ପରିବେଶଗତ ପ୍ରଭାବରେ ଚରିତ୍ର

ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅବଗତ ହେବା ପରିବେଶକୁ ନେଇ କିଭଭି ଚରିତ୍ର ପ୍ରଭାବିତ ହୁଏ ଏବଂ ପରିବେଶଗତ ପ୍ରଭାବରେ ଚରିତ୍ର କିଭଳି ବଦଳେ, ସେ ବାବଦରେ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ମଣିଷର ଜୀବନ ପ୍ରାୟତଃ ପରିବେଶ ଉପରେ ନିର୍ଭରଶୀଳ । ଯେତେବେଳେ ଯେଉଁ ପ୍ରକାରର ପରିବେଶ ଆସେ ସିଏ ସେହି ପରିବେଶ ସହିତ ନିଜକୁ ଖାପ୍ ଖୁଆଇ ଚଳେ । ଗ୍ରୀଷ୍ମ ପରିବେଶର ଲୋକେ ଖରା ସହିତ ଆଉ ଥଣ୍ଡା ପରିବେଶର ଲୋକ ଥଣ୍ଡା ସହିତ ନିଜକୁ ଖାପ୍ ଖୁଆଇ ଚଳନ୍ତି । ଠିକ୍ ସେହିପରି ଶାନ୍ତ ପରିବେଶରେ ମଣିଷ ଶାନ୍ତଶିଷ୍ଠ ହେଉଥିବା ବେଳେ ଗଣ୍ଡଗୋଳିଆ ଅଶାନ୍ତ ପରିବେଶରେ ମଣିଷ ଅସାମାଜିକ ହୋଇଯାଏ । କେବଳ ସେତିକି ନୁହେଁ, ସାଙ୍ଗସାଥି ଯଦି ଖରାପ ଲୋକ ଜୁଟିଯାଆନ୍ତି, ତେବେ ଖରାପ କାମ କରିବାକୁ ମଧ୍ୟ ଜଣେ ପଛଘୁଞ୍ଚା ଦେଇନଥାଏ । କେହି ଜନ୍ମରୁ ଅପରାଧୀ ନଥାନ୍ତି କି ସାଧୁ ନଥାନ୍ତି । ପରିବେଶ ଓ ସଙ୍ଗଦୋଷ ମଣିଷର ସ୍ୱଭାବ ଏବଂ ଚରିତ୍ର ଉପରେ ପ୍ରଭାବ ପକାଏ । କୁସଙ୍ଗରେ ମିଶିଲେ ଖରାପ କାମ ଏବଂ ସାଧୁସଙ୍ଗରେ ମିଶିଲେ ମଣିଷ ଭଲ କାମ କରେ । ମୋଟ ଉପରେ ପରିବେଶକୁ ନେଇ ବ୍ୟକ୍ତିର ଚରିତ୍ର ତିଆରି ହୁଏ ।
ଯେଉଁ ସମାଜରେ ଅପରାଧୀଙ୍କ ସଂଖ୍ୟା ଅଧିକ, ସେଠାରେ ଜଣେ ସଚ୍ଚୋଟ ଜୀବନଯାପନରେ ଚଳି ପାରିବ ନାହିଁ । ପରିବେଶରେ ଥିବା ଚରିତ୍ରଙ୍କୁ ନେଇ ନିଜର ଆଚରଣ ବଦଳେଇବାକୁ ହୁଏ । ନହେଲେ ନିଜ ଜୀବନ ସୁରକ୍ଷିତ ରହେ ନାହିଁ । ଯିଏ ବଦଳାଇପାରେନି ତାହାର ଅସ୍ତିତ୍ୱ ହଜିଯାଏ ।
ପରିବେଶ ହିଁ ଚରିତ୍ର ଗଢ଼େ । ଚରିତ୍ର କେବଳ ପରିବାରରୁ ସୃଷ୍ଟି ହୁଏ ନାହିଁ, ପାରିପାଶ୍ୱର୍ିକ ପରିବେଶ ଚରିତ୍ର ଗଠନରେ ବେଶ୍ ପକାଏ । କ୍ଷୁଦ୍ର ମହୁମାଛି ସମେତ ଅନେକ କୀଟପତଙ୍ଗ, ପ୍ରାଣୀ ପରିବେଶକୁ ନେଇ ବଦଳିଥାନ୍ତି । ମହୁମାଛି ବସନ୍ତ କାଳରେ ନିମ ଗଛରୁ ମଧ୍ୟ ମଧୁ ସଂଗ୍ରହ କରେ । ଜ୍ୟେଷ୍ଠ, ଆଷାଢ଼ ମାସରେ କଦମ୍ବ ଗଛରୁ ମଧୁ ସଂଗ୍ରହ କରେ । କାରଣ ମହୁମାଛି ପାଇଁ କେତେବେଳେ କେଉଁ ପରିବେଶ ଆସେ ସେତେବେଳେ ସେ ସେହି ପରିବେଶରୁ ମଧୁ ସଂଗ୍ରହ କରେ । 
ସଜ୍ଜନ କିମ୍ବା ଦୁର୍ଜନ କେଉଁଠି ଗଢ଼ା ହୁଅନ୍ତି ନାହିଁ । ପରିବେଶକୁ ନେଇ ଚରିତ୍ର ବଦଳେ ଏବଂ ସେଇଠୁ ତିଆରି ହୁଅନ୍ତି । 
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ନମସ୍କାର ।