ବିଶ୍ୱାସର ଭାଗମାପ

ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅବଗତ ହେବା ଜୀବନରେ ବିଶ୍ୱାସର ଭାଗମାପକୁ ନେଇ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ସାମାଜିକ ଜୀବନରେ ମଣିଷ ଅନ୍ୟମାନଙ୍କୁ ବିଶ୍ୱାସ କରି ବଞ୍ଚେ । ହେଲେ ସବୁବେଳେ ଏହି ବିଶ୍ୱାସକୁ ନେଇ ଚଳିବା ସମ୍ଭବ ନୁହେଁ । କାହାକୁ ବିଶ୍ୱାସ କରାଯିବ ଏବଂ କାହାକୁ ବିଶ୍ୱାସ କରାଯିବ ନାହିଁ ତାହା ଜାଣିବା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଜୀବନରେ ସମସ୍ତଙ୍କୁ ଆତ୍ମୀୟ ଭାବି ବିଶ୍ୱାସ କରିଗଲେ ଭବିଷ୍ୟତରେ ଦିନେ ନା ଦିନେ ଅନୁତାପ କରିବାକୁ ପଡ଼େ । କାରଣ ସାମାଜିକ ଜୀବନରେ ଚରିତ୍ରଗତ ଭାବରେ ସମସ୍ତେ ସମାନ ନୁହଁନ୍ତି । କିଛି ଲୋକ କେବଳ ମିଛ କହି ବଞ୍ଚିବାକୁ ଚେଷ୍ଟା କରନ୍ତି । ଆଉ କିଛି ଲୋକ ଅନାବଶ୍ୟକ ଭାବରେ ମିଛ କହନ୍ତି । କିଛି ଲୋକ ଆବଶ୍ୟକ ପଡ଼ିଲେ ମିଛ କହନ୍ତି । ଏହାପରେ ସମାଜର ଆଉ ଅଳ୍ପ ଯେଉଁ କିଛି ଲୋକ ରହିଲେ ସେମାନେ ମିଛ କହିବାକୁ ଚାହାନ୍ତି ନାହିଁ ଏବଂ ମିଛ କହିବାର ବାଧ୍ୟବାଧକତା ପରସ୍ଥିତି ପଡ଼ିଲେ ଆଡ଼େଇ ଯାଆନ୍ତି । ମିଛକୁ ନେଇ ସମାଜରେ ଏହି ଚାରି ପ୍ରକାରର ଲୋକ ରହିଛନ୍ତି । ତେଣୁ ସମସ୍ତଙ୍କୁ ଆଖିମୁଜି ବିଶ୍ୱାସ କରିଯିବା ଉଚିତ ନୁହେଁ । 
କିଏ କେଉଁ ପ୍ରକାରର ଲୋକ ଜାଣିବାକୁ ହେଲେ ଦୀର୍ଘଦିନର ସଂପର୍କ ଆବଶ୍ୟକ ପଡ଼େ । ଏହି ସମ୍ପର୍କକୁ ପରିକ୍ଷା ନକରି କାହାରିକୁ ବିଶ୍ୱାସ କରିଲେ କେତେବେଳେ କେଉଁ ପ୍ରକାରର ପରିସ୍ଥିତି ସୃଷ୍ଟି ହେବ ତାହା ଆକଳନ କରିହେବ ନାହିଁ । ଭବିଷ୍ୟତ ସବୁବେଳେ ଆକଳନ ବାହାରେ । ଭବିଷ୍ୟତକୁ କେହି ଦେଖିନାହାନ୍ତି, ଜାଣିନାହାନ୍ତି । 
ବ୍ୟକ୍ତିର ବ୍ୟକ୍ତିତ୍ୱ ସବୁବେଳେ ସମାନ ନୁହେଁ । ସେ ଦୃଷ୍ଟିରୁ ଯଦି ଜଣେ ବ୍ୟକ୍ତି ଅନ୍ୟ କାହାରି ନିକଟରେ ସତ କହୁଛି, ସେ ସମସ୍ତଙ୍କ ନିକଟରେ ସତ କହିବ ବୋଲି କିଛି ନିଶ୍ଚିତତା ନାହିଁ । ବ୍ୟକ୍ତିର ବ୍ୟକ୍ତିତ୍ୱ ଏବଂ ପରିସ୍ଥିତିକୁ ନେଇ ବ୍ୟବହାର ବଦଳେ । ତେଣୁ ସର୍ବୋତ୍ତ ଭାବେ କାହାରିକୁ ଜଣେ ଭଲ ମଣିଷ ବା ଖରାପ ମଣିଷ ବୋଲି କହିବା ସମ୍ଭବ ନୁହେଁ । ଏହି ଦୃଷ୍ଟିରୁ ଲୋକଙ୍କ ସହିତ ସମ୍ପର୍କ ରଖିବା ସମୟରେ ପରିକ୍ଷା କରି ବିଶ୍ୱାସ କରିବା ଉଚିତ । ଅନ୍ୟଥା ଅନୁତାପ କରିବାକୁ ପଡ଼ିପାରେ । 
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ନମସ୍କାର ।