ବିଜେଡିର ବଳଙ୍ଗା ଥାନା ଘେରାଉ: ତୁରନ୍ତ ଗିରଫ ଦାବି

ପୁଲିସ ଛାଉଣୀରେ ପରିଣତ ହୋଇଛି ବଳଙ୍ଗା ଥାନା । ବିଜୁ ଜନତା ଦଳ ବଳଙ୍ଗା ଥାନା ଘେରାଉ କରିଥିବା ବେଳେ ଆଇନଶୃଙ୍ଖଳା ପାଇଁ ଜଗିଛନ୍ତି ୩ ପ୍ଲାଟୁନ୍ ଫୋର୍ସ । ଥାନା ଭିତରକୁ ଧସେଇ ପଶିବାକୁ ବିଜେଡି କର୍ମୀଙ୍କ ଉଦ୍ୟମ ସମୟରେ ପୁଲିସ ସହ ଧସ୍ତାଧସ୍ତି । ବଳଙ୍ଗା ଥାନାରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଛି । ପିପିଲି ଏସଡିପିଓ ଦେବାଶିଷ ମିଶ୍ର କହିଛନ୍ତି ସିସିଟିଭି ଆଧାରରେ ତଦନ୍ତ ଚାଲିଛି । ଏହି ଘଟଣାରେ କାହାକୁ ଅଟକ ରଖାଯାଇନାହିଁ । ଆଜି ସକାଳେ ବଳଙ୍ଗା ପୁଲିସ ୩ ଜଣଙ୍କୁ ଉଠାଇ ନେଇ ପଚରାଉଚରା କରି ଛାଡିଦେଇଥିଲା । ଯେଉଁ ୩ ଜଣଙ୍କୁ ପୁଲିସ ଉଠାଇ ପଚରା ଉଚରା କରୁଛି, ସେମାନେ ୩ ଜଣ ନାବାଳିକାଙ୍କର ବନ୍ଧୁ ବୋଲି ଜଣାପଡିଛି । ଗତକାଲି ପୀଡ଼ିତାଙ୍କ ମା’ଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିବା ବେଳେ ଏମ୍‌ସ ଭୁବନେଶ୍ବରରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୀଡ଼ିତା ମଧ୍ୟ ବୟାନ ଦେଇଥିଲେ ।   ଅନ୍ୟପଟେ ଦିଲ୍ଲୀ ଏମ୍ସ ଅଭିମୁଖେ ବାହାରିଲେ ବଳଙ୍ଗା ପୀଡ଼ିତା । ଭୁବନେଶ୍ବର ଏମ୍ସରୁ ଗ୍ରୀନ୍ କରିଡର ଭିତରେ ତାଙ୍କୁ ଭୁବନେଶ୍ବର ବିମାନବନ୍ଦରକୁ ନିଆଯାଉଛି । ସହରର ଟ୍ରାଫିକ୍ ତଦାରଖ କରୁଛନ୍ତି ଖୋଦ୍ ଟ୍ରାଫିକ୍ ଡିସିପି । ପୀଡ଼ିତାଙ୍କୁ ୧୦ ମିନିଟରେ ବିମାନବନ୍ଦରରେ ପହଞ୍ଚାଯିବ ।  ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମରୁ ୩/୪ ଜଣ ଡାକ୍ତର ପୀଡ଼ିତାଙ୍କ ସହ ଦିଲ୍ଲୀ ଯାଉଥିବା ସୂଚନା ରହିଛି । ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲେ ବି ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ଏମ୍ସ ନିଆଯାଉଥିବା କୁହାଯାଇଛି ।

ପୀଡ଼ିତାଙ୍କ ସହ ତାଙ୍କ ପରିବାର ମଧ୍ୟ ଦିଲ୍ଲୀ ଏମ୍ସ ଯିବେ । ଏପଟେ ଘଟଣାସ୍ଥଳରେ ଜୋରଦାର ତଦନ୍ତ ଚଳାଇଛି ପୁଲିସ । ବଳଙ୍ଗା ଥାନା ଘେରାଉ କରି ନାବାଳିକାଙ୍କୁ ଯଥାଶୀଘ୍ର ନ୍ୟାୟ ଦେବାକୁ ଦାବି କରିଛି ବିଜେଡି । ଶନିବାର ସକାଳୁ ପୀଡ଼ିତା ତାଙ୍କ ସାଙ୍ଗ ଘରକୁ ଯିବାବେଳେ ୩ଜଣ ଯୁବକ ତାଙ୍କୁ ବଳପୂର୍ବକ ଟେକିନେଇ ତାଙ୍କ ଦେହରେ କେରୋସିନ ପକାଇ ନିଆଁ ଲଗାଇ ଦେଇଥିଲେ। କିନ୍ତୁ ସ୍ଥାନୀୟ କିଛି ଲୋକଙ୍କ ପାଇଁ ରକ୍ଷା ପାଇଥିଲେ ପୀଡ଼ିତା । ଏହାପରେ ତାଙ୍କୁ ତୁରନ୍ତ ପିପିଲି ହସ୍ପିଟାଲ ଏବଂ ସେଠାରୁ ଭୁବନେଶ୍ବର ଏମ୍ସକୁ ନିଆଯାଇଥଲା । ଏହାକୁ ନେଇ ବିରୋଧୀ ଏମ୍ସ ଆଗରେ ହଙ୍ଗାମା କରିଥିବାବେଳେ ତାଙ୍କୁ ଦିଲ୍ଲୀ ଏମ୍ସ ଏୟାରଲିଫ୍ଟ କରିବାକୁ ଦାବି କରିଥିଲେ । ଆଜି ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ତାଙ୍କୁ ଦିଲ୍ଲୀ ଏୟାରଲିଫ୍ଟ କରାଯାଉଛି ।