ଦଲାଇଲାମାଙ୍କ ପୁନର୍ଜନ୍ମ ଓ ଭୟଭୀତ ଚୀନ  

ଡ. ସମନ୍ୱୟ ନନ୍ଦ : 
ତିବ୍ଦତର ସର୍ବୋଚ୍ଚ ଧର୍ମଗୁରୁ ଓ ଜୀବନ୍ତ ବୁଦ୍ଧ ଭାବେ ସ୍ୱୀକାର କରାଯାଉଥିବା ଦଲାଇଲାମା ପୁଣି ଥରେ ସ୍ପଷ୍ଟ କରି ଦେଇଛନ୍ତି ଯେ ଦଲାଇଲାମା ସଂସ୍ଥା ସମାପ୍ତ ହେବ ନାହିଁ ଓ ତାଙ୍କର ପୁନର୍ଜନ୍ମ ନିଶ୍ଚିତ ଭାବରେ ହେବ  । ୯୦ ବର୍ଷ ବୟସରେ ଉପନୀତ ହୋଇଥିବା ଦଲାଇଲାମା ଚୀନ ଓ ନିଜର ଅନୁଯାୟୀ ମାନଙ୍କୁ ସ୍ପଷ୍ଟ ଭାଷାରେ ବାର୍ତ୍ତା ଦେଇଛନ୍ତି ଯେ ଆଗାମୀ ଦଲାଇଲାମା କିଏ ହେବ ତାହାର ନିଷ୍ପତ୍ତି ଆଧ୍ୟାତ୍ମିକ ଭାବେ କରାଯିବ  । ଶହ ଶହ ବର୍ଷର ତିବ୍ଦତୀୟ ପରମ୍ପରା ଅନୁସାରେ ତାଙ୍କର ପୁନର୍ଜନ୍ମ ହେବ ଓ ତାଙ୍କର ସହଯୋଗୀ ବିଶ୍ୱସ୍ତ ବୌଦ୍ଧ ଭିକ୍ଷୁମାନଙ୍କର ଏକ ସମୂହ ନିକଟରେ ତାଙ୍କର ଉତ୍ତରାଧିକାରୀକୁ ଚିହ୍ନଟ କରିବା ନିମନ୍ତେ ସମ୍ପୂର୍ଣ୍ଣ ଅଧକାର ରହିବ  । ଏହା ଏକ ଦୀର୍ଘ ପ୍ରକ୍ରିୟା ହୋଇଥାଏ ଯେଉଁଥିରେ ଏକ ଶିଶୁକୁ ଖୋଜା ଯାଏ ଯେଉଁଥିରେ ଦଲାଇଲାମାଙ୍କ ଆତ୍ମାର ପୁନର୍ଜନ୍ମ ହୋଇଥାଏ  । ଦଲାଇଲାମା ଏହି ଅବସରରେ ନିଜର ଭିକ୍ଷୁମାନଙ୍କୁ କହିଛନ୍ତି ଏହି ବିଷୟରେ ହସ୍ତକ୍ଷେପ କରିବାର କାହାର କୌଣସି ଅଧିକାର ନାହିଁ  । 
ଦଲାଇଲାମାଙ୍କ ଏହି ଘୋଷଣା ବାସ୍ତବରେ କମ୍ୟୁନିଷ୍ଟ ଚୀନକୁ ଏକ ବଡ ବାର୍ତ୍ତା ବୋଲି ମନେ କରାଯାଉଛି  । କାରଣ କମ୍ୟୁନିଷ୍ଟ ଚୀନ ସରକାରକୁ ସେ ସ୍ପଷ୍ଟ ଶବ୍ଦରେ ସୂଚାଇ ଦେଇଛନ୍ତି ଯେ ଦଲାଇଲାମା କେଉଁଠି ଜନ୍ମ ନେବେ ଓ ତାଙ୍କର ଚୟନ କରିବାର ଅଧିକାର କେବଳ ତାଙ୍କର ଓ ତାଙ୍କର ସହଯୋଗୀ ଭିକ୍ଷୁ ମାନଙ୍କର ରହିଛି  । ଚୀନ ଏହା ପୂର୍ବରୁ ବାରମ୍ବାର କହି ଆସିଥିଲା ଯେ ଆଗାମୀ ଦଲାଇଲାମାଙ୍କୁ ଚୟନ କରିବାର ଅଧିକାର କେବଳ ଚୀନ ସରକାରଙ୍କ ନିକଟରେ ଅଛି  ।
