ଶ୍ରେୟ କେବଳ କଣ ନିଜର ?

ଶ୍ରେୟ କେବଳ  କଣ ନିଜର ?

ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର 'ଅମୃତ ବିନ୍ଦୁ  ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ସଫଳତାର ଶ୍ରେୟ କେବଳ କଣ ନିଜର ? ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା  ।
ମଣିଷ ଯେତେବେଳେ ନିଜର ସାମର୍ଥ୍ୟରେ ଆଉ ଆଗେଇ ପାରେନି, ଠିକ୍ ସେତିକି ବେଳେ ନିରୁପାୟ ମଧ୍ୟ ହେଇଯାଏ  । କେବେ କେବେ ବିଫଳତା ସହିତ ଜୀବନର ଅନେକ ଦୁର୍ଭାଗ୍ୟ ମଧ୍ୟ ମାଡି ଆସେ । ସେତେବେଳେ କେହି ସାହା, ଭରସା ହେବାକୁ ଆଗେଇ ଆସନ୍ତି ନାହିଁ  । କଥାରେ ଅଛି ପ୍ରତ୍ୟେକ-ସଫଳତାର ହଜାରେ ବୋପା, କିନ୍ତୁ ବିଫଳତା ବାପ ଛେଉଣ୍ଡ ! ମଣିଷ ଯେତେବେଳେ ଅସହାୟତା ଭଳି ଏକ ସମସ୍ୟାର ସମ୍ମୁଖୀନ ହୁଏ, ସେତିକି ବେଳେ ସାଙ୍ଗସାଥି, ବନ୍ଧୁ, ପ୍ରିୟ ପରିଜନ ମୁହଁ ମୋଡି ଚାଲିଯିବାଟା ଜୀବନର ଏକ ଅଲିଖିତ ନିୟମ  ।
ତେବେ ସବୁବେଳେ ଯେ ସମସ୍ତେ ମୁହଁ ମୋଡି ଚାଲିଯିବେ, ସେମିତି ନୁହଁ; କିନ୍ତୁ ଅଧିକାଂଶ କ୍ଷେତ୍ରରେ ଏହା ହିଁ ଦେଖାଯାଏ  । ଗୋଟାଏ ଦୁର୍ଭାଗ୍ୟ, ଆଉ ଦଶଟା ଦୁର୍ଭାଗ୍ୟକୁ ଟାଣି ଆଣେ ପରା  । ସଫଳତାକୁ କେବଳ ନିଜର କୃତୀତ୍ୱ ବୋଲି ଭାବିବା ସବୁଠାରୁ ବଡ ଭୁଲ୍  । ମନୁଷ୍ୟ ସବୁବେଳେ ସଫଳତାକୁ ନିଜ ବ୍ୟକ୍ତିଗତ ଉଦ୍ୟମ ଯୋଗୁଁ ପାଇଛି ବୋଲି କହେ  । ଏହା ଫଳରେ ତା ଚାରିପଟେ ଥିବା ଅନ୍ୟମାନେ ଏ କଥାକୁ ସହିପାରନ୍ତି ନାହିଁ  । ତେଣୁ ବିନା କାରଣରେ ଶତ୍ରୁ ସୃଷ୍ଟି ହୁଅନ୍ତି  । ଜନ୍ମରୁ କେହି କାହାର ଶତ୍ରୁ ହୋଇନଥାନ୍ତି  । ନିଜ ସଫଳତାକୁ ନିଜର ଶ୍ରେୟ ବୋଲି କହି ବୁଲିବା ଶତ୍ରୁ ସୃଷ୍ଟିର ବିଭିନ୍ନ କାରଣ ମଧ୍ୟରୁ ଗୋଟିଏ । ପଢିଥିବା ହେତୁ ଆପଣଂକ ନିକଟରେ କୃତଜ୍ଞ  । ଆସନ୍ତୁ ପ୍ରତ୍ୟେକ ଦିନ ଆମେ 'ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା  । ନମସ୍କାର ।