କଳା ପଲସର ଆତଙ୍କ ଝାମ୍ପିନେଲେ ସୁନା ଚେନ୍

 କେନ୍ଦୁଝର : କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ବଡହଳରେ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଲୁଟ ହୋଇଛି । ବାମଦେବ ଦାଶଙ୍କ ପତ୍ନୀ ମୋହିନୀ ଦାଶ(୬୦) ଶୁକ୍ରବାର ସକାଳ ୮ଟା ସମୟରେ ଘର ଅଗଣାରେ ବସିଥିବାବେଳେ ଏକ ନମ୍ବର ବିହୀନ ପଲସର ଗାଡିରେ ଦୁଇଜଣ ଦୁବୁର୍ତ୍ତ ଆସି ତାଙ୍କ ବେକରୁ ସୁନା ଚେନ ଲୁଟ କରି ଫେରାର ହୋଇଯାଇଥିଲେ । ପୁଲିସ ସୂଚନା ପାଇ ବିଭିନ୍ନ ସ୍ଥାନରେ ରାସ୍ତାରେ ଯାଞ୍ଚ କରିଥିଲେ ମଧ୍ୟ ଲୁଟେରାଙ୍କୁ ଧରିବାରେ ବିଫଳ ହୋଇଛି । ସୂଚନାଯୋଗ୍ୟ କେନ୍ଦୁଝର ସହରରେ କଳା ପଲସର ଲୁଟେରାମାନେ ଏକାଧିକ ସ୍ଥାନରୁ ମହିଳାଙ୍କ ବେକରୁ ସୁନା ହାର ଲୁଟ କରୁଥିବା ଅଭିଯୋଗ ହୋଇଛି  । ଲୁଟେରା ଗ୍ୟାଙ୍ଗ ଗତ ୩ ଦିନ ମଧ୍ୟରେ ସିରିଜ୍ ଲୁଟ୍ କରି ପୁଲିସ ପାଇଁ ଚିନ୍ତାର କାରଣ ହୋଇଛନ୍ତି । ଗତ ତିନି ଦିନରେ ଏକାଧିକ ଲୁଟକୁ ନେଇ ସମଗ୍ର ସହରରେ ଆତଙ୍କ ଖେଳି ଯାଇଥିବାବେଳେ ଲୋକମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ବିଶେଷ କରି କେନ୍ଦୁଝର ସହର ନିକଟବର୍ତ୍ତୀ ନରଣପୁର, ମଣ୍ଡୁଆ, ଡିମ୍ବୋ, ଗୋବିନ୍ଦପୁର, ମାଇନିଂ ରୋଡ, ବଡହଳ, ଗୁମୁରା, ମାଧପୁର ଛକ, ବେଲଦା, ଶଙ୍କରପୁର, ଘୁଟୁରୁ, ଜୁଡିଆ, ଧାଙ୍ଗରପଡା, ଧୃପଦା,ବାଲିଆଗୋଡା,ରାଇସୁଆଁ ର ମୁଖ୍ୟ ରାସ୍ତାରେ ସିସି କ୍ୟାମେରା ଲଗାଯିବା ଆବଶ୍ୟକ ହୋଇପଡିଛି । ଲୋକଙ୍କ ସୁରକ୍ଷା ପାଇଁ ସିସିଟିଭି ବ୍ୟବସ୍ଥା ସହରର ପ୍ରମୁଖ ସ୍ଥାନରେ ଲଗାଇବାକୁ ଦାବୀ ହୋଇଛି ।