ଗୀତା ବର୍ଣ୍ଣିତ କର୍ମଯୋଗ
ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର : ଈଶ୍ୱର ପ୍ରାପ୍ତି ନିମିତ୍ତ ବେଦ ତିନିଗୋଟି ମାର୍ଗ ନିର୍ଦ୍ଧାରଣ କରିଛି । ସେହି ମାର୍ଗ ତ୍ରୟ ହେଉଛି କର୍ମ ମାର୍ଗ, ଜ୍ଞାନ ମାର୍ଗ ଓ ଉପାସନା ମାର୍ଗ । ବେଦମତରେ ସଂସାରାଭିଳାଷୀଙ୍କ ନିମିତ୍ତ କର୍ମ ମାର୍ଗ ହିଁ ଶ୍ରେୟ । ବୋ÷ଦ୍ଧିକ ଦୃଷ୍ଟିକୋଣରୁ ବେଦକୁ କାଣ୍ଡତ୍ରୟୀ ଅର୍ଥାତ୍ ଜ୍ଞାନକାଣ୍ଡ, କର୍ମକାଣ୍ଡ ଓ ଉପାସନାକାଣ୍ଡର ସମାହାର ନାମରେ ଅଭିହିତ କରାଯାଇଛି । ଚାରିବେଦର ଏକ ଲକ୍ଷ ସୂକ୍ତ ମଧ୍ୟରୁ ଅଶୀହଜାର ମନ୍ତ୍ର କେବଳ କର୍ମକାଣ୍ଡ ସଂପର୍କୀୟ, ଷୋହଳ ହଜାର ମନ୍ତ୍ର ଜ୍ଞାନ ସମ୍ବଳିତ ଏବଂ ଚାରି ହଜାର ମନ୍ତ୍ର ଉପାସନା ସମ୍ବନ୍ଧୀୟ । ଉପଲବ୍ଧ ହୁଏ, ବୈଦିକ ଯୁଗରେ ଉପାସନା ଓ ଜ୍ଞାନ ଅପେକ୍ଷା କର୍ମ ଉପରେ ମହତ୍ତ୍ୱ ପ୍ରଦାନ କରାଯାଉଥିଲା । ବେଦବିଦ୍ଙ୍କ ମତରେ ବେଦ ମୂଳତଃ ପୂର୍ବ ମୀମାଂସା ଓ ଉତ୍ତର ମୀମାଂସା ଏହି ଦୁଇଭାଗରେ ବିଭକ୍ତ । ତନ୍ମଧ୍ୟରୁ ପୂର୍ବମୀମାଂସା ଅଶୀହଜାର ମନ୍ତ୍ର ସମ୍ବଳିତ କର୍ମକାଣ୍ଡ । କର୍ମକାଣ୍ଡର ନିରୂପଣରେ କୁହାଯାଇଛି ‘ଅଥାତୋ ଧର୍ମ ଜିଜ୍ଞାସା’ ଅର୍ଥାତ୍ ଏହି କର୍ମକାଣ୍ଡରୁ ହିଁ ମାନବୀୟ ଧର୍ମର ଅୟମାରମ୍ଭ, ଯାହାର ପରମ ଲକ୍ଷ୍ୟ ହିଁ ଈଶ୍ୱର ପ୍ରାପ୍ତି । ଗୀତା ରଚନାର ବହୁ ପୂର୍ବରୁ ମୀମାଂସା ଶାସ୍ତ୍ର କର୍ମର ମହତ୍ତ୍ୱ ସ୍ପଷ୍ଟ କହିଅଛନ୍ତି, ‘ଆମ୍ନାୟସ୍ୟ କ୍ରିୟାର୍ଥଦ୍ୱାରେ ଆନର୍ଥକ୍ୟ ମତଦର୍ଥାନଂ । ଆମ୍ନାୟ ଅର୍ଥାତ୍ ବେଦର ମୁଖ୍ୟ ପ୍ରୟୋଜନ କର୍ମର ହିଁ ପ୍ରତିପାଦକ । କର୍ମର ଅଭିପ୍ରାୟ ଅଛି ଯଜ୍ଞରେ । କୋ÷ଣସି ଦେବତା ଉଦେ୍ଦଶ୍ୟରେ ହବିଷ୍ୟାଦି ଦ୍ରବ୍ୟକୁ ସମର୍ପଣ କରିବା ହିଁ ଯଜ୍ଞ । ଗୀତା କର୍ମକାଣ୍ଡର ନିରର୍ଥକତା ସହିତ ଏକମତ ନୁହେଁ ବା ଯଜ୍ଞର ଏପରି ସଙ୍କୁଚିତ ଅର୍ଥ ଗୀତାସମ୍ମତ ନୁହେଁ । ଗୀତା ଯଜ୍ଞଚକ୍ରର ଉପାଦେୟତାକୁ ସମର୍ଥନ କରେ । କାରଣ, ଏହି ଚକ୍ରରେ ଅନ୍ନରୁ ଆରମ୍ଭ କରି ବ୍ରହ୍ମ ପର୍ଯ୍ୟନ୍ତ ସମସ୍ତ ପଦାର୍ଥ ଗ୍ରଥିତ ଅଛି । ‘ଯଜ୍ଞ’ର ପ୍ରୟୋଗ ଗୀତାରେ ଏକ ବିସ୍ତୃତ ଅର୍ଥରେ ହୋଇଅଛି । ନିଃସ୍ୱାର୍ଥ ବୁଦ୍ଧିରେ କରାଯାଇଥିବା ଓ ପରମାତ୍ମା ଆଡକୁ ନେଇ ଯାଉଥିବା ସମସ୍ତ କର୍ମର ନାମ ଯଜ୍ଞ । ଯଜ୍ଞ ଅନେକ ପ୍ରକାରର, ଯଥା:- ଦ୍ରବ୍ୟଯଜ୍ଞ, ତପୋଯଜ୍ଞ, ସ୍ୱାଧ୍ୟାୟ ଓ ଜ୍ଞାନଯଜ୍ଞ ଇତ୍ୟାଦି ।
ଏହି ସଂସାର ହେଉଛି କର୍ମଭୂମି । ପ୍ରତ୍ୟେକ କର୍ମ କରିବା ନିମିତ୍ତ ଜନ୍ମ ନେଉଛନ୍ତି । କର୍ମକୁ କୋ÷ଣସି ପରିସ୍ଥିତିରେ କେହି ତ୍ୟାଗ କରିପାରିବେ ନାହିଁ । କିନ୍ତୁ କର୍ମ ମଧ୍ୟରେ ଗୋଟିଏ ଦୁର୍ଗୁଣ ଅଛି, ଯାହାକି କର୍ତ୍ତାକୁ ବନ୍ଧନରେ ପକାଇବା ଲାଗି ସର୍ବଦା ପ୍ରସ୍ତୁତ । ଏହାର ନାମ ବାସନା, ଫଳାକାଙ୍କ୍ଷା ବା ଆସକ୍ତି । ଗୀତାର କଥନ ଅନୁଯାୟୀ, ଫଳାକାଙ୍କ୍ଷା ଦୃଷ୍ଟିରେ କରାନଯାଇଥିବା କର୍ମ କେତେବେଳେ ହେଲେ ବନ୍ଧନରେ ପକାଇ ପାରିବ ନାହିଁ । କର୍ମ ଜୀବନଯାତ୍ରାର ଆଧାର ହୋଇଥିବାରୁ କର୍ମଚକ୍ରରୁ କେହି କେବେ ଅଲଗା ହୋଇପାରିବ ନାହିଁ । କୋ÷ଣସି ମନୁଷ୍ୟ ଏକ କ୍ଷଣ ଲାଗି କର୍ମ ନକରି ରହିପାରିବ ନାହିଁ । କର୍ମର ବିଷମୟ ଦାନ୍ତ ଫଳାକାଙ୍କ୍ଷାକୁ ଉପାଡିବା ଦରକାର । ଯେଉଁ କାମନାରେ କର୍ମ ନିଷ୍ପାଦନ କରାଯାଏ ସେହି ଫଳକୁ ଅବଶ୍ୟ ଭୋଗିବାକୁ ପଡିବ, କର୍ତ୍ତାକୁ ତହିଁରେ କୋ÷ଣସି ମତେ ଅବ୍ୟାହତି