ବୁଧେଇ ଓଷା
ସଧବା ନାରୀ ସନ୍ତାନ ଆଶାରେ ବା ସନ୍ତାନଙ୍କ ଉନ୍ନତି କାମନା କରି ଏହି ଓଷା କରିଥାନ୍ତି । ଓଷାରେ ପୂଜା ପାଆନ୍ତି ବୁଧିବାମନ । ବୁଧି ଅର୍ଥାତ୍ ଭୈରବୀ ବା ମଙ୍ଗଳା ଓ ବାମନ କହିଲେ ଭୈରବ ବା ସ୍ୱୟଂ ଜଗନ୍ନାଥଙ୍କୁ ବୁଝାଏ । ତେବେ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଏହି ପୂଜାରେ ନାରୀ ରୂପୀ ବୁଧ ବା ମଙ୍ଗଳାଙ୍କୁ ପୂଜା କରାଯାଏ । ଶିଳ ଶିଳପୁଆକୁ ବେଶ କରାଯାଇ ସଧବା ନାରୀମାନେ ଓଷା କରିଥାନ୍ତି । ବୁଧେଇ ଓଷାର ବହିରେ ୫ଟି କାହାଣୀ ରହିଛି, ସାଧବ ସାଧବାଣୀ, ଯଯାତି ନଗର ଶୁଣ୍ଢି-ଶୁଣ୍ଢିଆଣୀ, ଯାଜପୁରର ବନ୍ଧୁ ମହାନ୍ତି, ଗର୍ଭଶୂନ୍ୟ ବ୍ରାହ୍ମଣୀ ଓ ହରିପୁରର ଜଣେ ସାଧାରଣ ନାରୀ । ବିଶ୍ୱାସ କରାଯାଏ ନିଃସନ୍ତାନ ମହିଳା ପ୍ରଥମ ପାଳିରୁ ଏକ ଶାଢ଼ି ପୂଜାଘର ଦୁଆର ମୁହଁରେ ପକାଇ ଦେଲେ, ସମସ୍ତଙ୍କ ପାଦସ୍ପର୍ଶରେ ସେ କୃତାର୍ଥ ହୋଇ ସନ୍ତାନ ପ୍ରସବା ହୁଏ । ଏହି ଲୁଗାକୁ ପାହାଡ଼ା କୁହାଯାଏ । ଓଡ଼ିଆ ସାମାଜିକ ଓ ଆଧ୍ୟାତ୍ମିକ ଚେତନାରେ ଓଷା ବ୍ରତର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବାବେଳେ ବୁଧେଇ ଓଷା ଏକ ସ୍ୱତନ୍ତ୍ର ଅବସର । ଏହି ଦିନରେ ଗ୍ରାମାଞ୍ଚଳରେ ଥିବା ଜଗନ୍ନାଥ ମନ୍ଦିର ଓ ବିଷ୍ଣୁ ମନ୍ଦିରରେ ପୂଜାର୍ଚ୍ଚନା ହୋଇଥାଏ । ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ରୀତିନୀତି ଅନୁଷ୍ଠିତ ହୋଇଥାଏ । ଆଧ୍ୟାତ୍ମିକ କଥନିକାର ବିଶ୍ୱାସକୁ ଉପଲକ୍ଷ୍ୟ କରି ଅନେକ ଶ୍ରଦ୍ଧାଳୁ ଦାନଧର୍ମ ଦେବା ସହିତ ବସ୍ତ୍ରଦାନ ଓ ଖାଦ୍ୟପଦାର୍ଥ ବଣ୍ଟନ କରିଥାନ୍ତି । ବିଷ୍ଣୁ ସହସ୍ରନାମ ଓ ପାରାୟଣ ଅନୁଷ୍ଠିତ ହୋଇଥିବାବେଳେ କେତେକ ସ୍ଥାନରେ ଛୋଟ ପିଲାମାଙ୍କୁ ସ୍ୱତନ୍ତ୍ର ଭାବରେ ଖେଚେଡ଼ି ଓ କ୍ଷୀରି ଭୋଗ ପ୍ରଦାନ କରାଯାଏ । ମହାପ୍ରଭୁ କୋଟି ଆରାଧ୍ୟ ଶ୍ରୀଜଗନ୍ନାଥ ପବିତ୍ର ବୁଧେଇ ଓଷାରେ ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତୁ ଏହା ହିଁ କାମନା ।
ଅଲେଖ ଚନ୍ଦ୍ର ସାମଲ
ମୋ: ୯୪୩୭୨୫୭୧୨୩