କୋଉ ମାନିବେ ପାନୁଆ?
ଓଡ଼ିଶାରେ ପାନକୁ ସଂସ୍କୃତି ସହିତ ଯୋଡ଼ି ଦିଆଯାଇଛି । ଶ୍ରୀମନ୍ଦିରରେ ନୀତିକାନ୍ତିି ସମାପନ ପରେ ରାତିରେ ଶ୍ରୀଜୀଉମାନଙ୍କୁ ବିଡ଼ିଆ ପାନ ଦିଆଯିବାର ପରମ୍ପରା ଅଛି । ତେଣୁ ଶ୍ରୀମନ୍ଦିରର ପରମ୍ପରାକୁ ନେଇ ଓଡ଼ିଶାର ଲୋକମାନେ ମଧ୍ୟ ପାନ ଖାଇବାକୁ ସାଂସ୍କୃତିକ, ସମ୍ଭ୍ରା" ପର୍ଯ୍ୟାୟବାଚୀ ଏକ ପରମ୍ପରା ଭାବରେ ଗ୍ରହଣ କରିଥାନ୍ତି । କେବଳ ଓଡ଼ିଶା ନୁହେଁ, ସମଗ୍ର ଭାରତରେ ବିଭିନ୍ନ ରାଜ୍ୟରେ ସ୍ଥାନୀୟ ଭାବରେ ଉତ୍ପାଦିତ ହେଉଥିବା ପାନର ବୈଶିଷ୍ଟ୍ୟ ରହିଛି ଏବଂ ଆଞ୍ଚଳିକ ଭାରେ ସମସ୍ତେ ପାନକୁ ନନେଇ ଗର୍ବ କରନ୍ତିିା ପାନ ଖାଇବାରେ ଅସୁବିଧା କାହାରି କେବେ ହୋଇନଥାଏ, ମାତ୍ର ପାନ ଖାଇବାର ଶୈଳୀ ଗତ କିଛି ବର୍ଷ ହେଲା ତୀବ୍ର ସମାଲୋଚନାର ଶରବ୍ୟ ହୋଇଆସୁଛି । ପାନ ବଦଳରେ କିଛି ଦଶନ୍ଧି ହେଲା ଗୁଟ୍ଖା ସେବନ ବଢ଼ି ବଢ଼ି ଚାଲିଛି । ବହୁ ସ୍ଥାନରେ ପାନ ବଦଳରେ ଗୁଟ୍ଖାର ପ୍ରୟୋଗ ଅଧିକ ହେଉଥିବା ଦେଖାଗଲାଣି । ତେବେ ପାନ ହେଉ କିମ୍ବା ଗୁଟ୍ଖା ହେଉ ଏସବୁର ବ୍ୟବହାର ପରେ କିଛି ଲୋକ ଯେଉଁଠି ଇଚ୍ଛା ସେଇଠି ଛେପ ପକାଉଛନ୍ତି । ପାନ ଓ ଗୁଟ୍ଖା ଖାଇବା କ୍ଷେତ୍ରରେ ଏହା ଏକ ବଡ଼ ସମସ୍ୟା । ପାନ ଓ ଗୁଟ୍ଖା ଖାଉଥିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି । ସେହି ଅନୁପାତରେ ଯେଉଁଠି ଇଚ୍ଛା ସେଇଠି ନାଲି ଛେପ ପକାଇବାର ବଦଭ୍ୟାସ ମଧ୍ୟ ଅଧିକରୁ ଅଧିକ ଦେଖିବାକୁ ମିଳୁଛି । ବିଶେଷ କରି ସର୍ବସାଧାରଣ କାର୍ଯ୍ୟାଳୟ ଗୁଡ଼ିକର ଶୌଚାଳୟ ଏବଂ ସିଡ଼ି ଚଢୁଥିବା ସ୍ଥାନ ତଥା କାନ୍ଥର କୋଣ ଗୁଡ଼ିକରେ ପାନୁଆମାନଙ୍କର ଏ ପ୍ରକାରର ବଦଭ୍ୟାସର ଚିହ୍ନ ସର୍ବାଧିକ ଭାବରେ ଦେଖିବାକୁ ମିଳେ । ସେଥିପାଇଁ ସର୍ବସାଧାରଣ କୋଠାର ସିଡ଼ି କୋଣରେ ବିଭିନ୍ନ ଦେବଦେବୀଙ୍କର ଚିତ୍ର ଥିବା ଟାଇଲ୍ ବ୍ୟବହାର କରାଯାଉଥିବା ଦେଖାଗଲାଣି । ଏହାସତ୍ତ୍ୱେ ବି ଦେବଦେବୀ ଚିତ୍ର ଥିବା ଟାଇଲ୍ ପାନ ଛେପ ମାଡ଼ରୁ ମୁକ୍ତ ନୁହଁ ।
