ବନ୍ଧୁକ ଦେଖାଇ ଲୁଟ ଘଟଣା, ୩ ଗିରଫ
କଟକ : କଟକରେ ବନ୍ଧୁକ ଦେଖାଇ ଲୁଟ ଘଟଣାରେ ମାଲଗୋଦାମ ପୁଲିସ ୨ ଲୁଟେରା ଓ ଲୁଟ ସାମଗ୍ରୀ କିଣିଥିବା ଜଣେ ଅଭିଯୁକ୍ତ ସମେତ ୩ ଜଣକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ପୁଲିସ ଷ୍ଟେସନ ଅନ୍ତର୍ଗତ ଜିରା ଗ୍ରାମର ଚଣ୍ଡି ଓରଫ ରାଜା ଓରଫ ବିଶ୍ୱନାଥ ନାୟକ (୨୯), ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଲକ ଥାନା ଅନ୍ତର୍ଗତ ନିମିଧି ଗ୍ରାମର ଦିପୁ ଓରଫ ହୃଦାନନ୍ଦ ସିଂହ (୩୬) ଓ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ କୋଠିଆ ସାହିର ଉମେଶ ଚନ୍ଦ୍ର ସାହୁ (୫୫) । ପୁଲିସ ସେମାନଙ୍କ ଠାରୁ ଗୋଟିଏ ମୋଟରସାଇକେଲ, ୫ଟି ସୁନା ଚେନ, ଗୋଟିଏ ବନ୍ଧୁକ, ୩ଟି ଜୀବନ୍ତ ଗୁଳି, ୨ଟି ମୋବାଇଲ ଫୋନ ଜବତ କରିଛି । ଗିରଫ ଅଭିଯୁକ୍ତମାନଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି ।
ସୂଚନା ମୁତାବକ ଜଗତସିଂହପୁର ଜିଲ୍ଲା ଏରସମା ଅଞ୍ଚଳର ମୂଳ ବାସିନ୍ଦା ତଥା ଅଧୁନା ସ୍ଥାନୀୟ ରାଜେନ୍ଦ୍ରନଗରରେ ରହୁଥିବା ଦିଲୀପ କୁମାର ମଲିକ ମାଲଗୋଦାମ ଥାନାରେ ଏକ ଲିଖିତ ଏତଲା ରୁଜୁ କରିଥିଲେ । ଦିଲୀପ ତାଙ୍କ ଏତଲାରେ ଦର୍ଶାଇଥିଲେ ଯେ, ଗତ ବୁଧବାର ମଧ୍ୟାହ୍ନ ୧୨ଟା ସମୟରେ ସେ ତାଙ୍କ ସ୍ତ୍ରୀଙ୍କ ସହିତ ଛତ୍ରବଜାର ଅର୍ବାନ ହାଟରୁ ସ୍କୁଟିରେ ଘରକୁ ଫେରୁଥିଲେ । ଏହି ସମୟରେ ୨ ଜଣ ଦୁର୍ବୃତ୍ତ ପଛରୁ ଏକ ବାଇକ୍ରେ ଆସି ତାଙ୍କ ସ୍ତ୍ରୀଙ୍କ ବେକରୁ ସୁନା ଚେନ ଛିଣ୍ଡାଇ ନେଇଥିଲେ । ଫଳରେ ତାଙ୍କ ସ୍ତ୍ରୀ ତଳେ ପଡ଼ି ଆହତ ହୋଇଥିଲେ । ଏହା ପରେ ଅନ୍ୟ ଜଣେ ଦୁର୍ବୁତ୍ତ ସେମାନଙ୍କ ଆଡ଼କୁ ବନ୍ଧୁକ ଦେଖାଇ ଖସି ଯିବାକୁ ଚେଷ୍ଟା କରିଥିଲା । ସ୍ଥାନୀୟ ଲୋକେ ହସ୍ତକ୍ଷେପ କରି ଜଣେ ଅଭିଯୁକ୍ତକୁ କାବୁ କରିବା ପରେ ତାକୁ ମାଲଗୋଦାମ ପୁଲିସ୍ଜିମା ଦେଇଥିଲେ । ଗିରଫ ଅଭିଯୁକ୍ତର ବୟାନ ଆଧାରରେ ମୁଖ୍ୟ ଅଭିଯୁକ୍ତ ରାଜା ଓରଫ ବିଶ୍ୱନାଥ ନାୟକ ଧରାପଡ଼ିଥିଲା । ମୁଖ୍ୟ ଅଭିଯୁକ୍ତକୁ ପଚରା ଉଚୁରା କରିବା ପରେ ପୁଲିସ ଲୁଟ ସାମଗ୍ରୀ କିଣିବା ଅଭିଯୋଗରେ ଉମେଶ ସାହୁକୁ ଗିରଫ କରିଥିଲା । ଗିରଫ ମୁଖ୍ୟ ଅଭିଯୁକ୍ତ ରାଜା ନାମରେ ପାରାଦ୍ୱୀପ ଲକ ଥାନା ଓ କଟକ ମଂଗଳାବାଗ ଥାନାରେ ପୂର୍ବରୁ ମୋଟ ୨୨ଟି ମାମଲା ରହିଛି । ଏହାଛଡ଼ା ଅନ୍ୟ ଅଭିଯୁକ୍ତ ଦିପୁ ନାମରେ ବିଭିନ୍ନ ଥାନାରେ ୪ଟି ଏବଂ ଅଭିଯୁକ୍ତ ଉମେଶ ନାଁରେ ୨ଟି ମାମଲା ରହିଛି ।