ସଂକେତ ଦେଲେ ପାଣ୍ଡିଆନ: ସୁଜାତା ଧରିବେ ବିଜେଡ଼ି ମଙ୍ଗ!

 ଭୁବନେଶ୍ୱର: ବିଜୁବାବୁଙ୍କ ଜୟନ୍ତୀ ଦିନ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଥିଲେ  । ବିଜେପି ଢାଞ୍ଚାରେ ବିଜେଡ଼ିରେ ସାଂଗଠନିକ ସମ୍ପାଦକ ପଦବୀ ସୃଷ୍ଟି ହୋଇଥିଲା  । ଦଳୀୟ କାର୍ଯ୍ୟାଳୟରେ ନବୀନ ପ୍ରଣବ ପ୍ରକାଶଙ୍କୁ ଏହି ଦାୟିତ୍ୱ ଦେବା ସହ ସେ ଦଳର ସାଂଗଠନିକ ଦାୟିତ୍ୱ ନିର୍ବାହ କରିବେ ବୋଲି କହିଥିଲେ  । ପ୍ରଥମ ଥର ପାଇଁ ଦଳୀୟ କାର୍ଯ୍ୟାଳୟରେ ନବୀନଙ୍କ ଏଭଳି ଘୋଷଣା ବିଜେଡ଼ିକୁ ବଡ଼ ବାର୍ତ୍ତା ଦେଇଥିଲା  ।
ସେହିଦିନ ଠାରୁ ପ୍ରଣବ ପ୍ରକାଶ ଥିଲେ ଦଳର ନମ୍ବର ଟୁ  । ନବୀନଙ୍କ ସହ ତାଙ୍କ ଫଟୋ ପୋଷ୍ଟର ମଣ୍ଡନ କରିଥିଲା  । ସାଂସଦ ହୁଅନ୍ତୁ କି ବିଧାୟକ ଅବା ହୁଅନ୍ତୁ ମନ୍ତ୍ରୀ, ସମସ୍ତେ ବବିଙ୍କ ଇସାରାରେ ହିଁ ଚାଲୁଥିଲେ  । କିଛିଦିନ ପାଇଁ ସେ ଉପମୁଖ୍ୟମନ୍ତ୍ରୀ ହେବାର ଚର୍ଚ୍ଚା ବି ଜୋର୍ ଧରିଥିଲା  । ଫଳରେ ନବୀନଙ୍କ ପରେ ବବି ହିଁ ଦଳର ମଙ୍ଗ ଧରିବେ ବୋଲି ରାଜନୀତିକ ଅଳିନ୍ଦରେ ଚର୍ଚ୍ଚା ଘୂରି ବୁଲିଥିଲା  ।
ଏହାର ପ୍ରାୟ ସାଢ଼େ ୩ ବର୍ଷ ପରେ ପୁଣି ବିଜେଡ଼ି ରାଜନୀତି କଡ଼ ଲେଉଟାଇଥିଲା  । ସମସ୍ତଙ୍କୁ ଚକିତ କରି ଆଇଏଏସ ଚାକିରୀରୁ ଇସ୍ତଫା ଦେଇଥିଲେ ଭିକେ ପାଣ୍ଡିଆନ୍  । ୨୦୨୩ ନଭେମ୍ବର ୨୭ରେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ ଶଙ୍ଖ ଫୁଙ୍କିଥିଲେ  । ବବି ଦାସ ସେଦିନ ହସିହସି ପାଣ୍ଡିଆନଙ୍କ ସାର୍ଟରେ ଶଙ୍ଖର ଷ୍ଟିକର ଲଗାଇଥିଲେ  । ତା’ପରଠାରୁ ପାଣ୍ଡିଆନ୍ ନମ୍ବର ଟୁ’ ଓ ବବି ନମ୍ବର ଥ୍ରୀ’ ଭାବେ ପରିଗଣିତ ହୋଇଥିଲେ  । ଧିରେଧିରେ ପୋଷ୍ଟରରେ ବବିଙ୍କ ଫଟୋ ଉଭେଇ ଯାଇଥିଲା  । ସାରା ରାଜ୍ୟରେ ବିଜେଡ଼ି ନେତାମାନେ ନବୀନ ଓ ପାଣ୍ଡିଆନଙ୍କ ଫଟୋ ହିଁ ଲଗାଇଥିଲେ  । 
ପାଣ୍ଡିଆନ୍ କୌଣସି ଦଳୀୟ ପଦପଦବୀରେ ନଥିଲେବି ଦଳରେ ତାଙ୍କର କାଟତି ଆହୁରି ବଢ଼ି ଯାଇଥିଲା  । ଉଭୟ ସରକାର ଓ ଦଳରେ ସେ ହିଁ ଥିଲେ ନମ୍ବର ଟୁ  । ନିର୍ବାଚନ ବେଳେ ନବୀନଙ୍କ ପରେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ ହିଁ ମଙ୍ଗ ଧରିବେ ବୋଲି ଧାରଣା ଦୃଢ଼ୀଭୂତ ହୋଇଥିଲା  । ଜାତୀୟ ଗଣମାଧ୍ୟମରେ ପାଣ୍ଡିଆନ୍ ଏକ ସାକ୍ଷାତକାରରେ ଏଭଳି ଇଙ୍ଗିତ ବି ଦେଇଥିଲେ  । ନିଜେ ପାଣ୍ଡିଆନ୍ ହିଁ ନିଜ ଚେଲାଚାମୁଣ୍ଡାଙ୍କ ଜରିଆରେ ଏଭଳି ଚର୍ଚ୍ଚାକୁ ବଳ ଦେଇଥିଲେ  । ସୋସିଆଲ ମିଡ଼ିଆରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପାଣ୍ଡିଆନ୍ ଫ୍ୟାନ୍ କ୍ଳବ ବି ଗଠନ କରାଗଲା  । ଗଣମାଧ୍ୟମରେ ତାଙ୍କୁ ବିକାଶ ପୁରୁଷ ବୋଲି ସଜେଇ ଦିଆଗଲା  । ହେଲେ ବିଜେପିର ‘ଓଡ଼ିଆ ଅସ୍ମିତା’ ଜାଲରେ ବିଜେଡ଼ି ଛନ୍ଦି ହୋଇଯିବା ସହ ପାଣ୍ଡିଆନ୍ ବି ଆକ୍ତାମାକ୍ତା ହୋଇଯାଇଥିଲେ  । ତେଣୁ ପାଣ୍ଡିଆନ୍ ପ୍ରତ୍ୟକ୍ଷ ରାଜନୀତିରୁ ମୁହଁ ଫେରାଇନେବାକୁ ବାଧ୍ୟ ହୋଇଥିଲେ  । ଏମିତିକି ପାଣ୍ଡିଆନ୍ ଓଡ଼ିଶା ଛାଡ଼ି ବିଦେଶୀ କମ୍ପାନୀରେ ଚାକିରୀ କରିବେ ବୋଲି ଚର୍ଚ୍ଚା ହେଲା  । ଫଳରେ ବିଜେଡ଼ିରେ ନବୀନ କାହାକୁ ଗୁରୁଦାୟିତ୍ୱ ଦେବେ ବୋଲି ସେହି ଚର୍ଚ୍ଚା ବି ଗତ ବର୍ଷେ ହେଲା ଜାରିରହିଛି  । ପାଣ୍ଡିଆନ୍ ନବୀନ ନିବାସରେ ରହି ନବୀନବାବୁଙ୍କର ସବୁ ହାନିଲାଭ ବୁଝୁଥିବାରୁ ଦଳରେ ତାହାକୁ ନେଇ ଚାପା ଗୁଞ୍ଜରଣ ବି ସୃଷ୍ଟି ହୋଇଥିଲା  । ୱାକଫ ବିଲ୍ ପ୍ରସଙ୍ଗରେ ବହୁ ବରିଷ୍ଠ ବିଜେଡ଼ି ନେତା ସିଧାସିଧା ପାଣ୍ଡିଆନଙ୍କ ନାଁ ନେଇ ବି ବର୍ଷିଥିଲେ  ।
