ଅନିଶ୍ଚିତତା ଭିତରେ ରଥଯାତ୍ରା!
ସୋନପୁର : ରାଜା ରାଜୁଡ଼ି ସମୟରୁ ସୋନପୁର ସହରରେ ପବିତ୍ର ଘୋଷଯାତ୍ରା ଧୁମଧାମରେ ପାଳନ ହୋଇ ଆସୁଥିଲା । କିନ୍ତୁ କାଳକ୍ରମେ ପ୍ରଶାସନର ଉଦାସୀନତା ହେତୁ ଏହି ଯାତ୍ରା ଫିକା ଦେଖିବାକୁ ମିଳିଲାଣି । କିନ୍ତୁ ଏଥର ସ୍ଥିତି ଅଲଗା । ଚଳିତ ବର୍ଷ ରଥଯାତ୍ରା ହେବ ନା ନାହିଁ ଏ ନେଇ ଆଶଙ୍କା ସୃଷ୍ଟି ହୋଇଛି । କାରଣ ଏ ଯାଏଁ ଉପଜିଲ୍ଲାପାଳ ତଥା ଦେବତ୍ତର ଅଧିକାରୀ ପ୍ରସ୍ତୁତି ବୈଠକଟିଏ ମଧ୍ୟ କରି ନ ଥିବା ଅଭିଯୋଗ କରିଛନ୍ତି ସେବାୟତ ଏବଂ ରଥଯାତ୍ରା କମିଟି ସଦସ୍ୟ । ସେପଟେ ବୁଦ୍ଧିଜୀବୀ ପ୍ରଶାସନର ଏତାଦୃଶ କାର୍ଯ୍ୟକୁ ଅସନ୍ତୋଷ ପ୍ରକାଶ କରିବା ସହ ଭକ୍ତଙ୍କ ଭାବାବେଗ ସହ ପ୍ରଶାସନ ଖେଳ ନ ଖେଳୁ ବୋଲି ଚେତାବନୀ ଦେଇଛନ୍ତି । ଏବଂ ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ତୁରନ୍ତ ରଥଯାତ୍ରା ପ୍ରସ୍ତୁତି ବୈଠକ ସ୍ଥିର କରିବା ପାଇଁ ଦାବି କରିଛନ୍ତି । ଜଗନ୍ନାଥଙ୍କ ସେବାୟତ କହିଛନ୍ତି ଯେ, ରଥ ପ୍ରସ୍ତୁତି ମିଟିଂ ପାଇଁ ସେ ଦୀର୍ଘ ମାସେ ପୂର୍ବରୁ ଦେବାତ୍ତୋର ଅଧିକାରୀଙ୍କୁ ଭେଟି ଜଣାଇ ଆସୁଛନ୍ତି । ତଥାପି ପ୍ରଶାସନ କର୍ଣ୍ଣପାତ କରୁନାହିଁ । ଯଦି ପ୍ରାଶାସନିକ ଅବ୍ୟବସ୍ଥା ଯୋଗୁଁ ରଥଯାତ୍ରାରେ କିଛି ବିଭ୍ରାଟ ସୃଷ୍ଟି ହୁଏ, ତାହେଲେ ଜିଲ୍ଲା ପ୍ରଶାସନ ଏଥିପାଇଁ ଦାୟୀ ରହିବେ ବୋଲି କହିଛନ୍ତି ସେବାୟତ ସଂଘ ଓ କମିଟି ସଦସ୍ୟ । କାରଣ ଏ ଯାଏଁ ରଥ ଖଳାକୁ କାଠ ଆସି ନାହିଁ, କି ରଥ ତିଆରି ଆରମ୍ଭ ହୋଇନାହିଁ । ସେପଟେ କମିଟି ସଦସ୍ୟଙ୍କ ଠାରୁ ପ୍ରକାଶ ଯେ, ରଥ ତିଆରି ବେଳେ କିଛି ନୂଆ କାଠ ମଧ୍ୟ ଲାଗିଥାଏ । କିନ୍ତୁ ତାହା ଏ ପର୍ଯ୍ୟନ୍ତ ଯୋଗାଡ ହୋଇନାହିଁ । ତେଣୁ ଏଥର ରଥଯାତ୍ରା ବନ୍ଦ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି । ସେପଟେ ଜଗନ୍ନାଥ ମନ୍ଦିର ରଥଯାତ୍ରା କମିଟିର କିଛି ସଦସ୍ୟ କହିଛନ୍ତି ଯେ, ଯଦି ରଥ ନ ହୁଏ ତା’ହେଲେ ଜଗନ୍ନାଥ ମନ୍ଦିରରେ ହିଁ ସମ୍ମୁଖ ମଣ୍ଡପରେ ଠାକୁରଙ୍କୁ ରଖାଯାଇ ବେଶ ଅନୁଷ୍ଠିତ କରାଯିବ । ସେପଟେ ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ପ୍ରଭୁ ଜଗନ୍ନାଥଙ୍କ ଦେବସ୍ନାନ ନୀତି ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାର ରଥଯାତ୍ରା ବିଭିନ୍ନ ବିଧିର ସୁବିଧା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଛନ୍ତି । କିନ୍ତୁ ସୋନପୁର ରଥଯାତ୍ରା ନେଇ ଭ୍ରମ ସୃଷ୍ଟି ହୋଇଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ରାଜନୈତିକ ନେତୃତ୍ୱବୃନ୍ଦ ଦୃଷ୍ଟି ଦେବାକୁ ଦାବି ହେଉଛି ।