କିନ୍ନର ହତ୍ୟାକାରୀକୁ ଆଜୀବନ ଦଣ୍ଡ: ୧୦ ହଜାର ଜରିମାନା

 କେନ୍ଦୁଝର : ଗତ ୨୦୨୧ ମସିହାର ଏକ ହତ୍ୟା ମାମଲାର ଚୁଡାନ୍ତ ବିଚାର କରି କେନ୍ଦୁଝର ଜିଲ୍ଲା ଓ ଦୌରାଜଜ୍ ଗୋପାଳ ଚନ୍ଦ୍ର ବେହେରା ଅଭିଯୁକ୍ତ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ଏବଂ ୧୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । କୋର୍ଟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଯାଜପୁର ଜିଲ୍ଲା ସାନ୍ତରାଗାଡିଆ ନିକଟସ୍ଥ ବାଙ୍ଗରାକଟ୍ ଗ୍ରାମର ସଦାଶିବ ସାମଲ ଓରଫ୍ ଟିକ (୩୯) କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଅଞ୍ଚଳରେ ସନ୍ଧ୍ୟା କିନ୍ନର(୩୦)ଙ୍କୁ ବିବାହ କରି ସ୍ୱାମୀ-ସ୍ତ୍ରୀ ଭାବେ ୬ ବର୍ଷ କାଳ ରହି ଆସୁଥିଲେ । କିଛିଦିନ ପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇ ସଦାଶିବ ସାମଲ ସନ୍ଧ୍ୟା କିନ୍ନରଙ୍କୁ ଛାଡି ଅନ୍ୟତ୍ର ପଳାଇ ଯାଇଥିଲେ । ହଠାତ୍ ସେଯିବାର ଏକ ମାସ ପରେ ତା ୧୯ା୧୦ା୨୦୨୧ ରିଖରେ ସଦାଶିବ ଦୈତାରୀ ଅଞ୍ଚଳକୁ ସନ୍ଧ୍ୟା ରହୁଥିବା ଭଡା ଘରକୁ ଯାଇଥିଲେ । ସେ ଭଡାଘରେ ପହଁଚିବାର କିଛି ସମୟ ପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଓ ଝଗଡା ହୋଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ସଦାଶିବ ଘର କୋଣରେ ଥିବା ଏକ କୋଦାଳକୁ ଆଣି ସନ୍ଧ୍ୟା କିନ୍ନରଙ୍କ ମୁଣ୍ଡକୁ ହାଣି ଦେଇଥିଲେ । ଫଳରେ ଘଟଣାସ୍ଥଳରେ ସନ୍ଧ୍ୟା କିନ୍ନରଙ୍କ ମୃତୁ୍ୟ ହୋଇଥିଲା । ହତ୍ୟା ସଂପର୍କରେ ବିନିତା କିନ୍ନର ନାମକ ଜଣେ ଦୈତାରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଦୈତାରୀ ଥାନା ପୋଲିସ କେଶ ନଂ ୭୪/୨୦୨୧ ଦଫା ୩୦୨ ଅନୁସାରେ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲା । ମାମଲାଟି କେନ୍ଦୁଝର ଜିଲ୍ଲା ଦୌରାଜଜ୍ଙ୍କ କୋର୍ଟରେ ବିଚାରଧିନ ଥିଲା । ଶୁକ୍ରବାର ଦିନ ଜିଲ୍ଲା ଓ ଦୌରାଜଜ୍ ଗୋପାଳ ଚନ୍ଦ୍ର ବେହେରା ଏହି ମାମଲାର ବିଚାର କରି ୮ ଜଣ ସାକ୍ଷୀ ଓ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ,୧୦ ହଜାର ଟଙ୍କା ଜୋରିମାନା, ଜୋରିମାନା ଅନାଦେୟ ଅଧିକ ୧ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି । ସରକାରଙ୍କ ତରଫରୁ ମାମଲାଟିକୁ ପିପି ପ୍ରଦୀପ କୁମାର ଦାଶ ପରିଚାଳନା କରୁଥିଲେ ।