ଗୀତା ବର୍ଣ୍ଣିତ ଭକ୍ତିଯୋଗ
ଭକ୍ତିଯୋଗ ଗୀତାଜ୍ଞାନର ଅମୃତମୟ ଫଳ । ଭକ୍ତି ହିଁ ଏକମାତ୍ର ସାଧନ ଯହିଁରେ ନିମଜ୍ଜିତ ଗଲେ ଜୀବ ଭଗବାନଙ୍କୁ ପ୍ରତ୍ୟକ୍ଷ କରିପାରେ । ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି:-
ଭକ୍ତ୍ୟା ତ୍ୱନନ୍ୟୟା ଶକ୍ୟ ଅହମେବଂବିଧୋ୧ର୍ଜୁନ,
ଜ୍ଞାତୁଂ ବ୍ରଂଷ୍ମଂ ଚ, ତତତ୍ତ୍ୱନ ପ୍ରବେଷ୍ଣୁଂ ଚ ପରନ୍ତପ ।
ଅର୍ଥାତ୍, ହେ ପରନ୍ତପ ଅର୍ଜୁନ ! କେବଳ ଅନନ୍ୟ ଭକ୍ତି ଦ୍ୱାରା ହିଁ ମୁଁ ଏହିପରି ଚତୁର୍ଭୁଜଧାରୀ ରୂପରେ ପ୍ରତ୍ୟକ୍ଷୀଭୂତ ହେବା ତଥା ତତ୍ତ୍ୱତଃ ଜ୍ଞାତ ହେବା, ଏପରିକି ଏକୀ ଭାବରେ ପ୍ରବିଷ୍ଟ ହେବା ବା ପ୍ରାପ୍ତ ହେବା ମଧ୍ୟ ସମ୍ଭବ । ଭକ୍ତିଯୋଗ ଆଧ୍ୟାତ୍ମିକ ସାଧନାର ଶ୍ରେଷ୍ଠ ଉପାୟ । ଭକ୍ତି ପ୍ରବଣ ବ୍ୟକ୍ତି ଶ୍ରବଣ, କୀର୍ତ୍ତନ, ସ୍ମରଣ, ପାଦସେବନ, ଅର୍ଚ୍ଚନ, ବନ୍ଦନ, ଦାସ୍ୟ, ସଖ୍ୟ ଓ ଆତ୍ମନିବେଦନ ପ୍ରଭୃତି ନବଧାଭକ୍ତି ସାଧନର ଉପାୟ ଅନୁଶୀଳନ କରିଥାନ୍ତି । ନିଜର ଅନ୍ତରାତ୍ମାକୁ ଭଗବାନଙ୍କ ନିକଟରେ ଲଗାଇ ପୂର୍ଣ୍ଣ ଶ୍ରଦ୍ଧାପୂର୍ବକ ଭଗବାନଙ୍କର ନିରନ୍ତର ଭଜନ କରିବା ହିଁ ଭକ୍ତିଯୋଗ । ଗୀତାରେ କୁହାଯାଇଛି :-
ଯୋଗିନାମପି ସର୍ବେଷାଂ ମଦ୍ଖତେନାନ୍ତରାତ୍ମନା,
ଶ୍ରଦ୍ଧାବାନ ଭଜତେ ଯୋଗ ମାଂସ ମେ ଯୁକ୍ତତମୋ ମତଃ ।
ଅର୍ଥାତ୍ ଯୋଗୀମାନଙ୍କ ମଧ୍ୟରେ ବି ଯେଉଁ ଶ୍ରଦ୍ଧାବାନ ଯୋଗୀ ମୋ’ଠାରେ ଲାଗି ରହିଥିବା ଅନ୍ତରାତ୍ମା ଦ୍ୱାରା ମୋତେ ନିରନ୍ତର ଭଜୁଥାନ୍ତି, ସେହି ଯୋଗୀ ମୋ ମତରେ ପରମ ଶ୍ରେଷ୍ଠ ଯୋଗୀ ଅଟନ୍ତି । ଭଗବାନଙ୍କୁ ଶ୍ରଦ୍ଧାପୂର୍ବକ ଅନ୍ତର୍ନିବିଷ୍ଟ ହୃଦୟରେ ଭଜନ ନକଲେ ଧ୍ୟାନଯୋଗ କେବଳ ଶାରୀରିକ ବ୍ୟାୟାମ ବୋଲି ବୁଝିବାକୁ ହେବ ଓ ନିଜ ଶରୀରକୁ କଷ୍ଟ ଦେବା ବ୍ୟତୀତ ଅନ୍ୟ କିଛି ନୁହେଁ ବୋଲି ମନେ କରିବାକୁ ହେବ । ଏଣୁ ଗୀତାକୁ ଧ୍ୟାନ ତଥା ଭକ୍ତିର ସାମଞ୍ଜସ୍ୟ ସାଧନାଗ୍ରନ୍ଥ ବୋଲି ବୁଝିବାକୁ ହେବ । ଏହି କଥା ମୁଁ ବାରମ୍ବାର ଶ୍ରୋତା ସମାଜକୁ ପ୍ରବଚନ ମାଧ୍ୟମରେ ଚେତାଇ ଦେଇଥାଏ । ଭକ୍ତିଯୋଗ ସବୁ ବିଦ୍ୟାମାନଙ୍କରେ ଶ୍ରେଷ୍ଠ ଓ ସମସ୍ତ ରହସ୍ୟମାନଙ୍କ ମଧ୍ୟରେ ଗୂଢ଼ତମ । ପ୍ରବଚନରେ ବିବିଧ ସାଧନ ସଂପର୍କରେ ଆଲୋଚନା କରି ମୁଁ ସୂଚନା ପ୍ରଦାନ କରିଥାଏ ଯେ ଭକ୍ତି ଦ୍ୱାରା ସଂପୁଟିତ ନହେଲେ ଆଚରଣ ଅପୂର୍ଣ୍ଣ ରହେ । ବିରାଟ ରୂପଦର୍ଶନ ଶେଷରେ ଏହି ରୂପ ଦର୍ଶନର ସାଧନା ବର୍ଣ୍ଣନା କରିବା ସମୟରେ ସ୍ୱୟଂ ଶ୍ରୀକୃଷ୍ଣ ପ୍ରତିପାଦିତ କରିଅଛନ୍ତି ଯେ, ଏହି ଦେବଦୁର୍ଲଭ ଦର୍ଶନକୁ ବେଦ କିମ୍ବା ତପସ୍ୟା ଅଥବା ଦାନ ବା ଇଜ୍ୟା ଆଦି ଦ୍ୱାରା ସାକ୍ଷାତ କରାଯାଇପାରିବ ନାହିଁ । ଏହାର ଏକମାତ୍ର ସାଧନ ଅନନ୍ୟ ଭକ୍ତି । ଏହାରି ଦ୍ୱାରା ଜୀବ ଭଗବାନଙ୍କୁ ପ୍ରତ୍ୟକ୍ଷ କରିପାରେ, ତତ୍ତ୍ୱତଃ ବୁଝିପାରେ, ତାଙ୍କଠାରେ ପ୍ରବେଶ କରିପାରେ ଓ ଭଗବାନଙ୍କ ସହିତ ଐକ୍ୟ ହୋଇପାରେ । ଗୀତାରେ ଏହି ତତ୍ତ୍ୱକୁ ନିମ୍ନଲିଖିତ ଶ୍ଲୋକରେ ବୁଝାଇ ଦିଆଯାଇଅଛି:-
ମତକର୍ମକୃନ୍ମତ୍ପରମୋ ମଭକ୍ତଃ ସଙ୍ଗବର୍ଜିତଃ
ନିବୈରଃ ସର୍ବଭୂତେଷୁ ଯଃ ସ ମାମେତି ପାଣ୍ଡବ ।