ଦଲାଇଲାମାଙ୍କ ବର୍ତ୍ତମାନର ଏହି ଘୋଷଣାକୁ ମଧ୍ୟ ଚୀନ ସହଜରେ ଗ୍ରହଣ କରିପାରିନାହିଁ  । କାରଣ ଚୀନ ଜାଣିଛି ଯେ ଏପରି ହେବା ଦ୍ୱାରା ଚୀନର ଲକ୍ଷ୍ୟ ସାଧିତ ହେବ ନାହିଁ  । ତେଣୁ ଚୀନ ସରକାର ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ କୌଣସି ପୁନର୍ଜନ୍ମକୁ ସେତେବେଳେ ମାନ୍ୟତା ପ୍ରଦାନ କରାଯିବ ଯେତେବେଳେ ଚୀନର କମ୍ୟୁନିଷ୍ଟ ସରକାର ତାକୁ ଅନୁମୋଦନ ଦେବ  । ଚୀନର କମ୍ୟୁନିଷ୍ଟ ସରକାର କହିଛି ଯେ ୨୦୦୭ ମସିହାର ଆଇନ ଅନୁସାରେ ପୁନର୍ଜନ୍ମର ଅଧିକାର କେବଳ ଚୀନ ସରକାରଙ୍କ ଅଧୀନରେ ରହିଛି  ।  ତେବେ ଏଠାରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ଦଲାଇଲାମା ଓ ତାଙ୍କର ପୁନର୍ଜନ୍ମକୁ ନେଇ ଚୀନ ଏତେ ଚିନ୍ତିତ କାହିଁକି? ଦଲାଇଲାମା କେଉଁଠି ଜନ୍ମ ହେବେ, ସେ କାହା ଶରୀର ଧାରଣ କରି ପୁନର୍ଜନ୍ମ ନେବେ ଏହା ସହିତ କମ୍ୟୁନିଷ୍ଟ ଚୀନର କଣ ସମ୍ପର୍କ ରହିଛି ? ଚୀନର ଏହି ଚିନ୍ତା ପଛରେ ବଡ ରହସ୍ୟ ରହିଛି  । ଯଦିଓ ଚୀନ ତିବ୍ଦତକୁ ସାତ ଦଶନ୍ଧିରୁ ଅଧିକ ସମୟ ହେଲାଣି ବଳପୂର୍ବକ ଅଧିକାର କରି ରଖିଛି ଓ ତିବ୍ଦତୀୟ ମାନଙ୍କ ସହ ସମସ୍ତ ପ୍ରକାର ପାଶବିକ ଅତ୍ୟାଚାର କରି ଆସୁଛି ତଥାପି ସେମାନଙ୍କ ମନରୁ ତିବ୍ଦତୀୟ ରାଷ୍ଟ୍ରୀୟତା ବା ତିବ୍ଦତୀୟତାର ଧାରଣାକୁ ଦୂର କରିବାରେ ସଫଳ ହୋଇନାହିଁ  । ଏହାର କାରଣ ହେଲା ଦଲାଇଲାମା ହେଉଛନ୍ତି ତିବ୍ଦତୀୟ ରାଷ୍ଟ୍ରୀୟତାର ପ୍ରତୀକ  । ଯଦିଓ ତିବ୍ଦତର ଭୂମି ଚୀନର ଅଧିକାରରେ ଅଛି, ଦଲାଇଲାମା ଚୀନର ଅଧିକାରରେ ନାହାନ୍ତି  । ତେଣୁ ତିବ୍ଦତର ଲୋକମାନେ ମନେକରନ୍ତି ଯେ ପର୍ଯ୍ୟନ୍ତ ଦଲାଇଲାମା ସ୍ୱାଧୀନ ଅଛନ୍ତି ସେପର୍ଯ୍ୟନ୍ତ ତିବ୍ଦତର ରାଷ୍ଟ୍ରୀୟତା ବା ତିବ୍ଦତୀୟତା ପରାଧୀନ ହୋଇ ନାହିଁ  । କମ୍ୟୁନିଷ୍ଟ ଚୀନ ଗତ ସାତ ଦଶନ୍ଧିରୁ ଊଦ୍ଧ୍ୱର୍ ସମୟ ଧରି ତିବ୍ଦତର ସାଧାରଣ ଲୋକ ମାନଙ୍କ ମାନସପଟରୁ ତିବ୍ଦତୀୟତାକୁ ସମାପ୍ତ କରିବାକୁ ଅନେକ ଷଡଯନ୍ତ୍ର କରି ଆସିଛି  । ବୌଦ୍ଧମଠଗୁଡିକୁ ଚୀନର କମ୍ୟୁନିଷ୍ଟ ସରକାର ନଷ୍ଟ କରୁଛି  । ବୌଦ୍ଧ ଭିକ୍ଷୁମାନଙ୍କୁ ସେମାନଙ୍କର ଉପାସନା କରିବାକୁ ଦେଉନାହିଁ  । ମଠଗୁଡିକର ଅଧିକାରକୁ ସଂକୁଚିତ କରୁଛି  । ତିବ୍ଦତରେ ହାନ୍ ଜାତିର ଲୋକ ମାନଙ୍କୁ ବସବାସ କରାଇ ତିବ୍ଦତୀୟ ଝିଅ ମାନଙ୍କ ସହ ଜୋର ଜବରଦସ୍ତି ବିବାହ କରାଇ ତିବ୍ଦତୀୟ ମାନଙ୍କୁ ସଂଖ୍ୟାଲଘୁ କରିବାକୁ ଚେଷ୍ଟା କରି ଆସୁଛି  । ଯଦି କାହା ନିକଟରେ ଦଲାଇଲାମାଙ୍କ ଫଟୋ ଚୀନର କମ୍ୟୁନିଷ୍ଟ ସରକାର ପାଏ ତେବେ ତାକୁ ସଙ୍ଗେ ସଙ୍ଗେ ଜେଲର କାଳ କୋଠରୀରେ ପୂରାଇଥାଏ  । ଦମନର ଏହି ପ୍ରକ୍ରିୟା ଅନବରତ ଚାଲି ଆସିଛି  । ଏ ସବୁ ସତ୍ତ୍ୱେ ତିବତୀୟଙ୍କ ମନରେ ଦଲାଇଲାମାଙ୍କ ପ୍ରତି ଶ୍ରଦ୍ଧା ଅର୍ଥାତ ତିବ୍ଦତୀୟତା ସମାପ୍ତ ହୋଇ ନାହିଁ  । ଦଲାଇଲାମାଙ୍କ ତିବ୍ଦତର ଲୋକମାନଙ୍କ ମାନସରେ ଏହି ପ୍ରଭାବ କାରଣରୁ କମ୍ୟୁନିଷ୍ଟ ଚୀନ ସର୍ବଦା କରୁଣା ଓ ପ୍ରେମର ଅବତାର ଦଲାଇଲାମାଙ୍କ ପ୍ରତି ଗାଳିଗୁଲଜର ଭାଷା ପ୍ରୟୋଗ କରି ଆସିଛି  । କମୁନିଷ୍ଟ ଚୀନ ତାଙ୍କୁ ସାଧୁଙ୍କ ବସ୍ତ୍ରରେ ଜଣେ କୋକିଶିଆଳୀ ବୋଲି ବାରମ୍ବାର କହିଥାଏ  । ଏଥିରୁ ଚୀନର ଦଲାଇଲାମାଙ୍କ ପ୍ରତି ଘୃଣା ସ୍ପଷ୍ଟ ହୋଇଥାଏ  । ଦଲାଇଲାମା କେଉଁ ଦେଶକୁ ଗଲେ ସେହି ଦେଶ ଉପରେ ଚାପ ପ୍ରୟୋଗ କରି ତାଙ୍କର ଗସ୍ତକୁ ରଦ୍ଦ କରିବାକୁ ଚେଷ୍ଟା କରିଥାଏ  । 