ବେଶ୍ କିଛିଦିନ ଧରି ନବୀନଙ୍କ ଉତ୍ତରାଧିକାରୀ ଚର୍ଚ୍ଚା ଥମି ଯାଇଥିଲା  । ହେଲେ ଗତ ଜୁନ୍ ୨୩ରେ ପୁଣିଥରେ ଏହି ଚର୍ଚ୍ଚା ଲେଉଟିଥିଲା  । ମୁମ୍ବାଇରେ ନବୀନ ଚିକିତ୍ସିତ ହେଉଥିବାବେଳେ ତାଙ୍କୁ ଦେଖା କରିବାକୁ ବଡ଼ ଭାଇ ପ୍ରେମ ପଟ୍ଟନାୟକ ଓ ତାଙ୍କ ପରିବାରବର୍ଗ ଯାଇଥିଲେ  । ସେହି ସମୟରେ ପ୍ରେମ ଏକ ଭିଡ଼ିଓ ବାର୍ତ୍ତା ଦେଇଥିଲେ  । ପ୍ରେମଙ୍କ ଭିଡ଼ିଓ ବାର୍ତ୍ତା ବିଜେଡ଼ି ରାଜନୀତିରେ ବେଶ୍ ଚର୍ଚ୍ଚା ସୃଷ୍ଟି କରିଥିଲା  । ନବୀନଙ୍କ ପୁତୁରା ତଥା ପ୍ରେମଙ୍କ ପୁଅ ଅରୁଣ ପଟ୍ଟନାୟକଙ୍କୁ ହିଁ ବିଜେଡ଼ି ଚେହେରା କରିବ ଓ ପାଣ୍ଡିଆନ୍ ପ୍ରଚ୍ଛଦପଟରେ ଗୋଟିଚାଳନା କରିବେ ବୋଲି ଚର୍ଚ୍ଚା ହେବା ସ୍ୱାଭାବିକ  । ବିଜେଡ଼ିର କିଛି ଯୁବନେତା ଅରୁଣ ପଟ୍ଟନାୟକ ଫ୍ୟାନ୍ କ୍ଳବ ବି କରିଦେଲେ  । ଆଶା କରାଯାଉଥିଲା, ଦାଦାଙ୍କ ସହ ଅରୁଣ ବି ମୁମ୍ବାଇରୁ ଓଡ଼ିଶା ଆସିବେ  । ସେହି ସମୟରେ ହେବାକୁ ଥିବା ଶୋଭାଯାତ୍ରାରେ ଅରୁଣଙ୍କର ଏଣ୍ଟି୍ର ହେବ  । ହେଲେ ସେମିତି କିଛି ହୋଇନଥିଲା  ।
ଜୁଲାଇ ୧୨ରେ ନବୀନ ମୁମ୍ବାଇରୁ ଭୁବନେଶ୍ୱର ଫେରିଲେ  । ଗତ ଅଢ଼େଇ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ନବୀନ ଓଡ଼ିଶାରୁ ୨୧ ଦିନ ପର୍ଯ୍ୟନ୍ତ ବାହାରେ ଥିଲେ  । ନବୀନ ଆସିବା ଦିନ ହଜାର ହଜାର ବିଜେଡ଼ି କର୍ମୀ ତାଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଥିଲେ  । ତାହା ଯେତିକି ଚର୍ଚ୍ଚା ସୃଷ୍ଟି କରିନଥିଲା ତାହାଠାରୁ ବେଶୀ ଚର୍ଚ୍ଚାରେ ଥିଲେ ପାଣ୍ଡିଆନ୍  । ଅନେକ ଦିନ ପରେ ପାଣ୍ଡିଆନଙ୍କୁ ଏକ ଭିନ୍ନ ରୂପରେ ଦେଖିବାକୁ ମିଳିଥିଲା  । ନବୀନ ନିବାସରେ ସେ କେବେ ମିଡ଼ିଆ ସାମ୍ନାକୁ ଆସୁନଥିଲେ  । ସେଦିନ କିନ୍ତୁ ସେ ବ୍ୟାରିକେଡ଼ ବାହାରେ କାରରୁ ଓହ୍ଲାଇ ଚାଲିଚାଲି ନବୀନ ନିବାସ ଯାଇଥିଲେ  । କିଛି ସମୟ ଧରି ସେ କ୍ୟାମେରା ସାମ୍ନାରେ ରହିଥିବାବେଳେ ନେତାମାନେ ତାଙ୍କୁ ସ୍ୱାଗତ ବି କରିଥିଲେ  । ଫଳରେ ପାଣ୍ଡିଆନ୍ ଆଉ ପୂର୍ବଭଳି କବାଟକଣରେ ନରହି ପଦାକୁ ଆସିବେ ବୋଲି ଚର୍ଚ୍ଚା ବଳବତ୍ତର ହେବା ସ୍ୱାଭାବିକ  । କିଛିଦିନ ତଳେ ଏହି ଚର୍ଚ୍ଚା ଆଉପାଦେ ଆଗେଇଛି  । ପାଣ୍ଡିଆନ୍ ଓ ତାଙ୍କ ପନôୀ ସୁଜାତା କାର୍ତ୍ତିକେୟନ୍ ଆପୋଲୋ ହସପିଟାଲରେ ବବି ଦାସଙ୍କୁ ଭେଟିଥିଲେ  । ଯାହାର ଭିଡ଼ିଓ ଏବେ ଭାଇରାଲ୍ ହେବାରେ ଲାଗିଛି  । ପାଣ୍ଡିଆନଙ୍କୁ ସିନା ଦକ୍ଷିଣୀ ବୋଲି ସମାଲୋଚନା କରାଯାଉଛି କିନ୍ତୁ ସୁଜାତା ଓଡ଼ିଶାର ଝିଅ ହୋଇଥିବାରୁ ତାଙ୍କୁ ଆଗକୁ ଆଣିବା ପାଇଁ ନବୀନ ଓ ପାଣ୍ଡିଆନ୍ ରଣନୀତି କରିଛନ୍ତି  । ପ୍ରଥମତଃ ସେ ମହିଳା ଫେସ୍  । ସେପଟେ ମିଶନ ଶକ୍ତିର ଦୀର୍ଘକାଳ ଧରି ସଚିବ ଥିବାରୁ ମହିଳାଙ୍କ ସହ ତାଙ୍କର ବି ଭଲ ସମ୍ପର୍କ ରହିଛି  । 
ତେବେ ରାଜନୀତିକ ବଳୟରେ ହେଉଥିବା ଅନ୍ୟ ଚର୍ଚ୍ଚାଟି ହେଉଛି, ଚଟୁ ଆମିଷ, ବେଣ୍ଟ ନିରାମିଷ  । ଅତଏବ ପାଣ୍ଡିଆନ ଯଦି ଅଣଓଡ଼ିଆ ବୋଲି ଅସ୍ମିତା କେଁ ପଶିଲା, ତେବେ ସୁଜାତା ଓଡ଼ିଆ ଝିଅ ହୋଇଥିଲେବି କେଁ ରହିବନି ତ ? କାହିଁକିନା ଉଭୟ ପତି ପନôୀ ହୋଇଥିବାରୁ ସୁଜାତା ଦଳର ମଙ୍ଗ ଧରିଲେ ସବୁ କଥା ବୁଝିବେ କିଏ ? ସେଇ ପାଣ୍ଡିଆନ୍ ନାଁ  । ଆଗାମୀ ଦିନରେ ଏହି ଚର୍ଚ୍ଚା କେତେ ସତ ହେଉଛି ଓ ଲୋକେ କେତେ ଗ୍ରହଣ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା  ।