ଅର୍ଥାତ୍, ହେ ଅର୍ଜୁନ ! ଯେଉଁ ପୁରୁଷ କେବଳ ମୋ ପାଇଁ ସକଳ କର୍ତ୍ତବ୍ୟ କର୍ମ କରନ୍ତି, ଯେ ମୋର ପରାୟଣ ହୁଅନ୍ତି, ମୋର ଭକ୍ତ ହୁଅନ୍ତି, ଆସକ୍ତି ରହିତ ହୁଅନ୍ତି ଓ ସକଳ ପ୍ରାଣୀଙ୍କ ଠାରେ ବୈରଭାବ ଶୂନ୍ୟ ହୁଅନ୍ତି, ସେହି ଅନନ୍ୟ ଭକ୍ତି ଯୁକ୍ତ ପୁରୁଷ ହିଁ ମୋତେ ପ୍ରାପ୍ତ ହୁଅନ୍ତି । ଯଜ୍ଞ, ଦାନ, ତପ ଆଦି ସଂପୂର୍ଣ୍ଣ କର୍ମକୁ ଭଗବାନଙ୍କର ବୋଲି ବୁଝି କାର୍ଯ୍ୟ କରିବା ବ୍ୟକ୍ତିଙ୍କୁ ଭଗବାନଙ୍କୁ ପରମ ଆଶ୍ରୟ ଭାବ ତାଙ୍କ ପ୍ରାପ୍ତି ଲାଗି ସତତ ଉଦ୍ଯୋଗଶୀଳ ହେବା ବ୍ୟକ୍ତିକୁ, ଭଗବାନଙ୍କୁ ପ୍ରକୃତ ଭକ୍ତି କରିବା ବ୍ୟକ୍ତିକୁ ଆସକ୍ତି ରହିତ ପୁରୁଷ ଓ ସବୁ ପ୍ରାଣୀଙ୍କ ଠାରେ ବୈରଭାବ ରହିତ ପୁରୁଷକୁ ଅନନ୍ୟ ଭକ୍ତ କୁହାଯାଏ । ଏପରି ଭକ୍ତିର ଫଳହଁ ଭଗବତ୍ ପ୍ରାପ୍ତି । ଗୀତା ସକାମ ତଥା ନିଷ୍କାମ ଉପାସନାର ଭେଦକୁ ସ୍ୱୀକାର କରି ନିଷ୍କାମ ଉପାସନାକୁ ଶ୍ରେଷ୍ଠ ବୋଲି କହିଅଛନ୍ତି । ନିରାକାର ଉପାସନାକୁ ଅତ୍ୟନ୍ତ କ୍ଲେଶରେ ବୋଲି କହି ଗୀତା ସଗୁଣ ଉପାସନାର ଉପଦେଶ ପ୍ରଦାନ କରେ । ଗୀତାରେ ଭକ୍ତି ଯୋଗ ଅନ୍ୟସାଧନମାନଙ୍କ ଠାରୁ ଅବିରୋଧିତା ପ୍ରତିପାଦନ କରେ । ଆର୍ତ୍ତ, ଜିଜ୍ଞାସୁ ତଥା ଅର୍ଥାର୍ଥୀଠାରୁ ବହୁ ଉଚ୍ଚରେ ଜ୍ଞାନୀ ଭକ୍ତିର ସ୍ଥାନ । ଜ୍ଞାନୀ ଭକ୍ତ ଭଗବାନଙ୍କର ଆତ୍ମସ୍ୱରୂପ । ଗୀତାରେ ଭଗବାନ କହିଛନ୍ତି:-
ଉଦାରତାଃ ସର୍ବ ଏବୈତେ ଜ୍ଞାନୀ ତ୍ୱାତ୍ମୈବ ମେ ମତମ୍,
ଆଶ୍ଚିତଃ ଏହି ଯୁକ୍ତାତ୍ମା ମାମେବାନଭମାଂ ଗଦିମ୍ ।