ମିଳିବ ନାହିଁ, କିନ୍ତୁ ଫଳସ୍ୱରୂପ ବନ୍ଧନରୁ ମୁକ୍ତି ମଧ୍ୟ ମିଳିପାରେ । କାର୍ଯ୍ୟ ଏପରି କୁଶଳତାର ସହିତ ସଂପାଦନ କରିବା ଦରକାର, ଯହିଁରେ ତାହା ବନ୍ଧନ ଉତ୍ପାଦନ ନକରି ଯୋଗରେ ପରିଣତ ହେବ । ଗୀତାରେ କୁହାଯାଇଛି:-
ବୁଦ୍ଧଯୁକ୍ତୋ ଜହାତୀହ ଉଭେ ସୁକୃତଦୁଷ୍କୃତେ,
ତସ୍ମାଦ୍ଯୋଗାୟ ଯୁଜାସୁ ଯୋଗଃ କର୍ମସୁ କୋ÷ଶଳମ୍ ।
ଅର୍ଥାତ୍ ସମବୃଦ୍ଧି ସଂପନ୍ନ ମନୁଷ୍ୟ ପୁଣ୍ୟ ଓ ପାପ ଉଭୟକୁ ଇହଲୋକରେ ତ୍ୟାଗ କରିଦିଅନ୍ତି ଅର୍ଥାତ୍ ସେଥିରୁ ମୁକ୍ତ ହୋଇଯାଆନ୍ତି । ତେଣୁ ତୁମେ ସମତ୍ୱ ରୂପକ ଯୋଗରେ ଲାଗିଯାଅ । ଏହି ସମତ୍ୱ ରୂପକ ଯୋଗ ହିଁ କର୍ମରେ କୁଶଳତା ଅର୍ଥାତ୍ କର୍ମ ବନ୍ଧନରୁ ମୁକ୍ତି ପାଇବାର ଉପାୟ ।
କର୍ମଯୋଗ କର୍ମସନ୍ୟାସରୁ ବଡ । ସାଧାରଣ କର୍ମବାଦକୁ କର୍ମଯୋଗରେ ପରିଣତ କରିବା ପାଇଁ ତିନୋଟି ସାଧନର ଆବଶ୍ୟକତା ଅଛି, ଯଥା: (୧) ଫଳାକାଙ୍କ୍ଷା ବର୍ଜନ, (୨) କର୍ତ୍ତୃତ୍ୱାଭିମାନ ପରିତ୍ୟାଗ (୩) ଈଶ୍ୱରାର୍ପଣ । ଗୀତାର ଉପଦେଶ ଏହି ଯେ, ମାନବର କର୍ମ କରିବାର ଅଧିକାର ଅଛି, ଫଳରେ କଦାପି ନାହିଁ । ଫଳର ଆକାଙକ୍ଷାରେ କେତେବେଳେ କର୍ମ କରନାହିଁ ଓ ଅକର୍ମରେ ବା କର୍ମ ନକରିବାରେ ତୁମ୍ଭର କଦାପି ଇଚ୍ଛା ନରହୁ ।
କର୍ମ ଣ୍ୟ ବାଧିକାରସ୍ତେ ମା ଫଳେଷୁ କଦାଚନ
ମା କର୍ମଫଳ ହେତୁଭ୍ୱର୍ ମା ତେ ସଙ୍ଗୋସ୍ତ୍ୱ କର୍ମଣି ।
ଗୀତାର ଉପରୋକ୍ତ ଶ୍ଲୋକଟି କର୍ମଯୋଗରେ ମହାମନ୍ତ୍ର । ଶ୍ଳୋକଟିର ଅର୍ଥ ହେଉଛି କର୍ମ କରିବାରେ ହିଁ ତୁମର ଅଧିକାର ରହିଛି । କର୍ମର ଫଳ ଉପରେ ତୁମର କଦାପି ଅଧିକାର ନାହିଁ । ତେତୁ ତୁମେ କର୍ମଫଳର କାରଣ ହୁଅ ନାହିଁ ତଥା ତୁମର କର୍ମ ନ କରିବାରେ ବି ଆସକ୍ତି