କମ୍ୟୁନିଷ୍ଟ ଚୀନ ଭଲ ଭାବେ ଜାଣିଛି ଯେ ଯେ ପର୍ଯ୍ୟନ୍ତ ପରମ ପାବନ ଦଲାଇଲାମା ଅଛନ୍ତି ସେ ପର୍ଯ୍ୟନ୍ତ ତିବ୍ଦତ ଭୂଖଣ୍ଡ ଉପରେ ଅଧିକାର କଲେ ସୁଦ୍ଧା ତିବ୍ଦତୀୟତାକୁ ସମାପ୍ତ କରି ପାରିବ ନାହିଁ  । ତେଣୁ ସେ ସମୟକୁ ଅପେକ୍ଷା କରିଛି  । ଦଲାଇଲାମାଙ୍କ ବୟସ ଅଧିକ ହେବା କାରଣରୁ ତାଙ୍କର କେବେ ମୃତ୍ୟୁ ହେବ ତାକୁ ଚୀନର କମ୍ୟୁନିଷ୍ଟ ସରକାର ଅପେକ୍ଷା କରିଛି  । କମ୍ୟୁନିଷ୍ଟ ଚୀନ ଜଗି ବସିଛି, କେବେ ଦଲାଇଲାମାଙ୍କ ମୃତ୍ୟୁ ହେବ ଓ କେବେ ସେ ତା ଆଡୁ ଜଣେ ଶିଶୁକୁ ଦଲାଇଲାମା ବୋଲି ଘୋଷିତ କରି ଦେବ  । ଉକ୍ତ ଶିଶୁ ମାଧ୍ୟମରେ ସେ ତିବ୍ଦତର ରାଷ୍ଟ୍ରୀୟତାକୁ ସମାପ୍ତ କରି ଦେବ  । ଦଲାଇଲାମା ମଧ୍ୟ ଚୀନର ଏହି ଷଡଯନ୍ତ୍ରକୁ ଭଲ ଭାବେ ବୁଝିଛନ୍ତି  । ତେଣୁ ସେ ବାରମ୍ବାର କହି ଆସିଛନ୍ତି ଯେ ତାଙ୍କର ପୁନର୍ଜନ୍ମ ପରାଧୀନ ଥିବା ଭୂମିରେ ହେବ ନାହିଁ  । ସେ ପ୍ରକାରାନ୍ତରରେ ତିବ୍ଦତୀୟମାନଙ୍କୁ କହି ଆସିଛନ୍ତି ଯେ ଚୀନର ଅଧିକାରରେ ଥିବା ତିବ୍ଦତରେ ସେ ଜନ୍ମ ନେବେ ନାହିଁ  । ଭାରତର ଅରୁଣାଚଳ ପ୍ରଦେଶର ତବାଙ୍ଗ ଅଂଚଳରେ ତାଙ୍କର ଅନେକ ଅନୁଯାୟୀ ଅଛନ୍ତି  । ଏହା ପୂର୍ବରୁ ଜଣେ ଦଲାଇଲାମା ତୱାଙ୍ଗ ଅଂଚଳରୁ ହୋଇ ସାରିଛନ୍ତି  । ତେଣୁ ଦଲାଇଲାମା ତିବ୍ଦତୀୟ ମାନଙ୍କୁ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ ଚୀନ ଯେଉଁ ଶିଶୁକୁ ଦଲାଇଲାମା ବୋଲି ଘୋଷଣା କରିବ ତାକୁ ସେମାନେ ଦଲାଇଲାମା ବୋଲି ସ୍ୱୀକାର ନ କରନ୍ତୁ  । ସେ ତୱାଙ୍ଗ ଅଂଚଳରେ ଜନ୍ମ ନେବେ ଓ ତାଙ୍କର ବିଶ୍ୱସ୍ତ ଭିକ୍ଷୁ ମାନଙ୍କର ସମୂହ ସେହି ଶିଶୁକୁ ଚିହ୍ନିବେ  । ତାଙ୍କୁ ହିଁ ସେମାନେ ଦଲାଇଲାମା ବୋଲି ସ୍ୱୀକାର କରନ୍ତୁ  । ଦଲାଇଲାମାଙ୍କର ଏହି ବକ୍ତବ୍ୟ ଚୀନର ଦୀର୍ଘ ଦିନର ଆଶାକୁ ନିରାଶାରେ ପରିବର୍ତ୍ତନ କରି ଦେଇଛି  । ତେଣୁ ଚୀନର ସରକାରଙ୍କୁ ଦଲାଇଲାମାଙ୍କ ବକ୍ତବ୍ୟ ଉପରେ ବାଧ୍ୟ ହୋଇ ପ୍ରତିକ୍ରିୟା ଦେବାକୁ ପଡିଛି ଓ କହିବାକୁ ପଡିଛି ଯେ ଚୀନ ସରକାରଙ୍କ ଅନୁମୋଦନ ବିନା ଦଲାଇଲାମାଙ୍କ ପୁନର୍ଜନ୍ମକୁ ମାନ୍ୟତା ପ୍ରଦାନ କରାଯାଇପାରିବନାହିଁ  । 