ଗୀତାରେ ଭିନ୍ନ ଭିନ୍ନ ମାର୍ଗମାନଙ୍କର ସମନ୍ୱୟ ପ୍ରଦର୍ଶିତ ହୋଇ ସାଧନ ମାର୍ଗକୁ ସୁଗମ ଓ ସୁଲଭ କରାଯାଇଛି । ଗୀତା ମତରେ କର୍ମ, ଜ୍ଞାନ, ଧ୍ୟାନ ତଥା ଭକ୍ତିଯୋଗ ପ୍ରତ୍ୟେକ ଭିନ୍ନ ଭିନ୍ନ, ସ୍ୱତନ୍ତ୍ର ସ୍ୱତନ୍ତ୍ର ସାଧନସରଣୀ ନହୋଇ ଗୋଟିଏ ମାର୍ଗର ଭିନ୍ନ ଭିନ୍ନ ଆଶ୍ରୟସ୍ଥଳ ହୋଇଅଛି । ଅଷ୍ଟାଦଶ ଅଧ୍ୟାୟରେ ଏହି ମାର୍ଗମାନଙ୍କର ପରସ୍ପରର ସାମଞ୍ଜସ୍ୟ ସଂକ୍ଷେପରେ କୁହାଯାଇଛି । ଗୀତାରେ ସାଧନ ମାର୍ଗର ଆରମ୍ଭ ନିଷ୍କାମ କର୍ମ ଦ୍ୱାରା ତଥା ପର୍ଯ୍ୟାବସାନ ଶରଣୀଗତି ଦ୍ୱାରା ହିଁ କରାଯାଇଛି । ନିଷ୍କାମକର୍ମ କରିବା ଦ୍ୱାରା ଓ ନିୟମ ପୂର୍ବକ ଧ୍ୟାନଯୋଗର ଅଭ୍ୟାସ ଦ୍ୱାରା ସାଧକ ବ୍ରହ୍ମଭାବ ଲାଭ କରେ ଓ ସେପରି ଅବସ୍ଥାରେ ଜୀବନ ପ୍ରାଣୀମାନଙ୍କ ଠାରେ ସମତା ବୁଦ୍ଧି ରଖି ପ୍ରସନ୍ନ ଚିତ୍ତରେ ବ୍ରହ୍ମ ଭାବ ଲାଭ କରେ । ଏହି ବ୍ରାହ୍ମୀସ୍ଥିତି ଉଦୟ ହେବା ପରେ ସାଧକ ପରା ଭକ୍ତି ଅଥବା ପରମେଶ୍ୱରଙ୍କ ଠାରେ ଉକ୍ରର୍ଷ ଭକ୍ତି ଲାଭ କରେ । ଭକ୍ତି ଉଦୟ ହେବା ପରେ ସେ ପରାଜ୍ଞାନର ଅଧିକାରୀ ହୁଏ, ଯଦ୍ୱାରା ସେ ଭଗବାନଙ୍କର ସ୍ୱରୂପ, ସ୍ୱଭାବ, ବିଭୂତି ଓ ଗୁଣମାନଙ୍କୁ ଯଥାର୍ଥ ରୂପେ ଜାଣିପାରେ । ଏହାର ସତ୍ଫଳ ଭଗବତ୍ ପ୍ରବେଶ ବା ଈଶ୍ୱରୋପଲବ୍ଧି । ଏହି ଅନ୍ତିମ ଫଳ ନିମିତ୍ତ ଜ୍ଞାନର ଆବଶ୍ୟକତା ଥାଏ । ଗୀତାର ସର୍ବଗୂହ୍ୟତମ ଜ୍ଞାନ ଏହି ଯେ, ହୃଦୟ ସ୍ଥିତି ଅନ୍ତର୍ଯ୍ୟାମୀ ଈଶ୍ୱରଙ୍କ ଶରଣରେ ରହି ସମସ୍ତ ଧର୍ମକୁ ତାଙ୍କ ଠାରେ ପରିତ୍ୟାଗ କରିଦେବା । ସ୍ୱରୂପତଃ କର୍ମମାନଙ୍କୁ ପରିହାର କରାଯାଇନପାରେ । କିନ୍ତୁ ଈଶ୍ୱରଙ୍କ ଠାରେ ସମର୍ପଣ ବୁଦ୍ଧିରେ କର୍ମମାନ ନିଷ୍ପାଦନ କରିବା ଦରକାର । ପ୍ରପତ୍ତିମାର୍ଗ ଅନ୍ୟମାର୍ଗମାନଙ୍କର ନୈସର୍ଗିକ ପର୍ଯ୍ୟାବସ୍ଥାନ ଅଟେ । ଗୀତାର ଗୂହ୍ୟତମ ଜ୍ଞାନ ହେଉଛି :-
