ବକେୟା ଦରମା ଦାବିରେ ସିକୁ୍ୟରିଟି ଗାର୍ଡଙ୍କ ଧାରଣା

 ମାଲକାନଗିରି : ପୂର୍ବ ସରକାର ଓ ଜିଲ୍ଲା ପ୍ରଶାସନ ଶିକ୍ଷିତ ବେରୋଜଗର ଓ ତୃତୀୟ ଲିଙ୍ଗୀଙ୍କ ସହ ପୂର୍ବତନ ମାଓବାଦୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ତାଲିମ ଦେଇ ସିକୁ୍ୟରିଟି ଗାର୍ଡ ଭାବେ ନିଯୁକ୍ତି କରିଥିବାବେଳେ ବର୍ତ୍ତମାନ ସେମାନେ ସଠିକ୍ ଭାବେ ଦରମା ପାଉନଥିବା ଅଭିଯୋଗ କରିଛନ୍ତି । ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ସିକୁ୍ୟରିଟି ଗାର୍ଡଙ୍କ ପକ୍ଷରୁ ଏଭଳି ଅଣିଯୋଗ ଆଣି ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ସଠିକ୍ ସମୟରେ ଦରମା ମିଳୁନଥିବାବେଳେ ଦରମା ମାଗିଲେ ଏଜେନ୍ସି ପକ୍ଷରୁ ଧମକ ଚମକ ଦିଆଯାଉଥିବା ଅଭିଯୋଗ ହୋଇଛି । ପ୍ରକାଶ ଯେ, ଭୁବନେଶ୍ୱରର କେୟାର ନାମକ ସିକୁ୍ୟରିଟି ସଂସ୍ଥା ପକ୍ଷରୁ ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ ପ୍ରାୟ ୧୮୦ଜଣ କାର୍ଯ୍ୟରତ ସିକୁ୍ୟରିଟି ଗାର୍ଡଙ୍କୁ ନିୟମିତ ଭାବେ ଦରମା ପ୍ରଦାନ କରାଯାଉ ନଥିବାରୁ ମାଲକାନଗିରି ଜିଲ୍ଲା ହସ୍ପିଟାଲ ସମ୍ମୁଖରେ ଧାରଣା ଦେଇ କାର୍ଯ୍ୟବନ୍ଦ ଆନେ୍ଦାଳନ କରିଛନ୍ତି ।  ସେମାନଙ୍କୁ ମାତ୍ର ୧୨ହଜାର ଟଙ୍କା ମିଳୁଥିବା ବେଳେ ଗତ ଦୁଇ ମାସର ଦରମା ନ ପାଇ ସେମାନେ ବହୁତ ହଇରାଣ ହେଉଛନ୍ତି । ପରିବାର କିପରି ଚଳିବ ସେ ନେଇ ଚିନ୍ତିତ ହୋଇ ପଡିଛନ୍ତି । ସେମାନଙ୍କୁ ନିୟମିତ ଭାବେ ପ୍ରତିମାସ ୫ତାରିଖ ସୁଦ୍ଧା  ବେତନ ପ୍ରଦାନ କରାଯାଉ ବୋଲି ସେମାନେ ଦାବି କରିଛନ୍ତି । ଏହା ସହ ପୂର୍ବରୁ ଏହି ସିକୁ୍ୟରିଟି ଗାର୍ଡମାନେ ବର୍ଷା ଦିନ ପାଇଁ ରେନିକୋର୍ଟ ଓ ଅତିରିକ୍ତ ୟୁନିଫର୍ମ ପ୍ରଦାନ କରାଯାଉ ବୋଲି ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ନିକଟରେ ଦାବି ଜଣାଇଥିଲେ । ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗର ସମସ୍ତ ସୁରକ୍ଷା କର୍ମୀ କାର୍ଯ୍ୟ ବନ୍ଦ ଆନେ୍ଦାଳନ କରିଥିବାରୁ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ କିଛି ସମୟ ପାଇଁ ସୁରକ୍ଷା ବ୍ୟବସ୍ଥା ଅଚଳ ହୋଇ ପଡିଥିଲା । ତେବେ ଆନେ୍ଦାଳନର କିଛି ଘଣ୍ଟା ପରେ ସେମାନଙ୍କ ଆକାଉଣ୍ଟକୁ ଗୋଟିଏ ମାସ ର ଦରମା ଟଙ୍କା ଆସିଥିଲା । ଅନ୍ୟପକ୍ଷରେ ଚଳିତ ମାସରୁ ସଠିକ୍ ଭାବେ ଦରମା ପୈଠ କରା ନ ଗଲେ ଗାର୍ଡ କାର୍ଯ୍ୟଛାଡି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନେ୍ଦାଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।