ପଥ ସମ୍ମୋହନ ଓ କ୍ରମବର୍ଦ୍ଧିଷ୍ଣୁ ଦୁର୍ଘଟଣା
ବିଗତ କିଛି ବର୍ଷର ସଡ଼କ ଦୁର୍ଘଟଣା ହାରର ବିଶ୍ଳେଷଣରୁ ଜଣାପଡୁଛି ଯେ ପଥ ସମ୍ମୋହନ ବା ରୋଡ୍ ହିପ୍ନୋସିସ୍ ଦୁର୍ଘଟଣା ବଢ଼ିବାର ଏକ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ କାରଣ । ଘଣ୍ଟା ଘଣ୍ଟା ଧରି ଚାଳକମାନେ ଗାଡ଼ି ଚଳାଇବା ପରେ ସେମାନଙ୍କର ଚକ୍ଷୁ ସକ୍ରୀୟ ଥାଏ ସତ, କିନ୍ତୁ ମସ୍ତିଷ୍କ ସକ୍ରୀୟ ନଥାଏ । ଏହାର ଅର୍ଥ ହେଲା ଏକ ଇନ୍ଦ୍ରୀୟ ଭାବରେ ଚକ୍ଷୁ ତାର କାର୍ଯ୍ୟ କରୁଛି କିନ୍ତୁ ଚକ୍ଷୁ ମାଧ୍ୟମରେ ଗୃହୀତ ଅନୁଭୂତି ମସ୍ତିଷ୍କ ପର୍ଯ୍ୟନ୍ତ ପହଞ୍ଚୁ ନାହିଁ କିମ୍ବା ମସ୍ତିଷ୍କରେ ଆବଶ୍ୟକ ହେଉଥିବା ବିଶ୍ଳେଷଣର ପ୍ରକ୍ରିୟା କାମ କରୁନାହିଁ । ଏହା ଫଳରେ ଆଗରେ ଯାଉଥିବା ଗାଡ଼ି କେତେ ଦୂରରେ ଅଛି, ତାର ଆକଳନ ପଛରେ ଆସୁଥିବା ଗାଡ଼ିର ଚାଳକ କରିପାରୁନାହିଁ । ଏହି କାରଣରୁ ଆଗ ଗାଡ଼ିକୁ ପଛ ଗାଡ଼ି ଧକ୍କା ଦେଉଛି ଏବଂ ଚାଳକ ମସ୍ତିଷ୍କ ଉପରେ ନିୟନ୍ତ୍ରଣ ରଖିନପାରିବାରୁ ନିଜ ଗାଡ଼ି ବେଗ ସମ୍ପର୍କରେ ମଧ୍ୟ ଏକ ଧାରଣା ରହୁନାହିଁ । ତେଣୁ ଗୋଟିଏ ଦୁର୍ଘଟଣା ଘଟିବା ପରେ ପଛକୁ ପଛ ଏକାଧିକ ଗାଡ଼ିର ଦୁର୍ଘଟଣା ଘଟୁଛି । ଏ ପ୍ରକାରର ଦୁର୍ଘଟଣା ଗୁଡ଼ିକୁ ପଥ ସମ୍ମୋହନଜନିତ ଦୁର୍ଘଟଣା ବୋଲି କୁହାଯାଉଛି ।
ଦୀର୍ଘ ସମୟ ଧରି ଗାଡ଼ି ଚଳାଇବା ଫଳରେ ଏବଂ ବିଶେଷ କରି ରାତିରେ ମସ୍ତିଷ୍କର କାର୍ଯ୍ୟକାରୀ କ୍ଷମତା ମନ୍ଥର ହୋଇଯାଏ । ବର୍ତ୍ତମାନ ଏ ପ୍ରକାରର ଏକ ସମସ୍ୟା ସମ୍ପର୍କରେ ଚାଳକମାନଙ୍କୁ ସଚେତନ କରାଇବା ପାଇଁ ପରିବହନ ଏବଂ ରାଜମାର୍ଗ ବିଭାଗ ପକ୍ଷରୁ ଉଦ୍ୟମ କରାଯିବା ନେଇ ଚିନ୍ତା କରାଯାଉଛି । ଦୀର୍ଘ ସମୟ ଧରି ଲମ୍ବା ପଥରେ ରାତିରେ ଗାଡ଼ି ଚଳାଉଥିବା ଚାଳକ ଅନୂ୍ୟନ୍ୟ ପ୍ରତି ଅଢ଼େଇ ଘଣ୍ଟାରେ ଥରେ ଗାଡ଼ି ଅଟକାଇ କିଛି ମିନିଟ୍ ବିଶ୍ରାମ ନେବା ଆବଶ୍ୟକ । ଏହା ଫଳରେ ନିର୍ଦ୍ଦିଷ୍ଟ ଭାବରେ କେବଳ ରାସ୍ତାକୁ ଘଣ୍ଟା ଘଣ୍ଟା ଚାହିଁ ଗାଡି ଚଳାଉଥିବା ସମୟରେ ମସ୍ତିଷ୍କର କାର୍ଯ୍ୟଧାରା ବିଶ୍ରାମ ପାଇଥାଏ ଓ ପୁଣିଥରେ ଦୀର୍ଘପଥ ଯିବା ପାଇଁ ପ୍ରସ୍ତୁତ ହୋଇଯାଏ । ଗାଡ଼ି ଚଳାଇବା ହେଉଛି ମସ୍ତିଷ୍କର ବିଚାର ଶକ୍ତିର ଉପରେ ନିର୍ଭର କରୁଥିବା ଏକ କାର୍ଯ୍ୟ । ଏହି ବିଚାରଶକ୍ତିକୁ ଜଜ୍ମେଣ୍ଟ୍ କୁହାଯାଏ । ଗାଡ଼ି ଚଳାଉଥିବା ବେଳେ ଚାଳକ ସାଇକେଲ୍ ଚଳାଇବା ବେଳେ ଯେଭଳି ଆଗଚକକୁ ଦେଖି ହୁଏ, ସେହିପରି ଗାଡ଼ି ଚଳାଉଥିବା ବେଳେ ଚାଳକ ଆଗ ଚକକୁ ଦେଖିପାରେ ନାହିଁ, କିନ୍ତୁ ଏକ ବିଚାରବୋଧ ଦ୍ୱାରା ଠିକ୍ ନିର୍ଦ୍ଦିଷ୍ଟ ସ୍ଥାନରେ ଚକକୁ ଗଡ଼ାଇ ନେଇପାରେ । ଆଗରେ ଖାଲ ଥିଲେ କିମ୍ବା କୌଣସି ପ୍ରତିରୋଧକ ଥିଲେ, ପଥର ଭଳି ଅନ୍ୟାନ୍ୟ ପଦାର୍ଥ ଥିଲେ ଗାଡ଼ି ଚାଳକ ସେସବୁ ନ ମଡ଼େଇ ନିରାପଦରେ ଗାଡ଼ିକୁ ଚଳାଇ ନେଇଥାନ୍ତି । ମନର ଏହି ବିଚାର ପ୍ରକି୍ରୟା ହେଉଛି ଜଜ୍ମେଣ୍ଟ୍ । ପଥ ସମ୍ମୋହନ ଫଳରେ ଏହି ଜଜ୍ମେଣ୍ଟ କାମ କରେ ନାହିଁ । ଏପରିିକି ନିଜ ଗାଡ଼ିର ଗତି ସମ୍ପର୍କରେ ମଧ୍ୟ ଏକ ସ୍ପଷ୍ଟ ଧାରଣା ରହେ ନାହିଁ । ତେଣୁ ଆଗରେ ଯାଉଥିବା ଗାଡିକୁ ପଛରେ ଧକ୍କା କରେ ।
୨୦୨୩ ମସିହାରେ ରାଜ୍ୟରେ ଗାଡ଼ିର ପଛ ପଟୁ ଧକ୍କା କରିଥିବା ଘଟଣା ୨ ହଜାର ୪୯୬ଟି ଘଟିଛି । ଏଥିରେ ୧୧୯୮ ଜଣଙ୍କର ମୃତୁ୍ୟ ଘଟିଛି ଏବଂ ୧୨୭୨ ଜଣ ଆହତ ହୋଇଛନ୍ତି । ସେହିଭଳି ରାସ୍ତାକଡ଼ ଗଛ, ବିଜୁଳି ଖୁଣ୍ଟ ଆଦିକୁ ଧକ୍କା ଦେଇ ୭୬୩ଟି ଦୁର୍ଘଟଣା ଘଟିଛି । ଏଥିରେ ୩୭୩ ଜଣ ମୃତୁ୍ୟବରଣ କରିଛନ୍ତି ଏବଂ ୪୨୨ ଜଣ ଆହତ ହୋଇଛନ୍ତି । ଗାଡ଼ି ପଛରୁ ଗାଡ଼ିକୁ ଧକ୍କା ଦେବା ଭଳି ଦୁର୍ଘଟଣାକୁ କମାଇବାକୁ ହେଲେ ସର୍ବପ୍ରଥମେ ଚାଳକମାନଙ୍କୁ ପ୍ରତି ଅଢ଼େଇ ଘଣ୍ଟାରେ ଥରେ ଗାଡ଼ି ଷ୍ଟାଟର୍୍ ବନ୍ଦ କରି କିଛି ମିନିଟ୍ର ବିଶ୍ରାମ ଆବଶ୍ୟକ ଏବଂ ଅନ୍ୟାନ୍ୟ ଶ୍ରମିକମାନଙ୍କ ଭଳି ଆଠ ଘଣ୍ଟାରୁ ଅଧିକ ସମୟ ଗାଡ଼ି ନ ଚଳାଇବା ଆବଶ୍ୟକ ।