ମନ୍ମନାଭବ ମଦ୍ଭକ୍ତୋ ମଦ୍ୟାନୀ ମାଂ ନମସ୍କୁରୁ,
ମାମେ ବୈଷୀସି ଯୁକ୍ତ୍ୱୋ÷ବମାତ୍ମନଂ ମତ୍ପରାୟଗଡ । (୯ ।୩୪)
ଅର୍ଥାତ୍ । ହେ ଅର୍ଜୁନ! ତୁମେ ମୋଠାରେ ମନଲଗାଅ, ମୋର ଭକ୍ତ ହୋଇଯାଅ, ମୋର ପୂଜନ ହୋଇଯାଅ, ମୋତେ ପ୍ରଣାମ କର । ଏପରି କଲେ ତୁମେ ମୋତେ ନିଶ୍ଚୟ ପ୍ରାପ୍ତ ହେବ, ଏହା ମୁଁ ତୁମକୁ ସତ୍ୟ ପ୍ରତିଜ୍ଞା କରି କହୁଛି, କାରଣ ତୁମେ ମୋର ଅତ୍ୟନ୍ତ ପ୍ରିୟ । ଅଷ୍ଟାଦଶ ଅଧ୍ୟାୟର ଏହି ଶ୍ଲୋକଟି ପାଠ ଭେଦରେ ଭିନ୍ନ ଭାବରେ କୋ÷ଣସି କୋ÷ଣସି ଗୀତା ସଂସ୍କରଣରେ ନିମ୍ନଲିଖିତ ପ୍ରକାରେ ଉଲ୍ଲିଖିତ ।
ମନ୍ମନାଭବ ମଦ୍ଭକ୍ତୋ ମଦ୍ୟାଜୀ ମାଂ ନମସ୍କୁରୁ
ମାମେ ବୈଷ୍ୟସି ସତ୍ୟଂତେ ପ୍ରତିଜାନେ ପ୍ରିୟୋସି ମେ (୧୮/୬୫)
ଶ୍ଲୋକଟି ମହତ୍ତ୍ୱପୂର୍ଣ୍ଣ ହୋଇଥିବାରୁ ୯ମ ଅଧ୍ୟାୟ ଓ ୧୮ଶ ଅଧ୍ୟାୟରେ ଦୁଇଥର ଏକ ଅଭିପ୍ରାୟରେ ଉଲ୍ଲିଖିତ । ଗୀତାର ସାଧନମାର୍ଗ ଜାଣିବା ଲୋକ ପକ୍ଷରେ ଏହି ଶ୍ଳୋକଟି ଅତ୍ୟନ୍ତ ଉପାଦେୟ । ଶ୍ଲୋକଟିର ମୁଖ୍ୟ ଅଭିପ୍ରାୟ ଏହି ଯେ, ଯେତେ ପ୍ରକାର ବିଭିନ୍ନ ସାଧନମାର୍ଗ ଅଛି, ଈଶ୍ୱର ସେ ସକଳ ସାଧନ ମାର୍ଗର କେନ୍ଦ୍ରରେ ଅଛନ୍ତି । ତାଙ୍କୁ ହିଁ ଲକ୍ଷ୍ୟ ରଖିଲେ ବିଭିନ୍ନ ସାଧନମାନଙ୍କର ଅପୂର୍ବ ସାମଞ୍ଜସ୍ୟ ନିଷ୍ପନ୍ନ ହୁଏ । ଶ୍ଳୋକର ତାତ୍ପର୍ଯ୍ୟ ହେଉଛି, ମନ ଭଗବାନଙ୍କ ପରେ ଲଗାଇବା ଦରକାର (ଜ୍ଞାନଯୋଗ), ଭକ୍ତି ଭଗବାନଙ୍କ ବିଷୟରେ କରିବା ଦରକାର (ଭକ୍ତିଯୋଗ), ଭଗବାନଙ୍କ ନିମିତ୍ତ ଯଜ୍ଞ କରିବା ଦରକାର (କର୍ମଯୋଗ), ଭଗବାନଙ୍କର ଆଶ୍ରୟ ନେବା ଦରକାର (ଶରଣାଗତି) । ଏହିପରି ବିବିଧ ମାର୍ଗମାନଙ୍କର