ଅଜଣା ଜଗତର ଡାକ
ଅଶୋକ ବିଶ୍ୱାଳ:
ବିଚର ଉପର ଆଡକୁ ହର୍ମିଟ କ୍ରାବଟିଏ ନିଜର ବଙ୍କା ଗୋଡରେ ଧୀରେ ଚାଲୁଥିଲା । ତା’ ପଛରେ ଲାଗିଥିଲା ଏକ ସବୁଜ ଗୋଲ ଖୋଳ, ତା’ର ସାଞ୍ଜୁ । କ୍ରାବଟିର ଗୋଡ ଗୁଡିକ ବଙ୍କା । ଚାଲିଲାବେଳେ ନିଜର ସେଲ ବା ଖୋଳପା ଉପରକୁ ଉଠିଯାଉଥିଲା ଆଉ ଲାଗୁଥିଲା ଯେମିତି ଜନ୍ତୁଟିଏ ଶୁଙ୍ଘି ଶୁଙ୍ଘି ବାଟ ଚାଲୁଛି, ମୁଣ୍ଡ ମାଟିରେ ଲାଗିଛି । ତା’ର ଥିଲା ଚାରିଟି ସରୁ ତା’ର ଭଳି ବାହାରିଥିବା ଆଣ୍ଟିନା । ଚାଲିବା ସହ ସେ ଆଣ୍ଟିନାମାନ ହଲ ହଲ ହେଉଥିଲା । ଲମ୍ବା ଆଣ୍ଟିନା ଦୁଇଟି ମାଟିକୁ ଛୁଉଁଥିଲା ଆଉ ତା’ର ଅଧା ଲମ୍ବା ଦୁଇଟି ଆଣ୍ଟିନା ସେମିତି ନଡନଡ ହେଉଥିଲା । ବାହାରର ସବୁ ସିଗନାଲକୁ ଯେମିତି କ୍ରାବଟି ଗ୍ରହଣ କରୁଛିା ତା’ର ମୋଟ ଆଙ୍ଗୁଠି ଭଳି ବାହୁଟି ବାରି ଓଜନ ଯୋଗୁ ତଳେ ପ୍ରାୟ ଘୁଷୁରୁଥିଲା । କେଉଁଠି ବାଲି ଟିକିଏ ଢିପ ହୋଇଗଲେ ପ୍ରାଣୀଟି ସହଜରେ ଉପରକୁ ଚଢୁଥିଲା କିନ୍ତୁ ତଳକୁ ଓହ୍ଲାଇଲାବେଳେ ତା’ର ମୋଟ ଗୋଡଟି ତଳେ ଭାରା ଦେଇ ନଓଲଟିବାକୁ ଶରୀରକୁ ସନ୍ତୁଳନ ଦେଉଥିଲା । ଲାଗୁଥିଲା ଓଲଟି ପଡିବ, କିନ୍ତୁ ପ୍ରାଣୀଟି ଆଶ୍ଚର୍ଯ୍ୟଜନକ ଭାବେ ନିଜ ସନ୍ତୁଳନ ହରାଇ ବସୁନଥିଲା ।
ଆକାଶରେ ସୂର୍ଯ୍ୟ କମଳା ହୋଇଆସିଥିଲା, ଆଉ ଟିକକରେ ଗାଢ ଲାଲ ହୋଇଯିବ । କୂଳ କାଳିଚିଆ ପଡିଆସିଲାଣି । କୂଳର ବାଲିରେ ଆନେକ ପ୍ରକାରର ହର୍ମିଟ କ୍ରାବ ଦେଖାଯାଉଥିଲେ । ଏକ ପ୍ରଜାତିର ହର୍ମିଟ କ୍ରାବଟି କେଉଁ ଏକ ଗୋଲାକାର ଗେଣ୍ଡାର ଖୋଳରେ ପଶିଯାଇଥିଲା । ଏହାର ଆଣ୍ଟିନା ନଥିଲା ଆଉ ଏହା ଜୋରରେ ଚାଲୁଥିଲା । ଧୀରେ ସମୁଦ୍ରରେ ସୂର୍ଯ୍ୟ ଡୁବିଯାଉଥିଲା । ଅସୀମ ତଳେ ବସି ପାଣିକୁ ଅନାଇଲେ । ଢେଉରେ ଏକ ଲମ୍ବା ଧାର ତିଆରି ହୋଇଥିଲା ଆଉ ଶେଷ ଆଡକୁ ଦିଗବଳୟ କମଳା-କଳା ହୋଇଆସିଥିଲା । ପାଣି ଶେଷ ଆଡକୁ ଉପରକୁ ଛିଟିକି ପଡୁଥିଲା । ସମୁଦ୍ରର ଏକ ମଧୁର ସଙ୍ଗୀତ ଅଛି । ଛିଟିକି ପଡୁଥିବା ପାଣି ଲାଗେ ଯେମିତି ଲହଡିର ଶିଖରରେ ଏକ ଏକ ନର୍ତ୍ତୀକୀ ନିଜର ନୃତ୍ୟରେ ତନ୍ମୟ ହୋଇ ନିଜକୁ ଭୁଲିଯାଇ ଆକାଶକୁ ଧରିବାକୁ ଡେଇଁ ପଡୁଛି । ଆକାଶରେ ଶେଷ କିରଣରେ ତଳୁ ବାଦଲମାନଙ୍କର କିଛି ଅଂଶ ଝଲସୁଥିଲା ।ଆଉ ଏପଟେଗଛମାନ କଳା ପଡିଆସୁଥିଲା । ତଳ ଆଡକୁ କୁହୁଡିର ଧାର ତିଆରି ହେଉଥିଲା । ଆକାଶରେ ସୂର୍ଯ୍ୟ ଏକ ବିଶାଳ ଗୋଲକ ଲାଗୁଥିଲା । ଭିତର ପଟଳୁ ଧଳା ଆଉ ଚାରିପଟେ ଉଜ୍ଜ୍ୱଳ ହଳଦିଆ ଆଉ ତା’ପରେ କମଳା ଆଭା ଖେଳିଯାଇଛି । ପାଣି କଳା ପଡିଆସିଲାଣି, ଆଉ ପ୍ରତଫଳନ ଢେଉଁମାନ ଛୁଇଁ ଛୁଇଁ କୂଳର ଶେଷ ଆଡକୁ ସୂର୍ଯ୍ୟକୁ ସ୍ପଷ୍ଟ ଆଙ୍କିଦେଇଛି । ସୂର୍ଯ୍ୟର ଠିକ ଉପରେ ବାଦଲମାନ ଭିଣାତୂଳା ଭଳି ଧଳା ଦେଖାଯାଉଛି । ଲହଡିର ମଧୁର ସଙ୍ଗୀତ ସେମିତି ବାଜିଚାଲିଛି ।
ଧୀରେ ସୂର୍ଯ୍ୟ ଏକଦମ ଲାଲ ହୋଇଆସିଲା ଆଉ ବାଦଲର ରଙ୍ଗ ବଦଳିଗଲା । ଏବେ ଠିକ ସୂର୍ଯ୍ୟ ଉପରୁ ହଳଦିଆ କମଳା ରଙ୍ଗର ପାଣି ଧାର ଯେମିତି ଆକାଶକୁ ବୋହି ପ୍ରତିଟି ବାଦଲକୁ ସେହି ରଙ୍ଗରେ ରଙ୍ଗାଇ ଦେଇଛି । ଆଉ ଧୀରେ ସବୁ ଲାଲରୁ ନାରଙ୍ଗୀ ହୋଇଗଲା, ତା’ପରେ ଧୀରେ କଳା ହୋଇଆସୁଥିଲା ଆଉ ସୂର୍ଯ୍ୟ ପାଣି ଭିତରେ ଲୁଚିଯାଉଥିଲା । ସେମାନେ ସେଦିନ ରାତିରେ ସମୁଦ୍ରକୂଳରେ କଟାଇଲେ । ପରଦିନ ସକାଳୁ ସୂର୍ଯ୍ୟ କେବେଠୁ ଆସିସାରିଥିଲା । ପାଣି ଶାନ୍ତ ଥିଲା । ଲହଡି ଛୋଟ ଥିଲା । ସମୁଦ୍ରକୂଳର ବାଲି ସାମାନ୍ୟ ଓଦାଳିଆ ଲାଗୁଥିଲା । ଲହଡିମାନ ଧଳା ରେଖାଟାଣି ବାଲିକୁ ଓଦା କରିଦେଉଥିଲା ଆଉ ସବୁ ଚିହ୍ନ ଲିଭି ଯାଉଥିôଲା । ଠିକ ପାଣିର ରେଖା ଉପରେ ଏକ ଆର୍ମି ଟ୍ୟାଙ୍କର ମାଟି ଉପରେ ଥିବା ଚିହ୍ନ ପରିଏକ କଚ୍ଛପର ଆସିବାର ଚିହ୍ନ ଥିଲା । ତା’ର ଆଗ ଦୁଇ ଫ୍ଲିପର ବାହାର ଆଡକୁ ଦୁଇ ପାଖରେ ବାଲିକୁ ଘଷି କରି ଆଡେଇଛି ଲାଗିବ ଯେମିତି ଏକ ଇଂରାଜୀ ଭିକୁ ମାଟି ଉପରେ କିଏ ଛାପି ଛାପି ଚାଲିଛି । ମଝିରେ ଅଛି ପଛ ଫ୍ଲିପରର ଠେଲା ଚିହ୍ନ । ଆଉ କଚ୍ଛପର ଓଜନରେ ବାଲି ଦବିଯାଇଛି । ଏ ଚିହ୍ନ ସିଧା ଶୁଖିଲା ବାଲି ପାଖକୁ ଯାଇ ଲଟାମାନଙ୍କ ପାଖରେ ଅଟକି ଯାଇଥିଲା । ଏ ଲଟାମାନଙ୍କରେ ଫୁଟେ ସୁନ୍ଦର କପ ଆକୃତିର ଧଲା ବାଇଗେଣୀ ଫୁଲ । ତା’ପରେ ଫେରି ଆସିବାର ଚିହ୍ନ ମଧ୍ୟ ଥିଲା, ସେଇ ଏକା ପ୍ରକାର ଚିହ୍ନ କିନ୍ତୁ ଦିଗ ବଦଳି ଯାଇଛି । ବିଚର ଉପରଆଡକୁ କିଛି କିଛି ଭାସିଆସିଥିବା ଡାଳ ପତ୍ର ପଡିଥିଲା । ଏତେ ଦୂର କଚ୍ଛପ ଆସେନି । ଅଣ୍ଡା ଦେବ ପାଇଁ ସେ ପରିଷ୍କାର ସ୍ଥାନ ଦରକାର କରେ ।
ପୂର୍ବ ରାତିରେ ଅନେକ କଚ୍ଛପ ଆସିଛନ୍ତି । କଚ୍ଛପ ଅଣ୍ଡାଦେବା ସ୍ଥାନଟି ଜାଣି ହେଉଥିଲା । କଚ୍ଛପର ଯିବା ଚିହ୍ନ ଆସି ଅଣ୍ଡାଦେବା ସ୍ଥାନରେ ଅଟକି ଯାଇଛି । ବାଲି ଉପର ତଳ ହୋଇଛି, ଯେମିତି ଅନେକ ଛୋଟ କ୍ରାବ ମାଉଣ୍ଡ ପାଖାପାଖି । ବାଲିର ଓଦାଳିଆ ଅଂଶ ଅନୁଭବ କରିହେଉଥିଲା ।ଏଥିରୁ ଜାଣିହେବ କଚ୍ଛପ କାଲି ରାତିରେ ଅଣ୍ଡା ଦେଇଛି । ଓଦାଳିଆ ଅଂଶ ନଥିଲେ ଅଣ୍ଡାଦେବା ସ୍ଥାନ ପୁରୁଣା ହୋଇପାରେ । ଥରେ ଖରା ବାଜିଲା ପରେ ବାଲି ନରମ ହୋଇଯିବ, ଶୁଖିଲା ହୋଇଯିବ । ଏମିତି ଅନେକ କଚ୍ଛପ ଅଣ୍ଡାଦେବା ସ୍ଥାନ ଥିଲା । ଅଧିକାଂଶ ଯାଗାରେ ବାଲି ଶୁଖିଯାଇଥିଲା ଅର୍ଥାତ କଚ୍ଛପ ଆଗରୁ ଅଣ୍ଡାଦେଇସାରିଛି ।