ଆଦିବାସୀ ଜମିପଟ୍ଟାରୁ ବିବାହିତାଙ୍କୁ ବାଦ୍‌ ଦିଆଯାଉ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର 

ବୈଶିଙ୍ଗା : ଆଦିବାସୀଙ୍କ ଜମି ପଟ୍ଟାରୁ ବିବାହିତାଙ୍କୁ ବାଦ୍‌ ଦେବା ପାଇଁ ଦାବି କରାଯାଇଛି । ଏ ନେଇ ବେତନଟୀ ବ୍ଲକ ପେସା ଗ୍ରାମସଭା ସଂଯୋଜ କମିଟି ପକ୍ଷରୁ ପୂର୍ବରୁ ତହସିଲଦାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିବାବେଳେ ଗୁରୁବାର କଳମା ପଞ୍ଚାୟତରେ ଥିବା ମେଲାଡାଙ୍ଗର ପେସା ଗ୍ରାମସଭା ଓ ଗଡଦେଉଳିଆ ପଞ୍ଚାୟତର ଶଙ୍ଖସାହି ଓ ଭାନପୁର ପେସା ଗ୍ରାମସଭା ମିଳିତରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଡଦେଉଳିଆ ରାଜସ୍ୱ ନିରୀକ୍ଷକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଆଦିବାସୀଙ୍କ ଜମି ରେକର୍ଡ କଲମ୍‌ରେ ବିବାହିତା ମହିଳା ସଦସ୍ୟଙ୍କ ନାମ ଅନ୍ତର୍ଭୁକ୍ତ କିମ୍ବା ରେକର୍ଡ ନ କରିବା ପାଇଁ ଦାବି ହୋଇଛି । ଯେଉଁ ଆଦିବାସୀ ବିବାହିତା ମହିଳାଙ୍କ ନାମ ପୂର୍ବରୁ ପୈତୃକ ସମ୍ପତ୍ତିରେ ଅନ୍ତର୍ଭୁକ୍ତ ହୋଇସାରିଛି ତାଙ୍କ ନାମ ଜମି ରେକର୍ଡ କଲମ୍‌-୨ରୁ ବାଦ୍‌ ଦେବା, ତୁରନ୍ତ ପେସା ନିୟମ ପ୍ରସ୍ତୁତ କରିବା ଏବଂ ରାଜ୍ୟ ଅନୁସୂଚିତ ଅଞ୍ଚଳରେ ପେସା ଆଇନ ୧୯୯୬କୁ କଡାକଡି କାର୍ଯ୍ୟକାରୀ କରିବା ପାଇଁ ଦାବି କରାଯାଇଛି । ଦାବିପତ୍ର ପ୍ରଦାନ ବେଳେ ଦୁର୍ଗା ମାଝି, ଜଗବନ୍ଧୁ ମାଝି, ସୋରଜ ଟୁଡୁ, ବୈଦ୍ୟନାଥ ମାରାଣ୍ଡି, ବାଣ୍ଠୁ ମାରାଣ୍ଡି, ମଙ୍ଗଲ ହାଁସଦାଃ, ସମ୍ବରାୟ ହେମ୍ବ୍ରମ୍‌, ଘନଶ୍ୟାମ ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ ।