ଅଟୋ ଓଲଟିବା ପରେ ରାସ୍ତା ମରାମତି କଲା କମ୍ପାନୀ!

ସାରସକଣା : ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଜାତୀୟ ରାଜପଥ ୪୯ ଓ ୧୮ ନମ୍ବର ମିଳନ ସ୍ଥଳୀ ବମ୍ବେଛକ ଠାରେ ଲୋକଙ୍କ ଯାତାୟାତକୁ ନେଇ ଏବେ ସମସ୍ୟା ଚରମ ସୀମାରେ ପହଁଚିଛି । ଲୋକଙ୍କ ମନ ବୁଝାଇବା ପାଇଁ ଏଲ ଆଣ୍ଡ ଟି କମ୍ପାନୀ ମଧ୍ୟ କିଛିଦିନ ବ୍ୟବଧାନରେ କାର୍ଯ୍ୟ କରୁଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରୁନାହିଁ । ତେବେ ଗତ ମଙ୍ଗଳବାର ଦିନ ଉକ୍ତ ସ୍ଥାନରେ ସାପ୍ତାହିକ ହାଟ ରହିଥିବା ବେଳେ ହଜାର ହଜାର ଲୋକଙ୍କ ଯାତାୟାତ ଲାଗିରହିଥିଲା । ଏଭଳି ସ୍ଥିତିରେ ଜାତୀୟ ରାଜପଥ ୪୯ ରେ ବମ୍ବେଛକ ଗୋଲେଇ ନିକଟରେ ଏକ ଟ୍ରକ ବାଙ୍ଗିରିପୋଷି ପଟୁ ଝାରଖଣ୍ଡ ଅଭିମୁଖେ ଯାଉଥିବା ବେଳେ ଓଭରବ୍ରିଜ ନିର୍ମାଣ ଚାଲିଥିବା ହେତୁ ରାସ୍ତା ନିର୍ମାଣ ପାଇଁ ଆସିଥିବା ଡଷ୍ଟ କାଦୁଅ କଡ଼ରେ ଫିଲିଙ୍ଗ କରାଯାଇଥିଲା । ତେବେ କାଦୁଅ ଭରା ଡ୍ରେନରେ ଏକ ପିଆଜ ଟ୍ରକ ଗାଲିଯାଇ ଓଭରବ୍ରିଜ କାନ୍ଥ ସହିତ ଲାଗି ରହିଥିଲା । ଦିନ ତମାମ ୫ ଘଣ୍ଟାରୁ ଉର୍ଦ୍ଧ ଉଭୟ ପଟେ ବିଭିନ୍ନ ସମୟରେ ଟ୍ରକ ଗୁଡିକ ଫସି ରହିଥିଲା ରାତ୍ରିରେ ସ୍ଥିତି ସାମାନ୍ୟ ହୋଇଥିଲା । ସେହିପରି ବୁଧବାର ସକାଳୁ ଲଗାଣ ବର୍ଷା ଯୋଗୁଁ ଓଭୋରବ୍ରିଜ ତଳେ ଏବଂ ପାଖରେ ବଡ଼ବଡ଼ ଗର୍ତ୍ତ ସୃଷ୍ଟି ହୋଇଥିଲା । ଯାତାୟାତରେ ବହୁମାତ୍ରାରେ ଅସୁବିଧା ଉପୁଜିଥିଲା । ଏହି ସମୟରେ ଗୋଟିଏ ଯାତ୍ରୀବାହି ଅଟୋ ଗାତରେ ପଡି ପଲଟି ଯାଇଥିଲା । ଘଟଣା ସ୍ଥଳରେ ଉପସ୍ଥିତ ଥିବା ଲୋକେ ଜାଇ ଅଟୋକୁ ଉଠାଇବା ସହ ଚାଳକକୁ ଉଦ୍ଧାର କରିଥିଲେ । ସେହିପରି ଏକଘଣ୍ଟା ମଧ୍ୟରେ ୧୫ ରୁ ଉର୍ଦ୍ଧ ମଟରସାଇକେଲ ଚାଳକ ଏହି ଗାତରେ ପଡ଼ିଥିଲେ । ଏହାକୁ ଅନେକ ଲୋକ ସୋସିଆଲ ମିଡ଼ିଆରେ ଭାଇରଲ କରିବା ପରେ ମରାମତି ଦାୟିତ୍ୱରେ ଥିବା ଏଲଆଣ୍ଡଟି କମ୍ପାନୀ ତରଫରୁ ସମସ୍ତ ଗାତ ଗୁଡିକରେ ମେଟେରିଆଲ ପକାଇ ଅସ୍ଥାୟୀ ଭାବେ ଯାତାୟାତ ଉପଯୋଗୀ କରିଥିବା ଦେଖିବାକୁ ମିକିଥିଲା ।