ଏକ ସର୍ବସାଧାରଣ କାର୍ଯ୍ୟାଳୟ ଭାବରେ ରାଜଧାନୀ ଭୁବନେଶ୍ୱରର ମହାନଗର ନିଗମ କାର୍ଯ୍ୟାଳୟକୁ ପ୍ରତିଦିନ ଶହ ଶହ ଲୋକଙ୍କର ଯାତାୟତ ଲାଗି ରହେ । ସେମାନଙ୍କ ଭିତରେ ଅନେକ ପାନଖିଆ ଅଭ୍ୟାସରେ ଅଭ୍ୟସ୍ତ । ସାମାନ୍ୟ ଟିକିଏ ସୁଯୋଗ ପାଇଲେ ଯେଉଁଠି ଇଚ୍ଛା ସେଇଠି ପାନ ଛେପ ପକାଇବା ପାନ ସେବନକାରୀଙ୍କର ବଦଭ୍ୟାସ ଥିବାରୁ କୋଠା ଗୁଡିକର ପରିମଳ ସୁରକ୍ଷା କ୍ଷେତ୍ରରେ ପାନୁଆମାନେ ଏକ ବଡ଼ ସମସ୍ୟା ଭାବରେ ପରିଗଣିତ ହେଲେଣି । ପାନ ଖାଇବା ଆଉ ଭଦ୍ରାମୀ ନୁହେଁ; ବରଂ ଅଭଦ୍ରାମୀର ପରିଚାୟକ ହେଲାଣି । ତେଣୁ ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟରେ ପ୍ରଥମେ କର୍ମଚାରୀମାନଙ୍କ ଠାରୁ ପାନ ଖାଇବାର ଅଭ୍ୟାସ ଏବଂ ଛେପ ପକାଇବାର ବଦଭ୍ୟାସରେ ସଂସ୍କାର ଆଣିବା ପାଇଁ ବିଏମ୍ସି କର୍ମଚାରୀଙ୍କୁ ପାନ, ଗୁଟ୍ଖା ଖାଇବାକୁ ମନା କରାଯାଇଛି । ସେମାନଙ୍କର ଠାରେ ଏକ ପରିବର୍ତ୍ତନ ଲକ୍ଷ୍ୟ କରାଗଲେ କାର୍ଯ୍ୟାଳୟକୁ ଆସୁଥିବା ଲୋକମାନଙ୍କ ପାଇଁ ମଧ୍ୟ ଏ ପ୍ରକାରର କଟକଣାକୁ ଲାଗୁ କରାଯିବାର ସମ୍ଭାବନା ଅଛି ।
ପାନ, ଗୁଟ୍ଖା ଖାଇବା ଦ୍ୱାରା ଛୋଟ ଛୋଟ ଜରି ପୁଡ଼ିଆର ଆବର୍ଜନା ସବୁଠି ଦେଖିବାକୁ ମିଳୁଛି । ଜିରୋ ୱେଷ୍ଟ୍ ବା ଶୂନ୍ୟ ବର୍ଜ୍ୟବସ୍ତୁ ସୃଷ୍ଟି ନୀତି ଗ୍ରହଣ କରି ବିଏମ୍ସି ଆହୁରି ମଧ୍ୟ କିଛି ପଦକ୍ଷେପ ନେଇଛି । ସେଗୁଡ଼ିକ ହେଲା କେହି ପ୍ଲାଷ୍ଟିକ୍ କ୍ୟାରିବ୍ୟାଗ୍ ବ୍ୟବହାର କରିବେ ନାହିଁ । ସଙ୍ଗରେ ଆଣୁଥିବା ଖାଦ୍ୟକୁ ନଷ୍ଟ କରିବେ ନାହିଁ । ପାଣି ପିଇବା ପାଇଁ ପ୍ଲାଷ୍ଟିକ୍ ବ୍ୟାଗ୍ ବ୍ୟବହାର ନକରି କାଚ କିମ୍ବା ଷ୍ଟିଲ୍ ବ୍ୟବହାର କରିବେ । କାର୍ଯା୍ୟାଳୟ ପରିସରରେ କୌଣସି ଚିରା ଟୁକୁଡ଼ା କାଗଜ କିମ୍ବା ଅଦରକାରୀ ପଦାର୍ଥ ଏଣେ ତେଣେ ଫୋପାଡ଼ିବେ ନାହିଁ । ମୋଟ୍ ଉପରେ ପାନ ଠାରୁ ଆରମ୍ଭ କରି ବ୍ୟକ୍ତିଗତ ବ୍ୟବହାରରେ ପରିବର୍ତ୍ତନ ଅଣାଯାଇ ଜିରୋ ୱେଷ୍ଟ୍ କାର୍ଯ୍ୟାଳୟରେ ପରିଣତ କରିବାକୁ ଚେଷ୍ଟା କରାଯାଇଛି । ତେବେ ଦୀର୍ଘବର୍ଷ ହେଲା ବଦଭ୍ୟାସ ଓ ଅଭଦ୍ରାମୀରେ ଅଭ୍ୟସ୍ତ ବ୍ୟକ୍ତିମାନେ ଏହି ନିୟମକୁ କିପରି ଭାବରେ ପାଳନ କରିବେ ତାହା ଦେଖିବାର କଥା ।