ସର୍ବଗିଳା ବ୍ୟବସ୍ଥାର ପରିଣତି
ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାରର ନିର୍ମାଣ କାର୍ଯ୍ୟ କରାଯାଉଥିବା ବେଳେ ଏହିସବୁ ନିର୍ମାଣ କାର୍ଯ୍ୟ ଗୁଡ଼ିକର ତଦାରଖ କରିବାର ମଧ୍ୟ ଏକ ବ୍ୟବସ୍ଥା ରହିଛି । କଣ୍ଟ୍ରାକ୍ଟର୍ ବା ଠିକାଦାର୍ ମାନେ ସେମାନଙ୍କ ମନଇଚ୍ଛା ଠିକା ନେଇ ବିଭିନ୍ନ ନିର୍ମାଣ କାର୍ଯ୍ୟ କରିନଥାନ୍ତି, କୌଣସି ନା କୌଣସି ବିଭାଗର ଯନ୍ତ୍ରୀମାନଙ୍କ ତତ୍ତ୍ୱାବଧାନରେ ଏହିସବୁ କାମ ହୋଇଥାଏ । ଏହା ଫଳରେ କୌଣସି ଏକ କାର୍ଯ୍ୟ ନିମ୍ନମାନର ହେବା କିମ୍ବା ବେନିୟମ ଭାବରେ ହେବା ଭଳି ପରିସ୍ଥିତି ଉପୁଜେ ନାହିଁ । ଏବେ କିନ୍ତୁ ବିହାରରେ କଣ୍ଟ୍ରାକ୍ଟରମାନେ ନିର୍ମାଣ କରୁଥିବା ବିଭିନ୍ନ ଉନ୍ନୟନମୂଳ କାର୍ଯ୍ୟ ଗୁଡ଼ିକର ସ୍ଥିତି ଅତ୍ୟନ୍ତ ଉଦ୍ବେଗଜନକ ହୋଇପଡୁଛି । ବିଶେଷ କରି ଗତ ୨ ବର୍ଷ ମଧ୍ୟରେ ବିହାରର ବିଭିନ୍ନ ସ୍ଥାନରେ ୮ଟି ପୋଲ ଭୁଶୁଡିବା ଭଳି ଘଟଣା ସରକାରଙ୍କର ବିଭିନ୍ନ ବିଭାଗରେ ଥିବା ଇଞ୍ଜିନିୟର ମାନଙ୍କର ଦକ୍ଷତା ଏବଂ ଠିକାଦାର ମାନଙ୍କର କାର୍ଯ୍ୟ ପ୍ରତି ରହିଥିବା ନିଷ୍ଠା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗତ ସପ୍ତାହରେ ମଧ୍ୟ ଆମେ ଏ ପ୍ରସଙ୍ଗକୁ ନେଇ ସମ୍ପାଦକୀୟଟିଏ ଲେଖିଥିଲୁ ।
ପୋଲ ଭୁଶୁଡ଼ିବା କ୍ଷେତ୍ରରେ ଗତ ୨ବର୍ଷର ରେକର୍ଡ୍ରୁ ଦେଖାଯାଉଛି ଯେ ବିହାରରେ ସର୍ବାଧିକ ପୋଲ ଭୁଶୁଡ଼ିଛି । ଗତ ୨୦୨୨ ମସିହା ଅପ୍ରେଲ୍ ୩୦ ତାରିଖ ଦିନ ଭାଗଲପୁର-ଖଗଡିଆ ସଡ଼କ ପୋଲ ଭୁଶୁଡ଼ିଥିଲା । ଏହାପରେ ସେହିବର୍ଷ ଜୁନ୍ ୯ ତାରିଖ ଦିନ ସହରାଶାରେ ଗୋଟିଏ ପୋଲ ଭୁଶୁଡିବାରୁ ୩ ଜଣ ଶ୍ରମିକ ଆହତ ହୋଇଥିଲେ । ନଭେମ୍ବର ୧୮ ତାରିଖ ଦିନ ନାଳନ୍ଦା ଠାରେ ଏକ ନିର୍ମାଣଧୀନ ପୋଳ ଢ଼ଳି ପଡ଼ିଥିଲା । ସେହି ୨୦୨୨ ଜୁଲାଇ ମାସରେ କଟିହାର ଜିଲ୍ଲାରେ ଏକ ନିର୍ମାଣଧୀନ ପୋଲ ଭୁଶୁଡ଼ି ଯାଇଥିଲା । ୨୦୨୩ ମସିହା ଜାନୁଆରୀ ୧୬ ତାରିଖ ଦିନ ଦରଭଙ୍ଗା ଜିଲ୍ଲାରେ ଏକ ଲୁହାର ପୋଲ ଭୁଶୁଡ଼ିଥିଲା । ସେହିବର୍ଷ ଫେବୃଆରୀ ୧୯ରେ ପାଟ୍ନା ଠାରେ ଏକ ଚାରିଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ ସମୟରେ ଏକ ପୋଲ ଭୁଶୁଡ଼ି ଯାଇଥିଲା । ମାର୍ଚ୍ଚ ୧୯ ତାରିଖ ଦିନ ସାରଣ୍ ଜିଲ୍ଲାରେ ଏକ ପୁରୁଣା ପୋଲ ଭୁଶୁଡିଥିଲା । ୨୦୨୩ ମସିହା ଜୁନ୍ ମାସ ୪ ତାରିଖରେ ଖଗଡ଼ିଆ ଠାରେ ଗଙ୍ଗାନଦୀରେ ନିର୍ମିତ ହୋଇଥିବା ପୋଲ ଭାଙ୍ଗିଗଲା । ବର୍ତ୍ତମାନ ଏଇ ନିକଟରେ ଏକ ନଦୀ ଉପରେ ନିର୍ମିତ ହୋଇଥିବା ପୋଲ ନଦୀରେ ବନ୍ୟାଜଳ ଆସିବା ପରେ ଭୁଶୁଡ଼ିପଡ଼ିଛି । ବିହାରରେ କାହିଁକି ବାରମ୍ବାର ପୋଲ ଭୁଶୁଡିବା ଘଟଣା ଘଟୁଛି ତାହା ସମଗ୍ର ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି ।
ପୋଲ ନିର୍ମାଣ ସମୟରେ ନିର୍ମାଣର କୌଶଳ ଦିଗ, ଗୁଣବତ୍ତା, ପୋଲ ନିର୍ମାଣରେ ବ୍ୟବହାର କରାଯାଉଥିବା ସାମଗ୍ରୀର ଗୁଣବତ୍ତା ଆଦି ଉପରେ କୌଣସି ପ୍ରକାରର ପ୍ରଶ୍ନ ଉଠିବା ଅନୁଚିତ୍ । ନିର୍ମାଣ କରୁଥିବା କଣ୍ଟ୍ରାକ୍ଟର ଏବଂ ଠିକାଦାର ମଧ୍ୟ କୌଣସି ନା କୌଣସି ସରକାରଙ୍କ ଅଧୀନସ୍ଥ ଇଞ୍ଜିନିୟରଙ୍କ ସହିତ କାମ କରୁଥିବାରୁ ସେହି ଇଞ୍ଜିନିୟରଙ୍କ ତଦାରଖରେ କାମ ହେଉଛି । ତେବେ ସଂପୃକ୍ତ ଇଞ୍ଜିନିୟର ଯଦି କୌଣସି ଦୁର୍ନୀତିକୁ ପ୍ରଶୟ ଦେଉ ଥିବେ, ଠିକାଦାରମାନଙ୍କ ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନ କରୁଥିବେ ତେବେ ତ ନିଶ୍ଚିତ ରୂପେ କାର୍ଯ୍ୟର ମାନ ଭଲ ହେବ ନାହିଁ ଏବଂ ଏ ପ୍ରକାରର ନିର୍ମାଣ ଗୁଡ଼ିକ ବେଶୀ ଦିନ ରହିବ ନାହିଁ । ସମ୍ଭବତଃ ଠିକାଦାର ନିଜର ବିଲ୍ ପାସ୍ କରାଇ ନେଇ ଅର୍ଥ ପାଇଯିବା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟଟି ରହିଗଲେ ତାହା ପରେ ଭାଙ୍ଗିଯାଉ, ସେଥିରେ ତାଙ୍କର କିଛି ଆଉ ଦାୟିତ୍ୱ କିମ୍ବା ସଂପୃକ୍ତି ରହୁନାହିଁ । ଏ ପ୍ରକାରର କାର୍ଯ୍ୟ ସଂପୃକ୍ତ ଇଞ୍ଜିନିୟରଙ୍କ ସଂପୃକ୍ତି ବିନା ହେବା ସମ୍ଭବ ନୁହେଁ । ତେଣୁ ନିଶ୍ଚିତ ରୂପେ ଏଇଠି ପ୍ରଶ୍ନ ଉଠୁଛି ଯେ ସରକାରଙ୍କର ବିଭିନ୍ନ ନିର୍ମାଣ କାର୍ଯ୍ୟରେ ଛୋଟ ହେଉ ବା ବଡ଼ ହେଉ ସେସବୁକୁ ଦାୟିତ୍ୱର ସହ ନିର୍ମାଣ କରିବା ଦିଗରେ କଣ୍ଟ୍ରାକ୍ଟର କିମ୍ବା ବିଭାଗୀୟ ଇଞ୍ଜିନିୟର କେହି ଗୁରୁତ୍ୱ ଦେଉନାହାନ୍ତି । ଏହା ପଛରେ ବଡ଼ଧରଣର ଦୁର୍ନୀତି ରହୁଥିବାର ସନେ୍ଦହ ସ୍ୱାଭାବିକ । ଏ କ୍ଷେତ୍ରରେ ଗୋଟିଏ ଜିନିଷ ଲକ୍ଷ୍ୟ କରାଯାଉଛି ଯେ କୌଣସି ସର୍ବସାଧାରଣ ନିର୍ମାଣ କାର୍ଯ୍ୟ କରାଯାଉଥିବା ବେଳେ ଏହି କାର୍ଯ୍ୟ ଦ୍ୱାରା ରାଷ୍ଟ୍ର୍ରର କ୍ଷତି ଘଟୁଛି ବୋଲି ଜନସାଧାରଣ, ସରକାରୀ କର୍ମଚାରୀ, କଣ୍ଟ୍ରାକ୍ଟର୍ ଏବଂ ସରକାରଙ୍କର ମନ୍ତ୍ରୀମଣ୍ଡଳ ବୁଝିବା ଉଚିତ୍ । ଦୁର୍ନୀତି ଅପେକ୍ଷା ଦେଶ ପ୍ରେମର ସ୍ଥାନ ବହୁ ଉଦ୍ଧ୍ୱର୍ରେ ।