ସାମଞ୍ଜସ୍ୟ ଭଗବତ୍ନିଷ୍ଠ ହେଲେ ଠିକ୍ ଭାବରେ ହୋଇପାରିବ । ଗୀତାକାର ‘ମତ୍ପରାୟଣଃ’ ଶବ୍ଦକୁ ଶ୍ଲୋକାନ୍ତରରେ ରଖି ଓ ‘ସର୍ବଗୂହ୍ୟତମଂ ବଚନଂ’ କହି ଶରଣାଗତିର ଶ୍ରେଷ୍ଠତା ସ୍ପଷ୍ଟ ରୂପେ ପ୍ରତିପାଦନ କରିଅଛନ୍ତି ।
ଏହି ସାଧନମାନଙ୍କର ଫଳ ଗୀତାରେ ବିସ୍ତୃତ ଭାବରେ ବର୍ଣ୍ଣିତ । ଆତ୍ମାକୁ ଜାଣିବାବେଳେ ପରମାତ୍ମାଙ୍କ ସହିତ ଏକତ୍ୱ ସ୍ଥାପନ କରିଥିବା ଜ୍ଞାନୀଙ୍କୁ ସ୍ଥିତପ୍ରଜ୍ଞ, ଭକ୍ତ, ତି୍ରଗୁଣାତୀତ ଓ ବ୍ରହ୍ମଭୂତ ପ୍ରଭୃତି ଭିନ୍ନ ଭିନ୍ନ ନାମରେ ଅଭିହିତ କରେ । ଏପରି ବ୍ରହ୍ମଭୂତ ସ୍ଥିତିକୁ ବ୍ରାହ୍ମୀସ୍ଥିତି କୁହାଯାଏ । ସାଧନାମାନଙ୍କର ଚରମ ଲକ୍ଷ୍ୟ ପରମତତ୍ତ୍ୱର ଅପରୋକ୍ଷ ଜ୍ଞାନ । ଏହା ଜ୍ଞାନମାର୍ଗ, ଭକ୍ତିମାର୍ଗ ଓ ସାଂଖ୍ୟମାର୍ଗ ଦ୍ୱାରା ସମାନ ଭାବରେ ମିଳିପାରିବ । ଏଥିନିମିତ୍ତ ଗୀତା ଦ୍ୱାରା ବର୍ଣ୍ଣିତ ପୁରୁଷକୁ ଭିନ୍ନ ଭିନ୍ନ ସଂଜ୍ଞା ଦ୍ୱାରା ଅଭିହିତ କରାଯାଇଛି, କିନ୍ତୁ ତତ୍ତ୍ୱ ଏକ । ସିଦ୍ଧ ପୁରୁଷ ସବୁ୍ ପ୍ରାଣୀଙ୍କର ଅଦ୍ୱେଷୀ, ସମସ୍ତଙ୍କର ନିଃସ୍ୱାର୍ଥପ୍ରେମୀ ଅଟେ, ସମତା ତଥା ଅହଙ୍କାର ରହିତ ସୁଖ ଓ ଦୁଃଖ ପ୍ରାପ୍ତିରେ ସମାନ, ଶାନ୍ତଚିତ୍ତ ଓ କ୍ଷମଦାନ ହୋଇଥାଏ । କେଉଁ ବ୍ୟକ୍ତି ଭଗବାନଙ୍କର ପ୍ରିୟ ସେହି ସୁପରୁଷର ମହତ୍ତ୍ୱଗୁଣ ଭଗବାନ ଗୀତା ନବମ ଅଧ୍ୟାୟର ତ୍ରୟୋଦଶ ଶ୍ଲୋକ ଠାରୁ ବିଂଶ ଶ୍ଳୋକ ଅର୍ଥାତ୍ ଆଠଗୋଟି ଶ୍ଳୋକରେ କହିଅଛନ୍ତି । ଏହିପରି ମହତ ଗୁଣର ଅଧିକାରୀ ହେବାକୁ ମୁଁ ପ୍ରବଚନ ମାଧ୍ୟମରେ ଶ୍ରୋତାମାନଙ୍କୁ ନିବେଦନ କରେ ।
ଅଦ୍ୱେଷ୍ନା ସର୍ବଭୂତାନଂ ମୈତ୍ରଃ କରୁଣ ଏବ ଚ,
