ବିକାଶ ଖୋଜୁଛି ଧଡ଼େଲ ଗାଁ : ଗମନାଗମନ ଓ ପାନୀୟ ଜଳ ସାତ ସପନ
ଭବାନୀପାଟଣା: କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ଆଦିବାସୀ ଓ କୁଟିଆ କନ୍ଧ ସଂପ୍ରଦାୟର ଲୋକଙ୍କ ଉନ୍ନତି ପାଇଁ ଆଦିବାସୀ ଉନ୍ନୟନ ସଂସ୍ଥା ଓ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ବାସ୍ତବରେ ତାର ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି ଆଦିବାସୀ ଓ କୁଟିଆ କନ୍ଧ ସଂପ୍ରଦାୟର ଲୋକେ । ପାନୀୟ ଜଳ ଓ ଗମନାଗମନ ଭଳି ମୌଳିକ ସୁବିଧା ପାଇପାରୁ ନାହାନ୍ତି । ଫଳରେ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ତାହା ପୁଣି ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକର ଆଦିବାସୀ ଅଧୁ୍ୟଷିତ ଧଡେଲ ଗାଁରେ । ବ୍ଲକର ବେନଗାଁ ପଞ୍ଚାୟତ ଠାରୁ ୭କିଲୋମିଟର ଦୂରରେ ରହିଛି ଧଡେଲ ଗାଁ । ଏହି ଗାଁରେ ୧୫ପରିବାର ବସବାସ କରନ୍ତି । ଏହି ଗାଁରେ ନଳକୂପ ଗୋଟିଏ ବି ନାହିଁ । ଯାହାଫଳରେ ଏଠାକାର ଲୋକେ ପାନୀୟ ଜଳ ପାଇଁ ଏକ କିଲୋମିଟର ଦୂର ଝରଣା ପାଣି ଉପରେ ନିର୍ଭର କରନ୍ତି । ଏପଟେ ବର୍ଷା ଦିନରେ ଗୋଳିଆ ପାଣି ସେପଟେ ଖରାଦିନରେ ଝରଣା ପାଣି ଶୁଖି ଯାଉଛି ।
ଅନ୍ୟପଟେ ଏହି ଝରଣା ଦେଇ ବନ୍ୟଜନ୍ତୁ ଓ ଗୃହପାଳିତ ପଶୁଙ୍କ ଚଳପ୍ରଚଳ ଯୋଗୁଁ ଝରଣା ପାଣି ଦୂଷିତ ହେଉଛି । ତେଣୁ ଏହି ପାଣି ବ୍ୟବହାର କରି ଅନେକ ଲୋକ ରୋଗାକ୍ରାନ୍ତ ହେଉଥିବା ମଧ୍ୟ ଅଭିଯୋଗ ହେଉଛି । ଫଳରେ ବର୍ଷ ବର୍ଷ ଧରି ପାଣି ପାଇଁ ନାହିଁ ନଥିବା ଦୁର୍ଦ୍ଦଶାର ଭୋଗୁଛନ୍ତି ଏଠାକାର ଲୋକେ । ହେଲେ ଏହି ଗାଁ ପ୍ରତି ସରକାରଙ୍କ ଦୃଷ୍ଟି ପଡୁନଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ । ବାରମ୍ବାର ଅଭିଯୋଗ କଲେ ସୁଦ୍ଧା କୌଣସି ସୁଫଳ ମିଳୁନାହିଁ ବୋଲି ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ । ଏହି ଗାଁ ପାଇଁ ଗମନାଗମନ ହେଉଛି ମୁଖ୍ୟ ସମସ୍ୟା । ମୂଷାନାଳ ଠାରୁ ବେନଗାଁକୁ ସଂଯୋଗ କରୁଥିବା ପୁର୍ତ୍ତ ବିଭାଗ ରାସ୍ତା କଲୋନୀ ପଡା ଠାରୁ ପୂର୍ବ ଦିଗରେ ଦୁଇ କିଲୋମିଟର ଦୂରରେ ରହିଛି ଏହି ଗାଁ । ଗାଁକୁ ପାଦଚଲା ଜଙ୍ଗଲ ବିଭାଗର ରାସ୍ତା ଥିବାରୁ ଜଙ୍ଗଲ ବିଭାଗର କଟକଣା ରହିଛି । ତେଣୁ ଭଲ ରାସ୍ତା ଖଣ୍ଡେ ନାହିଁ ଏହି ଗାଁକୁ । ଯିବା ଆସିବା କରିବାରେ ସମସ୍ୟା ଭୋଗିବାକୁ ପଡୁଛି ବୋଲି ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି । ତା ସହିତ ଗମନାଗମନର ସୁବିଧାନଥିବାରୁ କୌଣସି ବିକାଶ ମୂଳକ କାମରେ ବାଧା ଉପୁଜୁଛି । ଏହି ବ୍ଳକର ବିକାଶ ପାଇଁ ଏନ୍ ଜିଓ ଓ ସରକାରୀ ସଂସ୍ଥା ପକ୍ଷରୁ ଚାଲିଥିବା ବିଭିନ୍ନ ଯୋଜନା ଫେଲ ମାରୁଛି ଓ କାଗଜ କଲମରେ ସୀମିତ ବୋଲି ଆଲୋଚନା ହେଉଛି । ଆଦିବାସୀମାନଙ୍କ ନାଁରେ ଆସୁଥିବା କୋଟି କୋଟି ଟଙ୍କା ବାଟମାରଣା ହେଉଥିବା ଦେଖିବାକୁ ମିଳିଛି ।
ଏ ନେଇ ବେନଗାଁ ସରପଞ୍ଚ ପୁରାଣା ମାଝୀଙ୍କୁ ପଚାରିବାରୁ ଗାଁକୁ ଯିବା ପାଇଁ ଦୁଇ କିଲୋମିଟର ପାଦ ଚଲା ରାସ୍ତା ରହିଥିବା ବେଳେ ପ୍ରଥମେ କିଛି ସଂରକ୍ଷିତ ଜଙ୍ଗଲ ରହିଛି । ତେଣୁ ପଞ୍ଚାୟତ ପକ୍ଷରୁ ଅର୍ଥ ମଞ୍ଜୁର ହେଲେ ସୁଦ୍ଧା କାମ ହୋଇପାରୁନାହିଁ । ଜିଲ୍ଲାସ୍ତରରେ ଅଭିଯୋଗ ପରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀମାନେ ଆସି ତଦନ୍ତ କରି ଯାଇଥିବା ଉତ୍ତରରେ କହିଥିଲେ । ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ଦାବି ହେଉଛି ।