ଚରିତ୍ରଗତ ପରିଚୟ

ଚରିତ୍ରଗତ ପରିଚୟ

ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର ‘ଅମୃତ ବିନ୍ଦୁ  ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ମଣିଷର ଚରିତ୍ରଗତ ପରିଚୟ ବାବଦରେ କିଛି କଥା  । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା  ।

ପ୍ରତ୍ୟେକ ବ୍ୟକ୍ତି କେତେବେଳେ ନା କେତେବେଳେ ନିଜର ରଙ୍ଗ ବଦଳାଇଛନ୍ତି, ବଦଳାଉଥାନ୍ତି  ।
ରଙ୍ଗ ବଦଳାଇବାର ଅର୍ଥ ହେଲା ଚରିତ୍ରଗତ ପରିଚିତିରେ ପରିସ୍ଥିତିକୁ ନେଇ ଏକ ପରିବର୍ତ୍ତନ  । ଏ ମୁଖା ପିନ୍ଧିବାକୁ କୁହାଯାଏ ରଙ୍ଗ ବଦଳାଇବା  । କେହି କହିପାରନ୍ତି "ମୋ ଦେଇ ସେ ରଙ୍ଗ ବଦଳେଇବା କାମ ହୁଏନି'' ବୋଲି ! କିନ୍ତୁ ବାସ୍ତବତା ହେଲା ସମସ୍ତେ ନିଜ ନିଜ ଅନୁସାରେ ରଙ୍ଗ ବଦଳାନ୍ତି  । ଆଉ ଅସଲ କଥାଟି ହେଲା କିଏ, କୋଉ ପ୍ରକାରେ ରଙ୍ଗ ବଦଳାନ୍ତି ସେକଥା କେହି କାହାକୁ କହନ୍ତି ନାହିଁ  ।
ବ୍ୟକ୍ତି ଏକ ବ୍ୟକ୍ତିତ୍ୱ ଅନେକ  । ବ୍ୟକ୍ତି ସମାନ; କିନ୍ତୁ ବ୍ୟକ୍ତିତ୍ୱ ଭିନ୍ନ  । ନିଜ ଚେହେରାରେ ରଙ୍ଗ ବୋଳି କେବଳ କଳାକାରମାନେ ଅଭିନୟ କରନ୍ତି ନାହିଁ  । ଜୀବନର ରଙ୍ଗମଞ୍ଚରେ ସମସ୍ତେ ଅଭିନୟ କରନ୍ତି  । ସମସ୍ତେ କେଉଁଠା ନା କେଉଁଠି ନିଜର ପ୍ରକୃତ ରୂପ ବା ବ୍ୟକ୍ତିତ୍ୱକୁ ଲୁଚେଇ ରଙ୍ଗ ବଦଳାନ୍ତି  ।
କିନ୍ତୁ କିଛି ଲୋକ ଅଛନ୍ତି ସେମାନେ ଆବଶ୍ୟକତାର ରଙ୍ଗ ବଦଳାଇବା ଠାରୁ ପ୍ରବୃତ୍ତିଗତ ଭାବରେ ମିଛ କହିବା ଏବଂ ବ୍ୟକ୍ତିତ୍ୱର ପରିବର୍ତ୍ତନକୁ ଜୀବନର ସାଧାରଣ ଘଟଣା ଭାବରେ ଧରି ନେବାକୁ ଜୀବନଶୈଳୀ ବୋଲି ଭାବନ୍ତି  । ଏଭଳି ବ୍ୟକ୍ତିମାନେ କେତେବେଳେ କାହାକୁ କିଭଳି ଭାବରେ ପ୍ରତାରିତ କରିବେ ତାହା କଳନା କରିବା ମଧ୍ୟ ସମ୍ଭବ ନୁହେଁ  । "ଲୋକଟା ରଙ୍ଗ ବଦଳାଉଛି'' କହିଲେ ଏକ ନକାରାତ୍ମକ ଭାବନାକୁ ପ୍ରଥମେ ହିଁ ଲୋକେ ଗ୍ରହଣ କରନ୍ତି  । ରଙ୍ଗ ବଦଳାଇବା ଶବ୍ଦଟି ଏକ ନକାରାତ୍ମକ ଭାବରେ ଗ୍ରହଣ କରାଯାଉଥିଲେ ମଧ୍ୟ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ କେଉଁଠି ନା କେଉଁଠି ରଙ୍ଗ ବଦଳାଇଥାନ୍ତି  ।
ସମସ୍ତେ ବଦଳେଇ ଥାଆନ୍ତି, ହେଲେ ଜଣଙ୍କର ରଙ୍ଗ ଆଉ ଜଣଙ୍କଠୁ ଉଣା ହେଇଗଲେ କହନ୍ତି "ଦେଖୁନ କେମିତି ରଙ୍ଗ ବଦଳଉଛି'' ବୋଲି  । ଦୁନିଆକୁ ଦେଖିକି ମଧ୍ୟ ଜୀବନର ରଙ୍ଗ ବଦଳିଯାଏ  । ପ୍ରାୟ ମଣିଷଙ୍କ ଆଖିରେ ନିଜ ରୂପ ଛଡା ଆଉ କାହାରି ରୂପ ଯାଏନି  ।
ପଢିଥିବା ହେତୁ ଆପଣଂକ ନିକଟରେ କୃତଜ୍ଞ  । ଆସନ୍ତୁ ପ୍ରତ୍ୟେକ ଦିନ ଆମେ ‘ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା  । ନମସ୍କାର  ।