ଆର୍ଥିକ ଅନଟନରେ ବର୍ଷିଆନ୍ କଳାକାର
ଜଟଣୀ: ଜଟଣୀ ମୁନିସିପାଲିଟି ୪ ନଂ ୱାର୍ଡ ଅନ୍ତର୍ଗତ ରାଜାବଜାର ସୀତାରାମ କଲୋନୀର ବାସିନ୍ଦା ଆଦିକନ୍ଦ ସାହୁ । ପେସାରେ ଜଣେ ଦୃଷ୍ଟିହିନ ତବଲା କଳାକାର । କଳାକାର ଭତ୍ତାରେ ମାସକୁ ରୋଜଗାର ୨ ହଜାର ଟଙ୍କା । ଦୀର୍ଘ ୫୫ ବର୍ଷ ଧରି ଏହିଘରେ ରହିଆସୁଛନ୍ତି । ବଡ ଦୁଃଖର ବିଷୟ ପାଖ ପଡୋଶୀଙ୍କ ଗୃହକାର୍ଯ୍ୟ ବେଳେ, ଇଟା ପଥର ଖସି ଆଜବେଷ୍ଟସ ଫାଟି ଦୀର୍ଘ ୮ ବର୍ଷ ହେବ ପାଣି ଗଳୁଛି । ବର୍ଷାଦିନେ ଘର ଭିତରେ ପ୍ରାୟ ଏକ ଫୁଟ୍ ଉଚ୍ଚର ପାଣି ଜମିବା ଦ୍ୱାରା ଚଳିବା ସମ୍ଭବପର ହେଉପାରୁନାହିଁ । ଉଲ୍ଲେଖ ଯୋଗ୍ୟ ଯେ, ସେ ତୃତୀୟ ଶ୍ରେଣୀରେ ପଢୁଥିବା ସମୟରେ ଦୃଷ୍ଟି ଶକ୍ତି ହରାଇଥିଲେ । ପିଲାଟି ଦିନରୁ ସଂଗୀତ କଳା ସଂସ୍କୃତି ଉପରେ ତାଙ୍କର ବହୁ ଆଗ୍ରହ ପ୍ରକାଶ ପାଇଥିଲା । ସମୟ କ୍ରମେ ତାଙ୍କ ପରିବାରର ସମସ୍ତ ସଦସ୍ୟ ଦୁରାବ୍ୟାଧିରେ ପଡ଼ି ଆରପାରିକୁ ଚାଲିଯାଇଥିବା ବେଳେ, ଆଦିକନ୍ଦ ଜଣେ ଭିନ୍ନକ୍ଷମ ହୋଇଥିବା ସ୍ଥଳେ ବହୁ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି । ବୟସ ବର୍ତ୍ତମାନ ତାଙ୍କୁ ୫୯ । ଦିନଥିଲା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ତବଲା ପରିବେଷଣ ହେଉବା ଅନ୍ୟ କୌଣସି ପାଲା ପେଣ୍ଡଲରେ ତାଙ୍କୁ ଖୋଜା ପଡୁଥିଲା । ସେଥିରୁ ଉପାର୍ଜିତ ଅର୍ଥ ଓ ତବଲା ବାଦନ ପ୍ରଶିକ୍ଷଣରୁ ଅର୍ଥରୁ ସେ ଚଳି ଯାଉଥିଲେ । ଅନ୍ୟାନ୍ତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଜଗନ୍ନାଥ ଜମି ଜାଗାରେ ପକ୍କା ଘର ମଞ୍ଜୁର ହେଉନାହିଁ ଯାଦ୍ୱାରା କୌଣସି ସରକାରୀ ସୁବିଧା ନ ପାଇ ଆଦିକନ୍ଦ ଦୁଃଖରେ କାଳାତିପାତ କରୁଛନ୍ତି ବୋଲି ତାଙ୍କର ଜଣେ ଛାତ୍ର ଦେବାଶିଷ ମହାପାତ୍ର ପ୍ରକାଶ କରିଛନ୍ତି । ଯଦି ସରକାରଙ୍କ ତରଫରୁ ପକ୍କା ଘରଟିଏ ଯୋଗାଇ ଦିଆ ଯାଆନ୍ତା ତଥା ଉକ୍ତ ଆଜବେଷ୍ଟସ ଘର ମରାମତି ନିମନ୍ତେ କିଛି ଆର୍ଥିକ ସହାୟତା ମିଳିପାରନ୍ତା ତେବେ ସେ ଉପକୃତ ହୁଅନ୍ତେ ବୋଲି ପ୍ରକାଶ କରିବା ସହିତ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ।