ହୁଗୁଳା ଆଇନ ବ୍ୟବସ୍ଥା  : ଘାଟରୁ ବେଆଇନ୍ ବାଲି ଖନନ

 ସାରସକଣା  : ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଲଗାତାର ବାଲି ପାଇଁ ଚର୍ଚ୍ଚାରେ ଥିବାବେଳେ, ରାଜନୈତିକ ଚାପରେ ଖୁଲମଖୁଲ୍ଲା ଚାଲିଛି ବେଆଇନ କାରବାର । ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ଚୁପ୍ ଥିବାବେଳେ, ସାରସକଣା ବ୍ଲକରେ ଚାଲିଥିବା ବେଆଇନ କାରବାରକୁ ନେଇ ଗୁଇନ୍ଦା ରିପୋର୍ଟ ଅନୁସାରେ ଝାରଖଣ୍ଡ ରାଜ୍ୟର ପ୍ରମୁଖ ଖବର କାଗଜରେ ପ୍ରକାଶିତ ହୋଇଛି ଏହି ଖବର । ଜିଲ୍ଲାର ପ୍ରଶାସନ ପ୍ରତି ଏହା ନିଶ୍ଚିତ ଭାବେ ନିନ୍ଦନୀୟ ଘଟଣା ହୋଇଥିବା ବେଳେ, ପଛରେ ରାଜନୈତିକ ଚାପ ପ୍ରମୁଖ କାରଣ ବୋଲି ଜଣାଯାଇଛି । ବିଜେଡି ସରକାର ଥିବା ସମୟରେ ଯାହା ଦୁର୍ନୀତି ଓ ବେଆଇନ କାର୍ଯ୍ୟ ହେଉଥିଲା ତାହାକୁ ରୋକିବା ପାଇଁ ଭୋଟର ବିଜେପିର ପ୍ରାର୍ଥୀ ଭାଦବ ହାଁସଦାଙ୍କୁ ଭୋଟ ଦେଇ ନିର୍ବାଚିତ କରାଇଲେ, ଏପରିକି ସରକାର ମଧ୍ୟ ବିଜେପି ଗଢିଲା । ତାପରେ ମଧ୍ୟ ବେଆଇନ ଖଣିଜ ସମ୍ପଦ ଲୁଟ ବନ୍ଦ ହେଉନାହିଁ ।  ଓଡିଶା ସରକାର ଏଥିପ୍ରତି ଦୃଷ୍ଟି ଦେଉ ନଥିବା ବେଳେ, ବାହାର ରାଜ୍ୟର ଖବର କାଗଜରେ ଏହା ପ୍ରକାଶ ପାଇଛି । ବାହାରାଗୋରା ଥାନା ଅଞ୍ଚଳର ବିଭିନ୍ନ ଘାଟ ସହିତ ସୀମାରେ ରହିଥିବା ସାରସକଣା ବ୍ଲକର ବିଭିନ୍ନ ଘାଟରୁ ବେଆଇନ ଭାବରେ ବାଲି ଖନନ କରାଯାଇ ବିଭିନ୍ନ ସ୍ଥାନରେ ସଂରକ୍ଷଣ କରାଯାଇଥିଲା । ବର୍ଷା ପୂର୍ବରୁ ମଧ୍ୟ ବାଲି ଚୋରା ଚାଲାଣକାରୀ ନଦୀରୁ ବାଲି ଉଠାଇ ଜଙ୍ଗଲରେ ସଂରକ୍ଷଣ କରିଥିଲେ ।
ଏବେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଇ ଖଣି ଖନନ ବନ୍ଦ ହୋଇଯାଇଥିବାରୁ ଗଚ୍ଛିତ ବାଲି ଚୋରାଚାଲାଣ କରାଯାଉଛି । ଓଡିଶାର ଝାରପୋଖରିଆ ଥାନା ଅଞ୍ଚଳର ଜାମଶୋଳା ଏବଂ ଝାଡ଼ଖଣ୍ଡ ସୀମାଠାରୁ ୭ କିଲୋମିଟର ଦୂର ବମ୍ବେଛକ ଅଞ୍ଚଳରେ ମଧ୍ୟ ବେଆଇନ ବାଲି ସଂରକ୍ଷଣ କରାଯାଉଛି । ଓଡ଼ିଶା ସୀମାର ସୁବର୍ଣ୍ଣରେଖା ନଦୀ ଦିନରାତି ଜାମସେଦପୁର, ଘାଟଶିଳା ଏବଂ ଆଖପାଖ ଅଞ୍ଚଳକୁ ବାଲି ଚୋରା ଚାଲାଣ ହେଉଛି ବୋଲି ଖବର କାଗଜ ପ୍ରକାଶ କରିବା ଜିଲ୍ଲା ପ୍ରଶାସନ ସହିତ ଓଡିଶା ସରକାରଙ୍କ ମାଇନିଙ୍ଗ ବିଭାଗ ଓ ରାଜସ୍ୱ ବିଭାଗର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୂର୍ବ ସିଂହଭୂମି ସୀମାରେ ପ୍ରବେଶ କରିବା ମାତ୍ରେ ରାଜନୈତିକ ପୃଷ୍ଠପୋଷକତା ଥିବା ଗୁଣ୍ଡାମାନେ ପ୍ରବେଶ ନାମରେ ପ୍ରତି ଟ୍ରକ୍ ପାଇଁ ୨୫୦୦ ଟଙ୍କା ଆଦାୟ କରୁଥିବା ଖବର ପ୍ରକାଶପାଇଥିଲା ବେଳେ, ଝାରଖଣ୍ଡ ରାଜ୍ୟର ଗାଡିରୁ ଟ୍ରିପ ପିଛା ୧୫୦୦ ଏବଂ ପଶ୍ଚିମବଙ୍ଗ ରାଜ୍ୟର ଗାଡିରୁ ଟ୍ରିପ ପିଛା ୨୦୦୦ ଟଙ୍କା ସଂଗ୍ରହ କରାଯାଉଛି । ତେବେ ଉକ୍ତ ଘଟଣାର ତଦନ୍ତ କଲେ ପ୍ରକୃତ ସତ୍ୟତା ଜଣା ପଡନ୍ତା ମାତ୍ର ରାଜନୈତିକ ଚାପରେ ମାଇନିଙ୍ଗ ବିଭାଗ ଓ ପୁଲିସ କାର୍ଯ୍ୟ କରୁଥିବା ସ୍ଥାନୀୟ ଅଞ୍ଚଳରେ ଖୁଲମଖୁଲ୍ଲା ଆଲୋଚନା ହେଉଥିବା ବେଳେ, ଏହାର ତଦନ୍ତ କଲେ ଜଣା ପଡନ୍ତା । ବିଧାୟକ ଭାଦବ ହାଁସଦାଙ୍କ ଜ୍ଞାତସାରରେ ଏହି କାରବାର ହେଉଛି ଅଥବା ତାଙ୍କ ନାମକୁ ବ୍ୟବହାର କରି କୁଚକ୍ରି ଏହିପରି ବ୍ୟବସାୟ ଚଳାଉଛନ୍ତି । ଝାରଖଣ୍ଡ ରାଜ୍ୟର ଏହି ପ୍ରମୁଖ ଖବରକାଗଜରେ ପ୍ରକାଶିତ ଖବରରେ ଯଦି ସତ୍ୟାସତ୍ୟ ରହିଛି ତାହାଲେ ନିଶ୍ଚିତ ଭାବେ ବିଧାୟକ ଭାଦବ ହାଁସଦାଙ୍କ ନିର୍ବାଚନ ମଣ୍ଡଳୀରେ ରହିଥିବା ସାରସକଣା ବ୍ଲକର ପ୍ରଶାସନିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ଯାଇଥିବା କଥାକୁ ପ୍ରମାଣିତ କରୁଛି । ତେବେ ଏବାବଦରେ ବିଧାୟକଙ୍କ ମତାମତ ଜଣାପଡିନାହିଁ ।