ଗୋଟାଏ ଯାଗାରେ ଏକ ନୁଆ କଚ୍ଛପ ଏକ ପୁରୁଣା ଅଣ୍ଡା ଦିଆଯାଇଥିବା ସ୍ଥାନକୁ ଖୋଳିଦେଇଥିଲା । ସେଥିରେ କିଛି ପୁରୁଣା ଅଣ୍ଡା ଖରାପ ହୋଇଯାଇଛି । କିଛି ଅଣ୍ଡାର ଖୋଳପାମାନ ଏଠି ସେଠି ପଡିଥିଲା । ଏମିତି ସାମାନ୍ୟ ଅଘଟଣମାନ ଘଟେ ବିଚରେ । ବେଳେବେଳେ ବନ୍ୟ ଶୂକରମାନେ ମଧ୍ୟ କଚ୍ଛପର ଅଣ୍ଡାଦେବା ସ୍ଥାନ ଖୋଳିଦେଇଥାନ୍ତି ।
ବିଚର ଡାହାଣକୁ ଥିଲା ଆଲେକଜାଣ୍ଡ୍ରିଆ ନଦୀ ଆଉ ବହୁ ଦୂରରେ ବାମକୁ ଥିଲା କିଛି ପଥୁରିଆ ଜାଗା । ସେଠାରେ ଧୀରେ ବାଲି ସରି ଆସୁଛି । ଏପଟେ ନେଷ୍ଟିଙ୍ଗ ବିଚର ପଛରେ ଥିଲା ମୁଖ୍ୟତଃ ପାଣ୍ଡାନାସ ଜଙ୍ଗଲ । ଭିତରେ ଭିତରେ କେଉଁଠି କେଉଁଠି ନଡିଆଗଛମାନ ମୁଣ୍ଡ ଟେକିଥିଲା । କଚ୍ଛପ ଅଣ୍ଡା ଦେଉଥିବା ବିଚ ଏକ ବଡ ଆର୍କ କରିଥିଲା । ସମୁଦ୍ରକୂଳର ସ୍ଲୋପ ସାଧାରଣ । କଚ୍ଛପ ବଡ ତିଖ ଚଢିବାକୁ ପସନ୍ଦ କରୁନଥିବ । ଆଲିକଜାଣ୍ଡ୍ରିଆ ଏକ ଚଉଡା କିନ୍ତୁ କମ ସ୍ଲୋପ ଥିବା ବାଲା ବିଚ । ଶୋଭନା ଲମ୍ବା ନିଶ୍ୱାସ ନେଲେ । ତାଙ୍କ ଛାତି ଫୁଲିଗଲା । ସମୁଦ୍ରରୁ ତାଙ୍କ ଆଡକୁ ପବନ ଧୀରେ ବୋହିଆସୁଥିଲା । ପ୍ରକୃତିର ସୁନ୍ଦର ରୂପ ତାଙ୍କୁ ଆଉ କିଛି ଭାବିବାକୁ ଦେଉନଥିଲା । ସବୁଜିମା ସବୁ ଅଯଥା ଚିନ୍ତାକୁ ମସ୍ତକରୁ ଛାଣି ବାହାର କରିଦିଏ । ସେ ନିଜ ଭିତରେ ମୃଦୁ ମଳୟ ବୋହିଯିବାର ଅନୁଭବ କରୁଥିଲେ ।
“ଏତେ ସତେଜ ପବନ କେଉଁଠି ମିଳିବନି ଅସୀମ ।”- ଶୋଭନା କହିଲେ ।
ଶୋଭନା ବିଚରେ ପଡିଥିବା କଚ୍ଛପମାନଙ୍କର ଯିବା ଆସିବା ଚିହ୍ନକୁ ଅନାଇଥିଲେ । ବହୁ ଚିହ୍ନ ଲିଭି ଆସିଲାଣି । ପାଣି ସେଯାଏ ପହଞ୍ଚିନି କିନ୍ତୁ ପବନର ଆଘାତରେ ବାଲି ଚିହ୍ନ ହଜାଇବସୁଛି । କଚ୍ଛପମାନଙ୍କ ନୂଆ ପଦଚିହ୍ନ ସବୁବେଳେ ଆଲେକଜାଣ୍ଡ୍ରିଆ ବିଚରେ ପଡୁଥିବ ଆଉ ସେମାନେ ସାଙ୍ଗରେ ନେଇଆସୁଥିବେ ଭାରତ ମହାସାଗରରୁ ସବୁଠାରୁ ସତେଜ ପବନ ।