ନିର୍ମମୋ ନିରହଙ୍କାରଃ ସମଦୁଃଖ ସୁଖଚ କ୍ଷମୀ ।୧୩ ।
ସନ୍ତୁଷ୍ଟଃ ସତତଂ ଯୋଗୀ ଯତାତ୍ମା ଦୃଦୁନିଶ୍ଚୟଃ
ମୟ୍ୟର୍ପିତ ମଚନା ବୁଦ୍ଧିର୍ଯୋ ମଭକ୍ତଃ ସ ମେ ପ୍ରିୟ ।୧୪ ।
ଯସ୍ମାନ୍ନୋଦ୍ ବିଜତେ ଲୋକୋ ଲୋକା ନ୍ନୋଦ୍ବିଜତେ ଚଯଃ
ହର୍ଷାମର୍ଷଭୟୋଦ୍ ବେଗୈର୍ମୁକ୍ତୋ ଯଃ ସ ଚ ମେ ପ୍ରିୟଃ । ୧୫ ।
ଅନପେକ୍ଷଃ ଶୁଚିର୍ଦକ୍ଷ ଉଦାସୀନୋ ଗତବ୍ୟଥଃ ।
ସର୍ବାରମ୍ଭ ପରିତ୍ୟାଗୀ ଯୋ ମଭକ୍ତଃ ସ ମେ ପ୍ରିୟଃ । ୧୬ ।
ଯୋନ ହୃଷ୍ୟାତି ନ ଦ୍ୱେଷ୍ଟି ନ ଶୋଚତି ନ କାଂକ୍ଷତି,
ଶୁଭାଶୁଭ ପରିତ୍ୟାଗୀ ଭକ୍ତିମାନ ଯଃ ସ ମେ ପ୍ରିୟଃ ୧୭ ।
ସମଃଶତ୍ରୋ ଚମିତ୍ରେ ଚ ତଥା ମାନାପମାନିୟୋଃ
ଶୀତୋଷ୍ଣ ମୁଖ ଦୁଃଖେଷୁ ସମଃ ସଙ୍ଗ ବିବର୍ଜିତଃ ।୧୮ ।
ତୁଭ୍ୟନିନାସ୍ତତି ମୋ÷ନୀ ସନ୍ତୁଷ୍ଟୋ ଯେନ କେନଚିତ୍
ଅନିକେତଃ ସ୍ଥିରମତିର୍ଭକ୍ତିମାନେ ପି୍ରୟୋ ନରଃ ।୧୯ ।
ଯେତୁ ଧର୍ମ୍ୟାମୃତମିଦଂ ଯଥୋକ୍ତଂ ପର୍ଯୁ୍ୟପାସତେ,
ଶ୍ରଦ୍ଦଧାନା ମତ୍ପରମ ଭକ୍ତାସ୍ତେତୀବ ମେ ପ୍ରିୟାଃ ।୨୦ ।
ଗୀତା ଅନୁସାରେ ମାନବ ଜୀବନ ନିମିତ୍ତ ଏହାହିଁ ଆଦର୍ଶ । ସଫଳ ଜୀବନକୁ ପରୀକ୍ଷା କରିବା ଲାଗି ଏହା କୁଞ୍ଚôସ୍ୱରୂପ । ଏହିସବୁ ମହତ୍ ଗୁଣ ଧାରଣ କରିଥିବା ପୁରୁଷ ହିଁ ସ୍ଥିତପ୍ରଜ୍ଞ ବା ସ୍ଥିତଧୀ । ମୁଁ ଅନେକ ସ୍ଥଳରେ ମୋର ପ୍ରିୟ ଶ୍ରୋତାମାନଙ୍କୁ ଏହି ଆଠଗୋଟି ଶ୍ଳୋକାନୁସାରେ ମହତ ଗୁଣ ଧାରଣ କରିବାକୁ ଯୋଡ଼ହସ୍ତରେ ପ୍ରାର୍ଥନା କରିଛି, ନଚେତ ମୋ ଗୀତା ପ୍ରବଚନ ଅସାର ହୋଇଯିବ ବୋଲି କହିଛି । ଏହି କଥା ଶ୍ରୋତାମାନଙ୍କୁ ନିବେଦନ କରିବାକୁ ଗୁରୁଦେବ ଓ ପୂଜ୍ୟ ପିତୃଦେବ ମୋତେ ଉପଦେଶ ପ୍ରଦାନ କରିଥିଲେ ।
