ଜିଲ୍ଲାସ୍ତରୀୟ ଭିଜିଲାନ୍ସ ଓ ମନିଟରିଂ ବୈଠକ
ପୁରୀ : ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଜିଲ୍ଳାସ୍ତରୀୟ ଭିଜିଲାନ୍ସ ଓ ମନିଟରିଂ ବୈଠକ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ଚଞ୍ଚଳ ରଣା ଅଧ୍ୟକ୍ଷତା କରିଥିଲେ । ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଆଇନରେ ରହିଥିବା ବ୍ୟବସ୍ଥା ଅନୁଯାୟୀ ସେମାନଙ୍କୁ ସହଯୋଗ କରିବା ପାଇଁ ନିଦେ୍ର୍ଧଶ ଦିଆଯାଇଥିଲା । ସେମାନଙ୍କ ପ୍ରତି ନିର୍ଯ୍ୟାତନା କ୍ଷେତ୍ରରେ ସହାୟତା, ଆନ୍ତଃଜାତି ବିବାହ କ୍ଷେତ୍ରରେ ସହାୟତା ପାଇଁ ସଚେତନତା ସୃଷ୍ଟି ଉପରେ ଜିଲ୍ଳାପାଳ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ ଯେ ଅନେକ ସମୟରେ ମାମଲା ଗୁଡ଼ିକର ସତ୍ୟତା ଓ ଜାତିଗତ ପ୍ରମାଣପତ୍ର ସଂପର୍କରେ ପ୍ରଶ୍ନ ଉଠିଥାଏ । ତେଣୁ ଯୁଗ୍ମ ତଦନ୍ତ ସମୟରେ ସଠିକ୍ ଭାବରେ ତା’ର ଅନୁଧ୍ୟାନ କରାଯିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ପୁରୀ ବିଧାୟକ ସୁନୀଲ କୁମାର ମହାନ୍ତି ଓ ସତ୍ୟବାଦୀ ବିଧାୟକ ଓମ୍ପ୍ରକାଶ ମିଶ୍ର ବ୍ୟାପକ ସଚେତନତା ମାଧ୍ୟମରେ ହିତାଧିକାରୀମାନଙ୍କୁ ଅବଗତ କରାଇବା, ମାମଲା ଗୁଡ଼ିକର ସଠିକ୍ ଅନୁଧ୍ୟାନ ତଥା ସାହଯ୍ୟ କରିବା ନାମରେ ଫାଇଦା ଉଠାଇବାକୁ ଚାହୁଁଥିବା କିଛି ବ୍ୟକ୍ତିଙ୍କ ସଂପର୍କରେ ତଦନ୍ତ କରାଯିବାକୁ କହିଥିଲେ । ବୈଠକରେ ସୂଚନା ଦିଆଯାଇଥିଲା ଯେ କ୍ଷତିଗ୍ରସ୍ତ ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ପୂର୍ବରୁ ଅଫ୍ଲାଇନ୍ରେ ଆବେଦନ କରିବାକୁ ପଡ଼ୁଥିଲା । ୨୦୨୨ ମସିହା ଅକ୍ଟୋବର ୧୨ ତାରିଖରୁ ଅନ୍ଲାଇନ୍ ‘ସାକାର’ ପୋର୍ଟାଲରେ ଆବେଦନ ଗ୍ରହଣ କରାଯାଉଛି । ଏହି ବ୍ୟବସ୍ଥାରେ ୨୦୨୩ରେ ୪୪ଟି, ୨୦୨୪ରେ ୩୬ଟି ଓ ୨୦୨୫ ମସିହା ଜୁଲାଇ ୧୧ ତାରିଖ ପର୍ଯ୍ୟନ୍ତ ଗୋଟିଏ, ଏହିଭଳି ୮୧ଟି ମାମଲାରେ ୧୦୬ଜଣଙ୍କୁ ୧କୋଟି ୧୮ଲକ୍ଷ ୬୨ହଜାର ୫ଶହ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ୮୩୪ଟି ମାମଲା ମଧ୍ୟରୁ ୭୧୮ଟିର ଯୁଗ୍ମ ତଦନ୍ତ ଶେଷ ହୋଇଥିବା ବେଳେ ୧୧୬ଟି ବକେୟା ରହିଛି । ଆନ୍ତଃ ଜାତି ବିବାହ କ୍ଷେତ୍ରରେ ୨୦୨୩-୨୪ଠାରୁ ଚଳିତ ବର୍ଷ ଜୁଲାଇ ୧୧ ତାରିଖ ପର୍ଯ୍ୟନ୍ତ ୩୪୧ଟି ଦମ୍ପତୀ ଉପକୃତ ହୋଇଛନ୍ତି । ସେମାନଙ୍କୁ ୮କୋଟି ୧୯ଲକ୍ଷ ୫୦ହଜାର ଟଙ୍କା ପ୍ରଦାନ କରାଯାଇଛି ।