମଧ୍ୟରେ ଥିବା ସମାନତା ଉପରେ ଆଲୋଚନା ହୋଇଥିଲା । ସତ୍ୟନାରାୟଣ ବହିଦାରଙ୍କ "ଭାଷା ଭିନ ଭିନ ମୁନୁଷ୍ ଗୁଟେ’ ଆହ୍ୱାନକୁ ଆଦର୍ଶ ରୂପେ ଗ୍ରହଣ କରିବାକୁ ଆହ୍ୱାନ ଦିଆଯାଇଥିଲା । ଭାଷା ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ପରସ୍ପର ଭାଷା ପ୍ରତି ଆଦର ଓ ସମ୍ମାନ ବଜାୟ ରହିବା ଆବଶ୍ୟକ ବୋଲି କୁହାଯାଇଛି । କବିତା ଶୀର୍ଷକ ବିଷୟରେ ସଭାପତି ଡ. ଭବେଶ ଦାଶ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ଡ. ଦ୍ୱାରିକା ନାଥ ନାୟକ, ଡ. ଗୋବର୍ଦ୍ଧନ ସାହୁ, ଡ. ମୋହନ ସାହୁ, ଡ. ସତ୍ୟନାରାୟଣ ଠାକୁର, ପଦ୍ମାଳୟା ପଣ୍ଡା, ଦୀପକ ଦାଶ, କରୁଣାକାନ୍ତ ରାୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ସ୍ୱତନ୍ତ୍ର ପ୍ରସ୍ତୁତ ପତ୍ରିକା ଓ ବିଭିନ୍ନ ପୁସ୍ତକ ଉନ୍ମୋଚିତ ହୋଇଥିଲା । ଦ୍ୱିତୀୟ ଅଧିବେଶନରେ ବହୁଭାଷୀ କବିତା ପାଠୋତ୍ସବରେ ବିକ୍ରମାଦିତ୍ୟ ସିଂହ, ତରଣୀସେନ ମେହେର, ଡ. ଅନୁପମା ବିଶ୍ୱାଳ, ବିନୟ ଛଲିହା କବିତା ପାଠ କରିଥିଲେ । ତଫିଜୁଲ ହୁସେନଙ୍କ ଅଧ୍ୟକ୍ଷତାରେ ଏହି ଉଦ୍ୟାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଜୟକୃଷ୍ଣ ବେହେରା, ଲଲିତ ବେବର୍ତ୍ତା, ମନୋଜ ପଣ୍ଡା, ପୁତୁଲ ସୁପ୍ରିୟା ଦାଶ, କାଳିନ୍ଦୀ ପ୍ରତାପ ସିଂହ ପ୍ରମୁଖ ସହଯୋଗ କରିଥିଲେ । ସଭାକୁ କଲେଜର କୁଳପତି ସୁଶାନ୍ତ ଦାଶ, ଉପକୂଳ ସଚିବ ଉମା ଚରଣ ପତି ଏବଂ ସାହିତି୍ୟଜ ପ୍ରଦୀପ ପଣ୍ଡା ଉଦ୍ଘାଟନ କରିଥିଲେ ।