ଅଜଣା ଜଗତର ଡାକ
ହାତର କୋରାଲକୁ ଦେଖି ଅସୀମ କ୍ୟାମ୍ପବେଲ ବେର ଚାରିପଟ ସମୁଦ୍ରର କଥା ଭାବିଲେ ।ଚାରିପଟ ସମୁଦ୍ରରେ ଠାଏ ଠାଏ ହୋଇ ସବୁଆଡେ କୋରାଲ ପ୍ୟାଚମାନ ଅଛି । ମୁଖ୍ୟତଃ ଅନଟଚଡ ବା ଅଛୁଆଁ କୋରାଲ । କ୍ୟାମ୍ପବେଲ ବେ ଅଞ୍ଚଳକୁ ବାହାର ଲୋକ ବହୁତ ଆସନ୍ତିନି । ନିକୋବରୀମାନେ ମଧ୍ୟ ସବୁଆଡେ ନାହାନ୍ତି । କୋରାଲ ପ୍ୟାଚମାନ ତେଣୁ କ୍ଷତିଗ୍ରସ୍ତ ହୋଇନି । ସେମାନେ ଦ୍ୱୀପର ଚାରିପଟେ ଯେତେଦୂର ସମ୍ଭବ ଖଣ୍ଡେ ଖଣ୍ଡେ ଜାଗା ଠିକ କରି କୋରାଲ ଉଦ୍ୟାନକୁ ଦେଖିବାକୁ ଚାହିଁଲେ । ଆକାଶ ତଳେ ସମୁଦ୍ରର ଲହଡିରେ ଧୋଇ ପୁଣି ଚମକୁଥିବା କୋରଲ ଉଦ୍ୟାନମାନ ଅସାଧାରଣ ହୋଇଥିବ ବୋଲି ଦୁହେଁ ଭାବୁଥିଲେ ।ସେମାନଙ୍କର ପ୍ରଥମ ଉଦ୍ୟମ ଆରମ୍ଭ ହେଲା ଦ୍ୱୀପର ଦକ୍ଷିଣ କୋଣରୁ, ଏକ ଭାଙ୍ଗି ଯାଇଥିବା କୋରାଲ ବେଡରୁ ।
୩୫ କିମି ଅଞ୍ଚଳ ସମୁଦ୍ରର ଆଣ୍ଠୁଏ ପାଣିକୁ ସେମାନେ ଚାଲିଗଲେ ଆଉ ସେଇଠୁ ପାଖରୁ କୋରାଲ ରାଜ୍ୟର ଶୋଭା ଦେଖିଲେ । କୋରାଲ ଚଟାଣରେ କେଉଁଠି କେଉଠି ପାଣି ଜମିଯାଇଥିଲା । ସେ ଭିତରେ ଏକ ଦୁଧ-ବାଇଗେଣି ରଙ୍ଗର ଗୋଲ ଫୁଲଟିଏ ଯେମିତି ଫୁଟିଥିଲା । ବୋଧହୁଏ କିଛି ସଫ୍ଟ କୋରାଲ । ନଜାଣିପାରିଲେ ସବୁ ଅଜଣା ହୋଇ ରହୁ, ସେ ନିଜ ଭିତରେ କିଛି ଛବି ଆଙ୍କି ନିଅନ୍ତୁ ଆଉ ତା’ର ଆକୃତି ଆଉ ରୂପ ଛଟାକୁ ପ୍ରଶଂସା କରିଚାଲନ୍ତୁ । କୋରାଲରେ ଥିବା ଆବୁ ଆବୁ ଦେଖିବାକୁ ଗୋଲ ଲିଚୁ ବଲ୍ବ ଭଳି ଲାଗୁଥିଲା । ପୁରୁଣା ହୋଇଯାଇଥିବା କିଛି ଜାଗାରେ ନୂଆ କୋରାଲ ଆସୁଛି । ଏ ଜାଗା ଦିନେ କିଛି ଗଭୀର ସମୁଦ୍ର ଥିବ କିନ୍ତୁ କେବେ ପ୍ରବଳ ଲହଡିରେ କୋରାଲମାନ ଭାଙ୍ଗିଯାଇଥିବ ବା ଆଉ କିଛି ପ୍ରାକୃତିକ କାରଣରୁ କୋରାଲ ବେଡ ଉଠିଆସିଥିବ ଆଉ ଭଙ୍ଗା କୋରାଲମାନ ଜମା ହୋଇ ଯାଇଥିବ ।
ସେମାନେ ଦେଖିଲେ ଆଙ୍ଗୁଠି ପବ ଭଳି କୋରାଲମାନ ଧୀରେ ନିଜ ନିଜର କାୟା ବିସ୍ତାର କଲେଣି । ଟିକିଏ ଅଧିକ ଗଭୀର ପାଣି ଆଡକୁ କେତେ ପ୍ରଜାତିର ନୂଆ କୋରାଲମାନ ସୃଷ୍ଟି ହେଲାଣି । ଏକ ବଡ କୋରାଲ କଲୋନୀ ହେବାକୁ ଅବଶ୍ୟ କେତେ ଦଶନ୍ଧି ଲାଗିବ । ଟିକିଏ ଆଗକୁ ଥିଲା ଆଙ୍ଗୁଠି ଭଳି ଲାଗୁଥିବା ଷ୍ଟାଗହର୍ଣ୍ଣର୍ କୋରାଲର(ଝଗ୍ଧବଶଷକ୍ଟକ୍ସଦ୍ଭ ଉକ୍ଟକ୍ସବକ୍ଷଗ୍ଦ)ଏକ ବୃହତ ମନ୍ଦା । ପ୍ରତିଟି କୋରାଲର ପଲିପ ସତେଜ ଲାଗୁଥିଲା, ପ୍ରତିଟି ଅଗରେ ଏକ ଏକ ଫୁଟନ୍ତ କଢି ଲାଗିଥିଲା । ମଝିରେ ଯାଗାପାଇ ସଫ୍ଟ କୋରାଲମାନ ନିଜର କାୟା ବିସ୍ତାର କରୁଥିଲେ । ଏବେ ଛୋଟ ଲାଗୁଛନ୍ତି, କିନ୍ତୁ ଏମାନେ ଦିନେ ମାସିଭ କୋରାଲ ହେବେ । କିଛି ଜାଗାରେ ଧଳା ରଙ୍ଗର କୋରାଲ ନିଜର କାୟା ବେଶ ବିସ୍ତାର କରିସାରିଥିଲା । ବଟ୍ରେସ ପରି ଲାଗୁଥିବା କୋରାଲ କେଉଁଠି ନିଜର ମୁଣ୍ଡ ଟେକିଥିଲା । ଏକ ଏକ ଛୋଟ ପାହାଡ ଶୃଙ୍ଖଳାର ମଡେଲ, ଉପର ଆଡକୁ ସାମାନ୍ୟ ହଳଦିଆ ଧଳା ଦିଶୁଥିଲା କଳା ବେସରେ । ମନ୍ଦାଏ ମନ୍ଦାଏ ହୋଇ ଧଳା ରଙ୍ଗର କୋରାଲମାନ ଜଗା ଅଧିକାର କରିନେଉଛନ୍ତି । ଆଗକୁ ଦିନେ ଅଲଗା ଆକରର ଅସଂଖ୍ୟ ରଙ୍ଗ ବେରଙ୍ଗୀ ମାଛମାନେ ଏକ ଏକ ମହୁମାଛି ଭଳି ଏ କୋରାଲ ଫୁଲକୁ ଛୁଇଁ ଛୁଇଁ ପହଁରୁଥିôବେ । ସେମାନଙ୍କୁ ସବୁବେଳେ ସତେଜ ଫୁଲର ଆବଶ୍ୟକତା ଅଛି । ଆଉ କୋରାଲର ଫୁଲ କେବେ ଦିନ ସହ ମଉଳେନି ।
ଭାଙ୍ଗି ପଡୁଥିବା ଢେଉର ଆଡକୁ ନୂଆକରି ତିଆରି ହେଉଥିବା ଗୋଲାପୀ ରଙ୍ଗର କୋରାଲ ବେଶି ଜୀବନ୍ତ ଦିଶୁଥିଲା । ଏ କୋରାଲ କମ ମିଳେ । ଆଉ ଗୋଟାଏ ଜାଗାରେ ଥିଲା ପୋରାଇଟିସ (ଚକ୍ଟକ୍ସସଗ୍ଧରଗ୍ଦ) ପ୍ରଜାତିର ମାସିଭ କୋରାଲ । ଏ ପ୍ରଜାତି କୋରାଲକୁ ଦେଖିଲେ ଲାଗୁଥିଲା ଛୋଟ ଛୋଟ ଶୃଙ୍ଗ ଯେମିତି ଭୂମିରୁ ବାହାରି ଆସିଛି । ଗୋଟାଏ ଯାଗାରେ ମ୍ୟାଗ୍ନଫିସେଣ୍ଟ ଆନିମୋନେ (ଗବଶଦ୍ଭସଲସମରଦ୍ଭଗ୍ଧ ଇଦ୍ଭରଜ୍ଞକ୍ଟଦ୍ଭର)ଏକ ପଥରକୁ ଜାବୁଡିଧରି ନିଜର ମୁଣ୍ଡ ହଲାଉଥିଲା । ଲାଗୁଥିଲା ଯେମିତି ଏକ ଏକ ଛୋଟ କମ୍ବଳରୁ ନରମ ତୂଳାସବୁ ପେନ୍ଥାହୋଇ ହଲୁଛି । କେଉଁଠି କେଉଁଠି ସବୁଜ ରଙ୍ଗର ସି ଗ୍ରାସ କୋରାଲ ସନ୍ଧିରୁ ବାହାରି ପବନରେ ବଡ ଘାସ ଦୋହଲିଲା ପରି ପାଣି ସ୍ରୋତରେ ହଲୁଥିଲା । ଗୋଲ ଗୋଲ ଇୟଫାଇଲିଆ ଆନକୋରା (ଋଙ୍କକ୍ଟ୍ରଷଚ୍ଚକ୍ଷକ୍ଷସବ ଝକ୍ଟ୍ରକ୍ଟ୍ର) କୋରାଲ କେଉଁଠି କେଉଁଠି ଲାଗି ରହିଥିଲା ଯେମିତି କୋରାଲ ଗୋଲ ସବୁଜ ଅଙ୍ଗୁରର ପେନ୍ଥାମାନ ଲାଗିଛି । କେଉଁଠି ମୁଣ୍ଡ ଟେକିଥିଲା ପାଇନ କୋନ ଭଳି ଛୋଟ କୋନ । ଏହା କେଉଁ ପ୍ରଜାତିର ଜଳୀୟ ଗୁଳ୍ମ ତାହା ଅସୀମ ଜାଣିନଥିଲେ । କୋରାଲ ସମୁଦ୍ରରେ ଅନେକ ଛୋଟ ଛୋଟ କୁଦମାନ ତିଆରି ହୋଇଥିଲା । କୋରାଲ ଏକ ଫୁଲ ନୁହେଁ,ପଥର ବି ନୁହେଁ, ଜୀବନ୍ତ ପ୍ରାଣୀ, ଦେହରେ ଜୀବନ ଅଛି । ପ୍ରକୃତି ନିୟମ ହିସାବରେ ନିଜର ବଂଶବୃଦ୍ଧି କରନ୍ତି । କୋରାଲର ପଲିପ ସବୁ ନିଜର ଟେଣ୍ଟାକଲକୁ ବାହାର କରି ସାଧାରଣତଃ ରାତିରେ ଖାଦ୍ୟ ସଂଗ୍ରହ କରନ୍ତି । ଦିନରେ ପଲିପ ନିଜକୁ ଏକ ସୁରକ୍ଷା କପ ଭିତରକୁ ନେଇଯାଆନ୍ତି । କୋରାଲ ଉଭୟ ସେକ୍ସୁଆଲି ବା ଏସେକ୍ସୁଆଲି ବଂଶବୃଦ୍ଧି କରେ । ବ୍ରାନଚିଙ୍ଗ କୋରାଲ ଶାଖା ବୃଦ୍ଧି କରିଚାଲେ । ଏହି ଶାଖା ସାଧାରଣତଃ ସରୁଆ ଆଉ ଏତେ ଟାଣ ହୋଇନଥାଏ । ଭାଙ୍ଗିଗଲେ ପୁଣି ଏହି ଭଙ୍ଗା ଶାଖାରୁ ନୂଆ କୋରାଲ ସୃଷ୍ଟି ହୁଏ । ଏମିତି କିଛି ସମୟ ଆଣ୍ଠୁଏ, ଜଙ୍ଘେ ପାଣିରେ ଠିଆ ହେବା ପରେ ସେମାନେ ପାଣିରୁ କୂଳକୁ ଫେରିଆସି ସମୁଦ୍ରକୁ ଅନାଇଲେ । ଉପରକୁ ଜଣା ପଡୁନି, କିନ୍ତୁ ସମୁଦ୍ର ତଳେ କାୟା ବିସ୍ତାର କରିଛି କୋରାଲର ରାଜ୍ୟ । ଏମିତି ଅସାଧାରଣ ଭାବେ ସୁନ୍ଦର ଲାଗୁଥିବା ଅନେକ ଅନେକ ପ୍ରକାରର କୋରାଲ ବିଷୁବରେଖା ପାଖାପାଖି ସମୁଦ୍ରରେ କୋରାଲ ରିଫ ତିଆରି କରେ । ଅଷ୍ଟ୍ରେଲିଆର ଗ୍ରେଟ ବ୍ୟାରିଅର ରିଫ ଏତେ ବଡ ଯେ ଏହା ଚନ୍ଦ୍ରରୁ ମଧ୍ୟ ବାରିହୋଇଯାଏ । କୋରାଲ ରିଫ ତିଆରି ହେବାପାଇଁ ଏକଦମ ସଫା ପାଣି ଆଉ ପାଣିର ତାପମାନ ୨୩ରୁ ୨୫ ଡିଗ୍ରୀ ସେଣ୍ଟିଗ୍ରେଡ ମଧ୍ୟରେ ହେବା ଦରକାର । ପାଣିରେ କିଛି ପଟୁ ବା ଅନ୍ୟ ମିଶ୍ରଣ ରହିବା ଉଚିତ ନୁହେଁ । ପାଣିର ଗଭୀରତା ଅତି ବେଶିରେ ୩୦ ମିଟର ପର୍ଯ୍ୟନ୍ତ ହେବା ଦରକାର ଯେମିତିକି ପାଣି ଭିତରକୁ ସୂର୍ଯ୍ୟାଲୋକ ପ୍ରବେଶ କରିପାରିବ । କୋରାଲ ଫଟୋସିନ୍ଥେସିସ ଉପାୟରେ ମଧ୍ୟ ନିଜର ପୋଷକତତ୍ତ୍ୱ ବା ଶକ୍ତି ସଂଗ୍ରହ କରେ । ଏମିତି ଉପଯୁକ୍ତ ପରିବେଶ ୨୨ ଡିଗ୍ରୀ ଉତ୍ତରରୁ ୨୨ ଡିଗ୍ରୀ ଦକ୍ଷିଣ ଲାଟିଚିଉଡ ବା ଅକ୍ଷାଂଶ ମଧ୍ୟରେ ମିଳେ । ତେଣୁ କୋରାଲ ଏହି ସବୁ ଅଞ୍ଚଳରେ ମିଳିଥାଏ । କୋରାଲର ଆଉଟର ସ୍କେଲିଟନ ବା କଙ୍କାଳ ବା ଢାଞ୍ଚା କ୍ୟାଲସିଅମ କାର୍ବୋନେଟରେ ତିଆରି । ସବୁ ରିଫ ତିଆରି କରୁଥିବା କୋରାଲ କଠିନ କୋରାଲ । ଏହି ରିଫ ବିଲଡିଙ୍ଗ କୋରାଲର ସ୍କେଲିଟନ ଧଳା କିନ୍ତୁ ପଲିପ ଗୋଲାପୀ, ହଳଦିଆ, ଖଇରିଆ, ନୀଳ ବା ସବୁଜ ରଙ୍ଗର ହୋଇପାରେ । ନରମ କୋରାଲରେ ଛୁଞ୍ଚô ଭଳି କ୍ୟାଲସିଅମ କାର୍ବୋନେଟର କଙ୍କାଳ ଥାଏ ଥାଏ । ଏହା ଏକ ଛୋଟ ଗଛ ପରି ଲାଗେ । “କୋରାଲର ନାଁ ତୁମକୁ ଭଲ ଲାଗିବ । ଆଉ ତୁମେ ବହୁ ଜିନିଷ ସହ ସାମ୍ୟ ଦେଖିପାରିବ ।”-ଅସୀମ ଅନେକ ସମୟ ପରେ କହିଲେ । ତା’ପରେ ସେ ଜାଣିଥିବା କୋରାଲମାନଙ୍କ ଉପରେ କହିବାକୁ ଲାଗିଲେ । ସବୁ କୋରାଲ ଗ୍ରେଟ ନିକୋବର ଚାରିପାଖରେ ମିଳେ କି ନାହିଁ ସେ ତାହା ଜାଣିନଥିଲେ କିନ୍ତୁ ପ୍ରାୟ ମିଳୁଥିବ ବୋଲି ଭାବୁଥିଲେ । ମଶରୁମ କୋରାଲ ଉପରଟା ଠିକ ଛତୁ ଭଳି ଗାରିଗାରିକିଆ ଲାଗେ ।ଫିଙ୍ଗର କୋରାଲ ଲାଗିବ ଆଙ୍ଗୁଠି ଭଳି ଆଉ ଏହା ଏକ ଛୋଟ କଲୋନୀ କରିଥାଏ । ଲାଗିବ ଯେମିତି ଛୋଟ ଛୋଟ ଡାଳମାନ ଏକ ପତ୍ରହୀନ ଗଛ ହୋଇ ମେଲିଯାଇଛି । ବ୍ରେନ କୋରାଲର ପ୍ୟାଟର୍ଣ୍ଣ ତ ପୂରା ମଣିଷର ମସ୍ତିଷ୍କ ଭଳି ଲାଗିବ ।ମୁଣ୍ଡ ଭଳିଆ ଆକାରରେ ଗୋଲ । ଆଉ ଷ୍ଟାଗ ହର୍ଣ୍ଣ କୋରାଲ ଲାଗିବ ଯେମିତି ଅଣ୍ଡିରା ହରିଣର ଶିଙ୍ଘ । କେନା କେନା ହୋଇଛି । ଏ କୋରାଲ ଜଲଦି ବଢିଥାଏ । ଆନିମୋନେ କୋରାଲର ପଲିପକୁ ଛୁଇଁଦେଲେ ଏହା ଏକ ଲଜକୁଳି ଲତା ଭଳି ଶିକୁଡି ଯାଏ । ମାସିଭ କୋରାଲ ଅନ୍ୟ କୋରାଲ ତୁଳନାରେ ନରମ ହୋଇଥାଏ । ଏ କୋରାଲ ସବୁ ଧୀରେ ବଢିଥାଏ । ମୁନ କୋରାଲ ଦେଖିବାକୁ ସୁନ୍ଦର, ଗୋଲ ଚନ୍ଦ୍ରାକୃତି ଆକାରମାନ କୋରାଲ ଉପରେ ଯେମିତି କିଏ ଛାପି ଦେଇଥାଏ । ରାତିରେ ଏହି କୋରାଲର କୋଲନୀ ଉପରେ ଟର୍ଚ୍ଚ ପକାଇଲେ ସୁନ୍ଦର ରଙ୍ଗ ଦେଖାଯାଏ । ଏମିତି ଅଛି କେତେ କେତେ ପ୍ରକାରର କୋରାଲ । କିଛି କୋରାଲ ତ କପ ଭଳି ଲାଗେ । ସତେ ଯେମିତି ଫୁଲ ସବୁ ଗୋଟାଏ ପଥରକୁ ଢାଙ୍କି ରଖିଛି । କୋରାଲ ସମୁଦ୍ରରେ ଅଛନ୍ତି ସି ଆନିମୋନେ । ଏଗୁଡିକ କୋରାଲର ପଲିପ ଭଳି ଲାଗନ୍ତି କିନ୍ତୁ ଏମାନଙ୍କର କୋରାଲର ହାଡ ବା ସ୍କେଲିଟନନାହିଁ, ତେଣୁ ପ୍ରାୟ ହଲୁଥାନ୍ତି । ଯେମିତି ଏକ ଫୁଲର ପାଖୁଡା ଆଉ ତାହା ପବନରେ ହଲୁଅଛି । ସି ଆନିମୋନେର ଟେଣ୍ଟାକଲ ବିଷାକ୍ତ ଆଉ ମାଛକୁ ଜଡ କରିଦେଇପାରେ । (କ୍ରମଶଃ)
ଭୁବନେଶ୍ୱର