“ଅସୀମ, ତୁମକୁ ସମୁଦ୍ରର ଢେଉ ନା ଆକାଶ ଅସାଧାରଣ ଲାଗୁଛି?”-ଶୋଭନା ପଚାରିଲେ ।
ଆଗକୁ ସମୁଦ୍ରରେ ଲହଡିର ମୋଟା ଧଳା ରେଖାମାନ ଛାଡି ଛାଡିକରି ଆଖିର ଏ କୋଣରୁ ସେ କୋଣ ପର୍ଯ୍ୟନ୍ତ ଲମ୍ବିଥିଲା । ଆକାଶରେ ମେଘର ଧାର ଅଚିହ୍ନା ଲାଗୁଥିଲା । ଛାଡି ଛାଡି କରି ଛୋଟ ପାହାଡମାନ ଗଢିଥିଲାଆଉ ତଳେ ଦିଗବଳୟ ରଙ୍ଗ ଶୂନ୍ୟ ହୋଇଯାଇଥିଲା । କିଛି ଭଲକରି ଜଣାଯାଉନଥିଲା । ଅସୀମ ଆଉ ଶୋଭନା ପଥୁରିଆ ସମୁଦ୍ରକୂଳରେ ଠିଆହୋଇ ନିଜ ଭିତରକୁ ବହୁ ସ୍ମୃତି ନେଇଯିବେ । ତଳେ ଅନେକ ଭଙ୍ଗା କୋରାଲମାନ ପଡିଥିଲା । “ଆକାଶ ତଳେ ଢେଉ, ଆଉ କୂଳ ଧୋଇଯାଉଛି । ଦୁହେଁ ଅସାଧାରଣ ।”-ଅସୀମ ଉତ୍ତର ଦେଉଥିଲେ । ଅସୀମ ଏକ ଭଙ୍ଗା କୋରାଲକୁ ହାତରେ ଉଠାଇ ଆଣିଲେ । ଢେଉର ଆଘାତରେ କୋରାଲର ଉପରେ ରିବିରିବି ହୋଇଥିବା ପଲିପମାନ ମରି କେବେଠୁ ସମତଳ ହୋଇଗଲାଣି । ଆଜି ଦିନରେ ପ୍ରାୟ ଧଳା ବା ସାମାନ୍ୟ ବାଦାମୀ ଲାଗୁଛି । ଯେତେ ଢେଉରେ ଧୋଇଗଲେ ବା ଆକାଶରୁ ଯେତେ ଆଲୋକ ପଡିଲେ ବି ସେହି ପୁରୁଣା ରୂପ ଆସିବନି ।କୋରାଲ ଖଣ୍ଡଟି ଦିନେ ଜୀବନ୍ତ ଥିବ । ସେତେବେଳେ ରଙ୍ଗୀନ ଲାଗୁଥିବ । ଆଜି ମୂଳ ଭାଗରୁ ବିଚ୍ଛିନ୍ନ ହୋଇ ନିଜର ଔଜଲ୍ୟ ହରାଇ ବସିଛି ।
“ନୂଆ ଦୁନିଆ ଗଢି ଉଠୁଛି । ପୁରୁଣା ଚିହ୍ନ ଧୋଇ ଯାଉଛି ସମୟ ରୂପକ ଲହଡିର ଆଘାତରେ । ନୂଆ ଚିହ୍ନ ତିଆରି ହେଉଛି ।”-ଅସୀମ ଦାର୍ଶନିକ ଭଳି କଥା କହୁଥିଲେ । କେବଳ ଯାହା କେତେଟା ଶବ୍ଦ କୋରାଲ ପର୍ଯ୍ୟନ୍ତ ଯାଉଥିଲା ।(କ୍ରମଶଃ)
ଭୁବନେଶ୍ୱର