ଚୀନ-ଆମେରିକା ଶୁଳ୍କ ସନ୍ଧି


   ନିକଟରେ ବିଶ୍ୱର ଦୁଇ ଅର୍ଥନୈତିକ ମହାଶକ୍ତି ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଚୀନ ମଧ୍ୟରେ ସେମାନଙ୍କର ପରସ୍ପର ବିରୁଦ୍ଧରେ ଲଦି ଦେଇଥିବା ବାଣିଜ୍ୟ ଶୁଳ୍କର ପରିମାଣ ସ୍ଥଗିତ ନିଷ୍ପତ୍ତି ଦୁଇଦେଶ ମଧ୍ୟରେ ଶତ୍ରୁତା ବୃଦ୍ଧି ପରିପ୍ରେକ୍ଷୀରେ ଅର୍ଥନୈତିକ ବାସ୍ତବ ଦୃଷ୍ଟିକୋଣ ଦୃଷ୍ଟିରୁ ଏକ ବିରଳ ମୁହୂର୍ତ୍ତର ସଂକେତ ପ୍ରଦାନ କରୁଛି ବୋଲି କୁହାଯାଇପାରିବ । ବାଣିଜ୍ୟ ଯୁଦ୍ଧ ସମୟରେ ଉଭୟ ଦେଶ ପରସ୍ପର ବିରୁଦ୍ଧରେ ଲାଗୁ କରିଥିବା ଶୁଳ୍କ ୯୦ଦିନ ପାଇଁ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହାକି ଆନ୍ତର୍ଜାତିକ ବଜାରକୁ ଉସôାହିତ କରିବା ସହ ଶିଳ୍ପ ଓ ଉପଭୋକ୍ତାଙ୍କୁ କେତେକ  ଆଶ୍ୱସ୍ତି ପ୍ରଦାନ କରିଛି । ଉଲ୍ଲେଖଯୋଗ୍ୟ ଯେ, ଚୀନ ସାମଗ୍ରୀ ଉପରେ ଲାଗୁ କରିଥିବା ୧୪୫ପ୍ରତିଶତ ଶୁଳ୍କ ୩୦ ପ୍ରତିଶତକୁ ହ୍ରାସ କରିବାକୁ ଆମେରିକା  ନିଷ୍ପତ୍ତି ନେଇଥିବାବେଳେ ଆମେରିକାର ସାମଗ୍ରୀ ଉପରେ ଲାଗୁ କରିଥିବା ୧୨୫ ପ୍ରତିଶତ ଶୁଳ୍କ ୧୦ ପ୍ରତିଶତକୁ ହ୍ରାସ କରିବା ପାଇଁ ଚୀନ ରାଜି ହୋଇଛି । ଉଭୟ ଦେଶ ସାମୟିକ ଭାବେ ଅର୍ଥାତ ୯୦ଦିନ ପାଇଁ ଏହା କାର୍ଯ୍ୟକାରୀ କରିବାକୁ ସହମତ ହୋଇଛନ୍ତି । ଦୁଇ ବୃହତ ଅର୍ଥେନୈତିକ ରାଷ୍ଟ୍ରର ଶୁଳ୍କ ହ୍ରାସ ବୁଝାମଣା ଖବର ଘୋଷଣା ହେବା ପରେ ବିଶ୍ୱ ବଜାରରେ ଉସôାହ ପରିଲଖିତ ହୋଇଥିବାବେଳେ କାରବାର ୨ ପ୍ରତିଶତରୁ ୩.୮ ପ୍ରତିଶତକୁ ବୃଦ୍ଧି ପାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଡୋନାଲଡ୍ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଗତ ଫେବୃୟାରୀ ପହିଲାରେ ଚୀନ, ମେସ୍କିକୋ ଏବଂ କାନାଡାରୁ ଆମଦାନି ଉପରେ ଶତପ୍ରତିଶତ ଶୁଳ୍କ ଲାଗୁ କରିଥିଲେ । ଏହାର ଯବାବରେ ଚୀନ ମଧ୍ୟ ପାଲଟା ଶୁଳ୍କ ଆମେରିକୀୟ ସାମଗ୍ରୀ ଉପରେ ଲାଗୁ କରିଥିଲା । ଦୁଇ ଅର୍ଥନୈତିକ ମହାଶକ୍ତି ମଧ୍ୟରେ ଟାରିଫ ଯୁଦ୍ଧ ବିଶ୍ୱ ବାଣିଜ୍ୟରେ ସଂକଟ ସୃଷ୍ଟି କରିଥିଲାବେଳେ ଆମେରିକା ପାଇଁ ବୁମେରାଂ ହୋଇଥିଲା । ଆମେରିକାରେ ବିଭିନ୍ନ ସାମଗ୍ରୀର ଦରଦାମ ହୁ ହୁ ହୋଇ ବୃଦ୍ଧି ପାଇଥିଲାବେଳେ ରାଜସ୍ୱ ବୃଦ୍ଧି ବଦଳରେ ରାଜସ୍ୱ ହାନି ଘଟିଥିଲା । ଏପରିକି ଲୋକପ୍ରିୟ ରାଷ୍ଟ୍ରପତିର ମାନ୍ୟତା ନିର୍ବାଚନରେ ଟ୍ରମ୍ପ ପାଇଥିଲାବେଳେ ତାଙ୍କ ପ୍ରଶାସନ ବିରୁଦ୍ଧରେ ଆମେରିକାର ୫୦ଟି ରାଜ୍ୟରେ ହଜାର ହଜାର ନାଗରିକ, ଛାତ୍ର, ବୁଦ୍ଧିଜୀବୀ, ଶ୍ରମିକଙ୍କ ବିକ୍ଷୋଭ ମଧ୍ୟ ଅଭୂତପୂର୍ବ ଥିଲା । ଶେଷରେ ଆମେରିକାର ଅର୍ଥନୀତିରେ ଚୀନର ଗୁରୁତ୍ୱକୁ ଉପଲବ୍ଧ କରି ଟ୍ରମ୍ପ ନିଜ ନିଷ୍ପତ୍ତିରୁ ଓହରିବାକୁ ବାଧ୍ୟ ହୋଇଥିଲେ । ଏ ନେଇ ଜେନେଭାଠାରେ ଅନୁଷ୍ଠିତ ଏକ ବୈଠକରେ ଉଭୟ ରାଷ୍ଟ୍ର ଶୁଳ୍କ ହ୍ରାସ କରିବା ପାଇଁ ସହମତ ହୋଇଥିଲେ । ଶୁଳ୍କ ନେଇ ଉଭୟ ଦେଶ ଭବିଷ୍ୟତରେ ଆଲୋଚନା ଜାରି ରଖିବାକୁ ମଧ୍ୟ ସହମତ ହୋଇଛନ୍ତି । ଯାହାକି ବିଶ୍ୱ ଅର୍ଥନୀତି ପାଇଁ ଏକ ଶୁଭ ସଂକେତ ବୋଲି କୁହାଯାଇପାରେ । ତେବେ ଦୁଇଦେଶ ମଧ୍ୟରେ ଶୁଳ୍କ ସନ୍ଧିର ସ୍ଥାୟିତ୍ୱ ଏବେ ସମଗ୍ର ବିଶ୍ୱ ପାଇଁ ମୁଖ୍ୟ ପ୍ରସଙ୍ଗ ଭାବେ ଉଭା ହୋଇଥିବା କୁହାଯାଇପାରେ ।  ଭାରତ ପାଇଁ ଏହା ଉଭୟ ଅନିଶ୍ଚିତତା ଓ ନିଶ୍ଚିତତା ଆଣିଦେଇଛି । ଆମେରିକା ଓ ଚୀନ ମଧ୍ୟରେ ପୁନର୍ବାର ଆଲୋଚନା ଯଦି ସଫଳ ହୁଏ, ତେବେ ନିବେଶକମାନେ ଯେଉଁମାନେ କି ଅନ୍ୟ ରାଷ୍ଟ୍ର ମୁହାଁ ହୋଇଛନ୍ତି ସେମାନେ ପ୍ରଥମେ ଚୀନ ମୁହାଁ ହେବେ, ଏହା ନିଃସନେ୍ଦହ । ଏହା ଦ୍ୱାରା ଏବେ ଭାରତ ବହୁ ନିବେଶକଙ୍କୁ ହରାଇବା ସମ୍ଭାବନା ରହିଛି ।   ଆହୁରି ମଧ୍ୟ ଅନ୍ୟତମ ଅନିଶ୍ଚିତତା ହେଉଛି, ଭାରତ ଏବେ ବି ଆମେରିକା ସହ ବାଣିଜ୍ୟ ଆଲୋଚନା ଆରମ୍ଭ କରିନାହିଁ । ଦୁଇଦେଶ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଉତ୍ତେଜନାପୂର୍ଣ୍ଣ ରହିଛି । ଆମେରିକା ଇସ୍ପାତ ଏବଂ ଆଲୁମିନିୟମ ଉପରେ ଶୁଳ୍କ ବୃଦ୍ଧି କରିବା ଯୋଗୁଁ ଭାରତ ଅଧିକ କ୍ଷତିଗ୍ରସ୍ତ ହେବ । ଭାରତ ନିଜକୁ ଶିଳ୍ପ ସମୃଦ୍ଧ କରିବା ଏବଂ ନିବେଶକମାନଙ୍କୁ ଆକୃଷ୍ଟ କରିବା ପାଇଁ  ‘ମେକ ଇନ ଇଣ୍ଡିଆ’ ଅଭିଯାନ ଆରମ୍ଭ କରିଥିବା ସତ୍ତ୍ୱେ ବିଶେଷ ସଫଳ ହୋଇପାରିନାହିଁ । ଏ କ୍ଷେତ୍ରରେ ଚୀନ ଠାରୁ କେବଳ ପଛରେ ନାହିଁ, ଚୀନ ସାମଗ୍ରୀ ଉପରେ ଅତ୍ୟଧିକ ନିର୍ଭରଶୀଳ ହୋଇରହିଛି । ଭାରତ ଯେତେଦିନ ପର୍ଯ୍ୟନ୍ତ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହୋଇପାରିବନାହିଁ, ଚୀନ ଆମଦାନି ଉପରେ ନିର୍ଭରଶୀଳ ହୋଇ ରହିବ ।
ସୌଭାଗ୍ୟ ରଂଜନ ମହାନ୍ତି,ମୋ:୭୯୭୮୬୬୬୪୦୩