ଶ୍ରାବଣରେ ବର୍ଷା ଉଭାନ  : ଅଣ ଜଳସେଚିତ ଅଞ୍ଚଳରେ ଧାନ ତଳି ନଷ୍ଟ!

 କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଅଣ ଜଳସେଚିତ ବଡ ପୋଡାଗୁଡା ପଞ୍ଚାୟତରେ ଧାନ ତଳି ନଷ୍ଟ ହେବା ସହ ମରୁଡି ଆଶଙ୍କା ଦେଖା ଦେଲାଣି । ଅଣ ଜଳସେଚିତ ପଞ୍ଚାୟତ ହୋଇଥିଲେ ମଧ୍ୟ ଏଠାକାର ଲୋକେ ମୁଖ୍ୟତଃ ଚାଷ ଉପରେ ନିର୍ଭର କରି ଜୀବନ ଜୀବିକା ନିର୍ବାହ କରିଥାନ୍ତି । ଦୁଃଖର ବିଷୟ ଏହିକି ଯେ, ପ୍ରତ୍ୟେକ ୨ ରୁ ୩ ବର୍ଷ ମଧ୍ୟରେ ଅନାବୃଷ୍ଟି ବର୍ଷା ଯୋଗୁଁ ମରୁଡି ଦେଖାଦେଇଥାଏ । ଚାଷ ଜମିରେ ଉଠା ଜଳସେଚନ ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ମରୁଡିର ସ୍ଥାୟୀ ନିରାକରଣ ନିମନ୍ତେ  ଜୋତା ଖଲିଆ ଓ ରଜାମୁଣ୍ଡା ଡ୍ୟାମ୍ ପୁନରୁଦ୍ଧାର ପାଇଁ ଅଞ୍ଚଳର ଚାଷୀମାନେ ଦିର୍ଘ ୨୦ ବର୍ଷ ହେଲା ଦାବି କରି ଆସୁଛନ୍ତି । ସ୍ଥାନୀୟ ବିଧାୟକ, ସାଂସଦ ଓ ପ୍ରଶାସନିକ ଅଧିକାରୀଙ୍କୁ ବାରମ୍ବାର ଗୁହାରି କରି ନିରାଶ ହୋଇଥିବା ଅଞ୍ଚଳର ଚାଷୀମାନେ ପ୍ରକାଶ କରିଛନ୍ତି । ଜଳନିଧି ଯୋଜନାରେ ବୋରୱେଲ ଖଣ୍ଡିଏ ପାଇବା ପାଇଁ କାଗଜପତ୍ର ଧରି ଅଫିସ ସମ୍ମୁଖରେ ଧାଡିରେ ଠିଆ ହୋଇ ଅନଲାଇନ୍ ମଧ୍ୟ କରିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ବୋରୱେଲ ଗୁଡିକ କାର୍ଯ୍ୟକ୍ଷମ କରିବା ଦିଗରେ କୌଣସି ପ୍ରକିୟା ଆରମ୍ଭ ହୋଇ ନଥିବାରୁ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ଚଳିତ ବର୍ଷ କୋକସରା ବ୍ଲକ୍ର ବଡପୋଡାଗୁଡା ପଞ୍ଚାୟତରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଧାନ ଚାଷୀଙ୍କୁ ଚାଷ ଆରମ୍ଭରୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି । ଚଳିତ ବର୍ଷ ଆବଶ୍ୟକ ଅନୁଯାୟୀ ବର୍ଷା ହୋଇ ନ ଥିବା ଯୋଗୁଁ ଜୁନ୍, ଜୁଲାଇ ମାସରେ  ଚାଷୀ ମାନେ  ରୁଆ ବେଉଷଣ କାମ ଠିକ୍ ସମୟରେ କରିପାରୁ ନାହାଁନ୍ତି । ଯେଉଁ ଚାଷୀମାନେ ଧାନ ରୁଆ କରିବା ପାଇଁ ଧାନ ତଳି ପକେଇ ଥିଲେ ସେମାନଙ୍କ ମଧ୍ୟରୁ କିଛି ଚାଷୀଙ୍କ ତଳି ପାକଳ ହୋଇ ଯାଇଥିବା ଦେଖିବାକୁ ମିଳୁଛି । ଗତ କିଛି ଦିନ ହେଲା ବ୍ଲକ୍ର କିଛି ଅଞ୍ଚଳରେ ବର୍ଷା ଉଭାନ ହୋଇଯାଇଥିବା ବେଳେ, ଗତ ଦୁଇ ଦିନ ଟିକେ ଟିକେ ବର୍ଷା ହେଉଥିଲେ ମଧ୍ୟ ଚାଷ ଉପଯୋଗୀ ବର୍ଷା ହେଉନାହିଁ  । ଫଳରେ ଢେପ ଜମି ଗୁଡିକ ପାଣି ଅଭାବ ଯୋଗୁଁ ଫାଟି ଆଁ ହୋଇ ଗଲାଣି ।ଯଦି ସପ୍ତାହ ମଧ୍ୟରେ  ବର୍ଷା ନହୁଏ ତେବେ ଧାନ ତଳି ନଷ୍ଟ ହୋଇଯିବା ନେଇ ଚାଷୀ ଆଶଙ୍କା କରୁଛନ୍ତି ।ଢେପ ଜମି ଗୁଡ଼ିକ ବର୍ଷା ଅଭାବ ଯୋଗୁଁ ଫାଟି ଆଁ କରିଥ?ିବା ଜଣାପଡିଛି । କିଛି ଦିନ ବର୍ଷା ନହେଲେ ଖାଲ ଧାନ ଜମିରେ ହୋଇଥିବା ଧାନ ଚାଷ ଉପରେ ମଧ୍ୟ ପ୍ରଭାବ ପଡିବ ।