ତେବେ ଦେଖିବାକୁ ଗଲେ ଚୀନ ବର୍ତ୍ତମାନ ସବୁଠାରୁ ଶକ୍ତିଶାଳୀ ଦେଶ ମଧ୍ୟରେ ଅନ୍ୟତମ  । ସାମରିକ ଶକ୍ତି, ପରମାଣୁ ବୋମା ଠାରୁ ଆରମ୍ଭ କରି ଟେକ୍ନୋଲଜୀ କ୍ଷେତ୍ର ହେଉ ବା ବାଣିଜ୍ୟ କ୍ଷେତ୍ର ହେଉ ଚୀନ ନିଜକୁ ମହାଶକ୍ତି ବୋଲି ପ୍ରଚାରିତ କରିଥାଏ  । ହେଲେ ଏତେ ବଡ ମହାଶକ୍ତି ଚୀନ ଆଜି ଜଣେ ସାଧାରଣ ଭିକ୍ଷୁ ଦଲାଇଲାମାଙ୍କ ଆଗରେ ଭୟଭୀତ  । ଏହି ସାଧାରଣ ବୌଦ୍ଧ ଭିକ୍ଷୁଙ୍କ ନିକଟରେ ନା ପରମାଣୁ ବୋମା ଅଛି, ନା ସେନା ବାହିନୀ ଅଛି ନା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଅଛି ? ତଥାପି ଚୀନ ତାଙ୍କ ନିକଟରେ ଭୟଭୀତ ଓ ପ୍ରଭାବହୀନ  । ଦଲାଇଲାମାଙ୍କ ମୃତ୍ୟୁକୁ ସେ ଅପେକ୍ଷା କରିଛି  । ଆଉ ଏକ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ, ନାସ୍ତିକବାଦୀ ବିଚାରଧାରା କମ୍ୟୁନିଜମରେ ବିଶ୍ୱାସ କରୁଥିବା କମ୍ୟୁନିଷ୍ଟ ଚୀନ ସରକାରକୁ ପୁନର୍ଜନ୍ମ ସିଦ୍ଧାନ୍ତକୁ ସ୍ୱୀକାର କରିବାକୁ ବାଧ୍ୟ ହେବାକୁ ପଡୁଛି ଓ ଦଲାଇଲାମାଙ୍କ ପୁନର୍ଜନ୍ମ କେଉଁଠାରେ ହେବ ସେ ନେଇ ମୁଣ୍ଡ ଖେଳାଇବାକୁ ଚେଷ୍ଟା କରୁଛି  । ଏହାଠାରୁ ବଡ ବିଡମ୍ବନା କଣ ବା ହୋଇ ପାରେ ? ତେବେ ଏ ସମ୍ପର୍କରେ ନିର୍ବାସିତ ତିବ୍ଦତ ସରକାରର ପ୍ରଧାନମନ୍ତ୍ରୀ ପେନପା ତ୍ସେରିଙ୍ଗଙ୍କ ବକ୍ତବ୍ୟକୁ ଉଲ୍ଲେଖ କରିବା ଜରୁରି ମନେ ହେଉଛି ଯେଉଁଥିରେ ସେ କହିଛନ୍ତି ଯେ, ‘ଯଦି ଚୀନ ବାସ୍ତବରେ ପୁନର୍ଜନ୍ମରେ ବିଶ୍ୱାସ କରୁଛି ତେବେ ପ୍ରଥମେ ତାକୁ ମାଓ ସେ ତୁଙ୍ଗଙ୍କ ଭଳି ନିଜ ନେତା ମାନଙ୍କର ପୁନର୍ଜନ୍ମ ସମ୍ପର୍କରେ ଖୋଜିବା ଉଚିତ ହେବ  । 
                                                          ଭୁବନେଶ୍ୱର