ଇଂରେଜ ଶାସନର ବାସ୍ତବତା 

  ଗୋପାଳ ମହାପାତ୍ର :
ଅନେକ ପ୍ରଖ୍ୟାତ ସାହିତି୍ୟକ, ଗବେଷକ, ଐତିହାସିକ ସେମାନଙ୍କ ଲିଖିତ ପୁସ୍ତକ ମାନଙ୍କରେ ଉଲ୍ଲେଖ କରିଛିନ୍ତି ଯେ ‘ଭାରତରେ ଚିନ୍ତନ, ଗବେଷଣା, ଅନୁସନ୍ଧାନ ଏବଂ ବୌଦ୍ଧିକ ଉନ୍ନତିର ପ୍ରକ୍ରିୟା ଷଷ୍ଠ ଶତାବ୍ଦୀ ପର୍ଯ୍ୟନ୍ତ ଚାଲିଥିଲା । ଏହା ପରେ ଏହାକୁ ଅବରୋଧ ବା ଅଟକାଇ ଦିଆଯାଇଥିଲା । ବେଦ, ଉପନିଷଦ, ଗୀତା, ରାମାୟଣ, ମହାଭାରତ ଏବଂ ମହାକବି କାଳିଦାସଙ୍କ ପରେ ଶଙ୍କର, ରାମାନୁଜ, ବଲ୍ଲଭାଚାର୍ଯ୍ୟ, ରାମାନନ୍ଦ, କବୀର, ସୁରଦାସ ଏବଂ ତୁଳସୀଦାସଙ୍କ ନାମ ଉଜାଗର ହୋଇଥିଲା । ଅସଲ କଥା ହେଉଛି ଷଷ୍ଠ ଶତାବ୍ଦୀ ପର୍ଯ୍ୟନ୍ତ ଭାରତର ମହାମନୀଷୀ ମାନେ ଯାହା ସବୁ ଚିନ୍ତା କରିଯାଇଥିଲେ ତାହାହିଁ ସାରାବିଶ୍ୱର ଚିନ୍ତା, ଚେତନା, ଗବେଷଣାର ପୁଞ୍ଜିଥିଲା । ଏହି ସମୟରେ ଭାରତର ଚିନ୍ତନ ଯେଉଁ ସବୁ ଦେଶରେ ପହଞ୍ଚôଥିଲା ସେସବୁ ଦେଶରେ ଏକ ନୂଆ ଚେତନା ଜାଗୃତ ହୋଇଥିଲା । ଭାରତର ଚିନ୍ତନରୁ ଯାହା ମିଳିଥିଲା ତାହା ୟୁରୋପର “ରେନେସାଁ” ବା ପୁନଃଜାଗରଣ ପାଇଁ ଖୋରାକ ଯୋଗାଇଥିଲା । ଏବେ ‘ଏନ୍ସିଇଆରଟି’ର ୮ମ ଶ୍ରେଣୀ (୨୦୨୫-୨୬)ର ପୁସ୍ତକ କୁ ନେଇ ଯେଉଁ ବିମର୍ଷ ଚାଲିଛି ତାହା ଭାରତରେ ୟୁରୋପୀୟ ଦେଶ ମାନଙ୍କର ଔପନିବେଶିକ ସାମ୍ରାଜ୍ୟ ବାବଦରେ ଦିଆଯାଇଥିବା ତଥ୍ୟକୁ ନେଇ ଚାଲିଛି । ପୁସ୍ତକରେ ଲେଖାଯାଇଛି ଯେ ବିଟିଶ ସାମ୍ରାଜ୍ୟବାଦ ଭାରତରୁ ଅନେକ ଧନ ସମ୍ପତ୍ତି ନେଇଯାଇଛି ।
ଆମେରିକାର ଐତିହାସିକ ୱିଲ ଡୁରାଣ୍ଟଙ୍କ ଲିଖିତ “ଷ୍ଟୋଲେନ ୱେଲଥ ଫ୍ରମ୍ ଇଣ୍ଡିଆ” କୌଣସି  କାଳ୍ପନିକ ତଥ୍ୟ ନୁହେଁ, ବରଂ ଏକ ଐତିହାସିକ ସତ୍ୟ । ସେତେବେଳେ ବ୍ରିଟେନରେ ହେଉଥିବା ଔଦ୍ୟୋଗିକ କ୍ରାନ୍ତିକୁ ଯେତେବେଳେ ସମଗ୍ର ବିଶ୍ୱ କୌତୁହଳ ସହ ଦେଖୁଥିଲା ସେତେବେଳେ ତାର ବିକାଶ ପାଇଁ ଇଷ୍ଟ ଇଣ୍ଡିଆ କମ୍ପାନୀର ଗୁରୁତ୍ୱପୁର୍ଣ୍ଣ ଭୂମିକା ଥିଲା । ଇଷ୍ଟ ଇଣ୍ଡିଆ କମ୍ପାନୀ ପ୍ରାରମ୍ଭରେ “ ଟ୍ରେଡ ନଟ ଟେରିଟୋରି” କଥା କହି ଭାରତରେ ପ୍ରବେଶ କରିଥିଲା । ଅର୍ଥାତ୍ ଭାରତରେ ବାଣିଜ୍ୟ କରିବା ପାଇଁ ଆସିଥିଲା, କିନ୍ତୁ କାଳାନ୍ତରରେ “ସୁନାର ପକ୍ଷୀ” କୁହାଯାଉଥିବା ଏହି ଦେଶ ଭାରତକୁ ନିର୍ମମତା ସହ “ଟ୍ରେଡ୍ ୱିଥ ଟେରିଟୋରି”ରେ ପରିଣତ କରି ଦେଇଥିଲା । ଫ୍ରାନ୍ସର ଲେଖକ ଡୋମିନିକ ଲାପିୟର ଏବଂ ଆମେରିକାର ସାମ୍ବାଦିକା ଲେରି କୋଲିନ୍ସଙ୍କୁ ଲିଖିତ ପୁସ୍ତକ “ଫ୍ରିଡ଼ମ ଆଟ ମିଡନାଇଟ”ରେ ଏ ବାବଦରେ ଅନେକ ତଥ୍ୟ ପ୍ରଦାନ କରାଯାଇଛି । ଭାରତ ବର୍ଷ ଇଂରେଜ ମାନଙ୍କ ପାଇଁ କେତେ ଗୁରୁତ୍ୱପୁର୍ଣ୍ଣ ଥିଲା ସେ ବାବଦରେ ସାର ଡେନିସ ରାଇଟ ମଧ୍ୟ ଲେଖିଛନ୍ତି । ଡେନିସ ରାଇଟ ୧୯୬୩ ରୁ ୧୯୭୧ ପର୍ଯ୍ୟନ୍ତ ଇରାନରେ ରାଷ୍ଟ୍ରଦୂତ ଥିଲେ । ତାଙ୍କ ଲିଖିତ ପୁସ୍ତକ “ଦି ଇଂଲିସ ଆମଙ୍ଗଷ୍ଟ ଦି ପାର୍ସିଆନ୍ସ ଡିୟୁରିଙ୍ଗ ଦି କ୍ୟାଜାର ପିରିୟଡ଼ ୧୭୮୭ -୧୯୨୧” ରେ ଇଂରେଜ ମାନଙ୍କ ପାଇଁ ଭାରତର ଗୁରୁତ୍ୱ ବାବଦରେ ଅନେକ ତଥ୍ୟ ଉପସ୍ଥାପନ କରିଛନ୍ତି । ତାଙ୍କ ପୁସ୍ତକର ପ୍ରସ୍ତାବନାରେ ଡେନିସ ରାଇଟ ଲେଖିଛନ୍ତି “ସଂପୁର୍ଣ୍ଣ ବିଶ୍ୱ ଉପରେ ଆଧିପତ୍ୟ ସମୟରେ ଇଂରେଜମାନେ ଇରାନ ଉପରେ ଅଧିକ  ନଜର ରଖିଥିଲେ । କାରଣ ସେମାନଙ୍କର ଡ଼ର ଥିଲା ସୋଭିଏତ ୟୁନିୟନ (ବର୍ତ୍ତମାନର ରୁଷ) ଯଦି ଇରାନ ଉପରେ କବ୍ଜା କରିଦିଏ ତେବେ ଇଂରେଜଙ୍କ “ଜୁଏଲ ଇନ୍ ଦି କ୍ରାଉନ ଇଣ୍ଡିଆ” ତାଙ୍କ ହାତରୁ ଖସି ଯାଇପାରେ । ଏସବୁ ପରେ ତତ୍କାଳୀନ ବ୍ରିଟିଶ ପ୍ରଧାନମନ୍ତ୍ରୀ ୱିନଷ୍ଟନ ଚର୍ଚ୍ଚିଲ ୧୯୩୧ ମସିହା ଫେବୃୟାରୀ ମାସରେ ହାଉସ୍ ଅଫ କମନସ୍ରେ ଦେଇଥିବା ଭାଷଣରେ ଏକ ଅଂଶ ମଧ୍ୟ ଏଠାରେ ଉଲ୍ଲେଖ କରାଯିବା ଉଚିତ୍ । ଚର୍ଚ୍ଚିଲ୍ କହିଥିଲେ “ଭାରତ ଆମ ହାତରୁ ଚାଲିଯିବା ଆମ ପାଇଁ ଫାଇନାଲ ନିଶ୍ଚୟ ଏବଂ ଏହା ଆବଶ୍ୟମ୍ଭାବୀ ଏବଂ ଏହାପରେ ବିଶ୍ୱରେ ବ୍ରିଟେନର ଶକ୍ତି ସୀମିତ ଅଥବା କମ ହୋଇଯିବ” । ଚର୍ଚ୍ଚିଲଙ୍କ ଏହି ବକ୍ତବ୍ୟରୁ ସ୍ପଷ୍ଟ ସୂଚନା ମିଳୁଛି ଯେ ଆର୍ଥôକ, ସାମରିକ ଏବଂ ଦୃଷ୍ଟିକୋଣରୁ ବ୍ରିଟେନ ପାଇଁ ଭାରତ ଗୁରୁତ୍ୱପୂର୍ଣ୍ଣ ଥିଲା । ଦେଶ ସ୍ୱାଧୀନ ହେବା ପରେ ଐତିହାସିକ ମାନେ ଏସବୁ ତଥ୍ୟକୁ ବୌଦ୍ଧିକ ବିମର୍ଷର ନାମ ଦେବା ସହ ବିଦେଶୀ କ୍ରୂରତାକୁ ନ୍ୟାୟୋଚିତ ବୋଲି କହି ଭାରତୀୟ ଇତିହାସରେ ସାମିଲ କରିଦେଲେ । ଇଂରେଜୀ କବି ରୁଡ୍ୟାର୍ଡ କିପଲିଙ୍ଗ୍ ଏହାକୁ ବିରୋଧ କରି ଏକ କବିତା ଲେଖିଥିଲେ । ତାଙ୍କ କବିତା “ଦି ହ୍ୱାଇଟ ମେନ୍ସ ବର୍ଡନ”ରେ କେମିତି ଐତିହାସିକ ମାନେ ପ୍ରକୃତ ତଥ୍ୟକୁ ଉପସ୍ଥାପନ କରିନାହାଁନ୍ତି ବୋଲି ଦର୍ଶାଇଥିଲେ ।  ଇତିହାସ ଲିଖନ ବେଳେ ଭାରତୀୟତାକୁ ହୀନ ଭାବେ ଚିତ୍ରଣ କରାଇବା ଏବଂ ଭାରତର ଗୌରବଶାଳୀ ପରମ୍ପରାକୁ ଉପେକ୍ଷା କରାଯାଇଥିଲା । ଏହା ଏକ ସମାଜର ସାଂସ୍କୃତିକ ମୂଲ୍ୟ, ପରମ୍ପରା ଏବଂ ସଂସ୍ଥାର ମୌଳିକ ରୂପର ଉଲଂଘନ ନିଶ୍ଚୟ । ଜନ ସୁଲିବନ ନାମକ ଜନୈକ ବ୍ରିଟିଶ ଅଧିକାରୀଙ୍କ ମତରେ “ଇଂରେଜମାନେ ଭାରତରୁ ଅନେକ ଧନ ସମ୍ପତ୍ତି ନେଇଛନ୍ତି । ଏସବୁ ତଥ୍ୟ ଏନସିଇଆରଟି ର ପୁସ୍ତକରେ ସ୍ଥାନ ପାଇଛି ଯାହା ବାବଦରେ ଅନେକ ତଥ୍ୟ ରହିଛି । ଏ ପ୍ରସଙ୍ଗରେ ଆମେରିକାନ ସାହିତ୍ୟର ପ୍ରଭାବଶାଳୀ ସାହିତ୍ୟକ ମାୟା ଏଞ୍ଜଲେଙ୍କ ମତ ମଧ୍ୟ ପ୍ରଣିଧାନ ଯୋଗ୍ୟ । ସତ୍ୟକୁ ଚପାଇଦେବା ବଦଳରେ ସତ୍ୟକୁ ବାହାର କରିବା ଉଚିତ୍ ।
ରାମଚନ୍ଦ୍ରପୁର, ରଣପୁର
           ମୋ: ୯୪୩୮୪୮୫୦୯୪