ଅଞ୍ଚଳବାସୀଙ୍କ ବିରୋଧ ବନ୍ଦ ରହିଲା : ୱେଷ୍ଟ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ଶୁଣାଣି
ଢେଙ୍କାନାଳ : ଏକ ବାୟୋ ମେଡିକାଲ ୱେଷ୍ଟ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ନିର୍ମାଣ ନିମନ୍ତେ ଅନୁଷ୍ଠିତ ହୋଇଥିବା ଜନ ଶୁଣାଣି ଶିବିର ଜନସାଧାରଣଙ୍କ ପ୍ରବଳ ବିରୋଧ ଯୋଗୁଁ ବନ୍ଦ ହୋଇଛି । ପ୍ରକାଶ ଯେ, ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ସୀମାନ୍ତରେ ଥିବା ଦଶମାଣପାଟଣା ଗ୍ରାମ ପଞ୍ଚାୟତର ବାଲିପସୀ ଗ୍ରାମ ଠାରେ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକର ବଜ୍ୟବସ୍ତୁକୁ ନେଇ ଏକ ବାୟୋ ମେଡିକାଲ ୱେଷ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ ପାଇଁ ଦ୍ୱିତୀୟ ବାର ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । କିନ୍ତୁ ଉକ୍ତ ଶିବିର ଆରମ୍ଭରୁ ପଞ୍ଚାୟତର ଅସନବାହାଲୀ, ବାଲିପସୀ, କରନ୍ଦା, ଦଶମାଣପାଟଣା ମଞ୍ଜୁରୀପଡ଼ା ରାଜସ୍ୱ ଗ୍ରାମର ଜନସାଧାରଣଙ୍କ ସମେତ ପାଖ ଯାଜପୁର ଜିଲ୍ଲାର କିଛି ଗ୍ରାମର ଜନସାଧାରଣ ମଧ୍ୟ ଏହି ଶିବିରରେ ଉପସ୍ଥିତି ରହି ଉକ୍ତ ପ୍ଲାଣ୍ଟ ଏଠାରେ ନ କରିବା ପାଇଁ ଦୃଢ ଦାବି ଜଣାଇଥିଲେ । ପୂର୍ବରୁ ଉକ୍ତ ସ୍ଥାନରେ ପ୍ରଥମ ଜନ ଶୁଣାଣି ଶିବିର ଗତ ମାସ ୧୧ତାରିଖ ଦିନ ଅନୁଷ୍ଠିତ ହୋଇଥିଲା । ଏହି ଶୁଣାଣି ଶିବିରକୁ ସ୍ଥାନୀୟ ଲୋକେ ପ୍ରବଳ ମାତ୍ରାରେ ବିରୋଧ କରିବା ଫଳରେ ଆରମ୍ଭ ପୂର୍ବରୁ ଶିବିରକୁ ବନ୍ଦ କରାଯାଇଥିଲା । ଯଦି ଏହି ଅସନବାହାଳୀ ମୌଜାର ଖତିୟାନ ୧୨୩/୧୨୪ରେ ଉକ୍ତ ପ୍ଲାଣ୍ଟଟି ନିର୍ମିତ ହୁଏ, ତାହାହେଲେ ବିଶେଷ ଭାବରେ ଉକ୍ତ ପଂଚାୟତର ଅସନବାହାଳୀ ଓ ବାଲିପସୀ ଗ୍ରାମର ଜନସାଧାରଣ ଓ ବସ୍ତି ବାସିନ୍ଦା ବିଶେଷ ଭାବରେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଲୋକମାନଙ୍କ ମଧ୍ୟରେ ସୃଷ୍ଟି ହୋଇଛି । ଏଠାରେ ଏହି ପ୍ଲାଣ୍ଟ ନିର୍ମାଣ ନ କରିବାକୁ ପଞ୍ଚାୟତବାସୀ ସ୍ଥାନୀୟ ସରପଞ୍ଚଙ୍କ ମାଧ୍ୟମରେ ଏକ ଲିଖିତ ଅଭିଯୋଗ ରାଜ୍ୟ ପ୍ରଦୁ୍ୟଷଣ ବୋର୍ଡÿକୁ ଦେଇଛନ୍ତି । ଅନ୍ୟପକ୍ଷରେ ଏ ନେଇ କମ୍ପାନୀ ନିଦେ୍ର୍ଦଶକ କୁହନ୍ତି ଯେ, ଏଠାରେ ଉକ୍ତ ବର୍ଜ୍ୟବସ୍ତୁ ବାୟୋ ପ୍ଲାଣ୍ଟ ବସିଲେ ସେପରି କୌଣସି କ୍ଷତି ଜନସାଧାରଣଙ୍କର ହେବ ନାହିଁ । ଉକ୍ତ ପ୍ଲାଣ୍ଟ ମୁଖ୍ୟତଃ ଭୂତଳ ଜଳ ବ୍ୟବହାର କରିବ ଓ ସେହି ୱେଷ୍ଟ ଜଳକୁ ପୁଣି ବ୍ୟବହାର କ୍ଷମ ହେବ । କିନ୍ତୁ ଏଠିକାର ଅଧିବାସୀ କହନ୍ତି ଯେ, ଯଦି ଏଠାରେ ଉକ୍ତ ପ୍ଲାଣ୍ଟ ହୁଏ, ତାହାଲେ ଆମମାନଙ୍କର ବହୁତ କ୍ଷୟକ୍ଷତି ହେବାର ସମ୍ଭାବନା ଜଳ ଜଳ କରି ଦିଶୁଛି; ମାରିବୁ ପଛେ ଏହି ମାଟିରେ ଉକ୍ତ ପ୍ଲାଣ୍ଟ ବସାଇ ଦେବୁନାହିଁ ବୋଲି ଆଜିର ଦ୍ୱିତୀୟ ଶୁଣାଣି ଶିବିରରେ ପଞ୍ଚାୟତବାସୀଙ୍କର ଶାଣିତ ଭାବରେ ମିଳିତ ଶ୍ୱର ଶୁଣିବାକୁ ମିଳିଥିଲା । ଯାହାଫଳରେ ଶିିବିରକୁ ବନ୍ଦ କରାଯାଇଥିଲା । ଘଟଣାସ୍ଥଳରେ ସ୍ଥାନୀୟ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ, ତହସିଲଦାର ସତ୍ୟଜିତ ମହାପାତ୍ର, ଏସଡ଼ିପିଓ ରମେଶ ଚନ୍ଦ୍ର ଦୋରା, ନିହଲପ୍ରସାଦ ଥାନା ଅଧିକାରୀ ନିରୋଦ କୁମାର ମଲିକଙ୍କ ସମେତ ଏକ ପ୍ଲାଟୁନ ପୋଲିସ ଫୋର୍ସ ଘଟଣା ସ୍ଥଳରେ ଉପସ୍ଥିତ ରହିଥିଲେ ।