ଭଗବାନ ଶ୍ରୀକୃଷ୍ଣ ଗୀତାର ଅଷ୍ଟମ ଅଧ୍ୟାୟ ସପ୍ତମଶ୍ଳୋକରେ ଅର୍ଜୁନଙ୍କୁ କହିଛନ୍ତି;-
ତସ୍ମାତ୍ମର୍ବେଷୁ କାକ୍ଷେଷୁ ମାମନିସ୍ମର ଯୁଧ୍ୟ ଚ,
ମୟ୍ୟର୍ପିତ ମନୋବୁଦ୍ଧିର୍ମାମେବୈଷ୍ୟସ୍ୟ ସଂଶୟମ୍ ।
ଏହି ଶ୍ଳୋକରେ ଭଗବାନ ଅର୍ଜୁନଙ୍କୁ ପ୍ରଦାନ କରିଥିବା ଉପଦେଶ ‘ମାମମନସ୍ମର ଯୁଧ୍ୟଚ’ ଆଜି ମଧ୍ୟ ଉପାଦେୟ ଓ ଉପଯୋଗୀ, ଯେପରି ମହାଭାରତ କାଳରେ ଥିଲା । ଭଗବାନଙ୍କୁ ସ୍ମରଣ କରି ସଂସାର ଯୁଦ୍ଧରେ ପ୍ରବୃତ୍ତ ହେବାକୁ ଓ ନିଜର ସକଳ ଧାର୍ମିକ ତଥା ସାମାଜିକ କର୍ତ୍ତବ୍ୟମାନଙ୍କୁ ଯଥାବିଧି ପାଳନ କରିବା ନିମିତ୍ତ ଏହି ଉପଦେଶ ମଧ୍ୟ ପ୍ରଯୁଜ୍ୟ ।
ଗୀତା କେବଳ ମହାଭାରତ ଯୁଦ୍ଧରେ ପ୍ରବୃତ୍ତ ହେବାକୁ ଅର୍ଜୁନଙ୍କୁ କୁହାଯାଇନଥିଲା, ସକଳ ମାନବ ଜାତିକୁ ଜୀବନଯାତ୍ରା ନିର୍ବାହ ନିମିତ୍ତ କୁହାଯାଇଥିଲା । ଗୀତା ହେଉଛି ଭାରତୀୟ ଧର୍ମ, ସଂସ୍କୃତି, ଦର୍ଶନ, ସାମାଜିକ ଜୀବନ, ରାଜନୈତିକ ଜୀବନ ଓ ଆଧ୍ୟାତ୍ମିକ ଜୀବନର ଦିଗଦର୍ଶନ । ଏହି ପରମଗ୍ରନ୍ଥ ଏପରି ପ୍ରାମାଣିକ, ପ୍ରାଞ୍ଜଳ, ସରଳ, ସହଜବୋଧଗମ୍ୟ ଯେ ପୃଥିବୀର ବହୁ ଭାଷାରେ ତହିଁର ଅନୁବାଦ ଉପଲବ୍ଧ । ଗୀତାଜ୍ଞାନ ପୁଣ୍ୟ ସଲିଳା ଗଙ୍ଗାଜଳ ସମାନ ପବିତ୍ର । ଗୀତା କଳ୍ପଦ୍ରୁମର ଶୀତଳ ଛାୟା ସଦୃଶ । ହରିହର ବ୍ରହ୍ମାଙ୍କର ମିଳିତ ତନୁ ବ୍ୟାସଦେବଙ୍କ ଭାଷାରେ:-
ଗୀତା ସୁଗୀତା କର୍ତ୍ତବ୍ୟ କିମନ୍ୟୈଃ ଶାସ୍ତ୍ରସଂଗ୍ରହୈଃ,
ଯା ସ୍ୱୟଂ ପଦ୍ମନାଭସ୍ୟ ମୁଖପଦ୍ମାଦ୍ ବିନିଃସ୍ମୃତା ।
ଆନନ୍ଦନଗର , କାଠଗଡା, ଢେଙ୍କାନାଳ, ୮୮୯୫୨୩୦୭୨୨