ନହେଉ । ଏହି ଶ୍ଳୋକର ଚାରିପାଦକୁ ଆମ୍ଭେମାନେ କର୍ମଯୋଗର ‘ଚତୁଃସୂତ୍ରୀ’ କହିପାରୁ । ତେଣୁ ଆସକ୍ତିକୁ ପରିତ୍ୟାଗ କରି କର୍ମ କରିବାରେ କୋ÷ଣସି ପ୍ରକାର ଅନିଷ୍ଟର ଲେଶମାତ୍ର ଅବକାଶ ନଥାଏ । ଗୀତାର ପ୍ରଧାନ ସିଦ୍ଧାନ୍ତ ଏହି ଯେ, ପ୍ରାଣୀଙ୍କର କର୍ମତ୍ୟାଗ କରିବା କଦାପି ଉଚିତ ନୁହେଁ । ପଣ୍ଡିତମାନେ କାମ୍ୟକର୍ମର ତ୍ୟାଗକୁ ସନ୍ୟାସ କହନ୍ତି । ଚତୁର ପଣ୍ଡିତମାନେ ସମସ୍ତ କର୍ମର ଫଳତ୍ୟାଗକୁ ବାସ୍ତବ ସନ୍ୟାସ କହନ୍ତି । ଗୀତାରେ ଅଛି:-
କାମ୍ୟାନାଂ କର୍ମଣାଂ ନ୍ୟାସଂ ସଂନ୍ୟାସଂ କବୟୋ ବିଦୁଃ,
ସର୍ବକର୍ମ ଫଳତ୍ୟାଗଂ ପ୍ରାଦୁସ୍ତ୍ୟାଗଂ ବିଚକ୍ଷଣାସ ।
ଅର୍ଥାତ୍ କେତେକ ପଣ୍ଡିତ କାମ୍ୟ କର୍ମତ୍ୟାଗକୁ ସନ୍ନ୍ୟାସ ବୋଲି ବୁଝନ୍ତି ଏବଂ ଅନ୍ୟ ବିଦ୍ୱାନ ପୁରୁଷଗଣ ସକଳ କର୍ମତ୍ୟାଗକୁ ତ୍ୟାଗ ବୋଲି କହନ୍ତି । କର୍ମ କରିବାରେ କର୍ତ୍ତା ପକ୍ଷରେ କର୍ତ୍ତୃତ୍ୱାଭିମାନ ଛାଡିବା ଶ୍ରେୟସ୍କର । କାରଣ ସମସ୍ତ ଜୀବ ତି୍ରଗୁଣାତ୍ମକ ପ୍ରକୃତିର ଗୁଣମାନଙ୍କର ବଳାତ୍କାରରେ ସମସ୍ତ ପ୍ରାଣୀଙ୍କୁ କାର୍ଯ୍ୟରେ ପ୍ରବୃତ୍ତ କରାଏ, ସେତେବେଳେ କର୍ତ୍ତୃତ୍ୱର ଅଭିମାନ କେଉଁଠାରେ ଥାଏ ? ତେଣୁ ସମସ୍ତ କାର୍ଯ୍ୟର ନିଷ୍ପତ୍ତି ଭଗବର୍ତ୍ପଣ ବୁଦ୍ଧିରେ କରିବା ସମୀଚୀନ । କର୍ମମାନଙ୍କର ଫଳକୁ ଭଗବାନଙ୍କ ଠାରେ ଅର୍ପଣ କରିବା ହିଁ ଗୀତାର ଉପଦେଶ । ଭଗବାନ ଶ୍ରୀକୃଷ୍ଣଙ୍କର ସ୍ପଷ୍ଟ ଉକ୍ତି ଅଛି, “ଜୀବ ଯାହା କିଛି କରୁଛି, ଖାଉଛି, ଆହୁତି ଦେଉଛି, ଦାନ କରୁଛି ବା ତପସ୍ୟା କରୁଛି ସେ ସମସ୍ତ ଭଗବାନଙ୍କ ଠାରେ ଅର୍ପଣ କରିଦେଉ । ଏହା ଫଳରେ ସେ କର୍ମଫଳର ବନ୍ଧନରୁ ମୁକ୍ତ ହୋଇଯିବ । ଏହାହିଁ କର୍ମଯୋଗ । ଅଜ୍ଞ ଆସକ୍ତିରେ କର୍ମ ଆଚରଣ କରେ, ପରନ୍ତୁ ଜ୍ଞାନୀ ପୁରୁଷ ଆସକ୍ତିରୁ ରହିତ ହୋଇ କାର୍ଯ୍ୟମାନଙ୍କୁ ଆଚରଣ କରେ ଓ ଲୋକସଂଗ୍ରହ ନିମିତ୍ତ କାର୍ଯ୍ୟ କରେ ।” ଲୋକ ସଂଗ୍ରହ ଏକ ବିଶିଷ୍ଟ ସାରଗର୍ଭକ ଶବ୍ଦ । ଏହି ଶବ୍ଦର ଅଭିପ୍ରାୟ ଏହି ଯେ, ଲୋକକାର୍ଯ୍ୟ ଯଥାବିଧି ନିର୍ବାହ ହେବା ଦରକାର । ସଂକ୍ଷେପରେ କର୍ମ ତଥା ଫଳ ବିଷୟରେ ଚାରୋଟି ସିଦ୍ଧାନ୍ତ ନିଆଯାଇପାରେ, ଯଥା:- ଆଳସ୍ୟ ପରାୟଣ ହୋଇ କର୍ମ ନକରିବା । ଏହା ପ୍ରାକୃତ ଜନସମ୍ମତ ମାର୍ଗ, ଅତି ନିକୃଷ୍ଟ, ନିନ୍ଦ୍ୟ ଓ ହେୟ । (୨) ଫଳର ଆକାଙ୍କ୍ଷା ରଖିବା ଓ ତଦୁଚିତ କର୍ମମାନ ନିଷ୍ପାଦନ କରବାକୁ ସକାମ କର୍ମ କୁହାଯାଏ, ନାହିଁରେ କର୍ମବନ୍ଧନ ଉତ୍ପନ୍ନ ହୁଏ । (୩) ଫଳର ଆକାଙକ୍ଷା ନରଖି କର୍ମ ସଂପାଦନ କରିବା ନିଷ୍କାମ କର୍ମ । ପରନ୍ତୁ, ଏଥିରେ ଲୋକଯାତ୍ରାର ନିର୍ବାହ ଭଲ ଭାବରେ ହୋଇନପାରେ । (୪) ଫଳରେ ଆକାଙକ୍ଷା ନରଖିବା ଓ କର୍ମମାନଙ୍କୁ କରିବା ହେଉଛି ଗୀତା ସମ୍ମତ କର୍ମଯୋଗ ମାର୍ଗ । ଏଥିରେ ଦ୍ୱିତୀୟ ବା ତୃତୀୟ ମତର ସମନ୍ୱୟ ଅଛି । ଫଳର ଆକାଙକ୍ଷା ଭାବ ତୃତୀୟ ମାର୍ଗରେ ଗୃହୀତ ହୋଇଛି ଓ କର୍ମନିଷ୍ପତ୍ତି ଦ୍ୱିତୀୟ ମାର୍ଗରେ ଗର୍ଭିତ ହୋଇଛି । ଏହି ଉଭୟ ବିଲକ୍ଷଣ ମାର୍ଗର ସୂଚାରୁ ସମନ୍ୱୟ ଉପସ୍ଥାପନା କରିବାରେ ଗୀତାରେ ବିଶିଷ୍ଟତା ଅଛି । ଉତ୍ତମ କର୍ମଯୋଗୀ ହେବା ଲାଗି ଜ୍ଞାନ ଓ ଭକ୍ତିର ଆଶ୍ରୟ ଦରକାର । କର୍ମ ଦ୍ୱାରା କର୍ତ୍ତୃତ୍ୱ ଅଭିମାନର ପରିହାର ଜ୍ଞାନୀ ପୁରୁଷ ହିଁ କରିପାରେ ଓ ଈଶ୍ୱରଙ୍କ ଠାରେ ସମସ୍ତ କର୍ମର ସମର୍ପଣ ଭକ୍ତିପ୍ରବଣ ଚିତ୍ତ ଦ୍ୱାରା କରାଯାଇପାରେ । ଗୀତା ଜ୍ଞାନ ମାର୍ଗର ମହତ୍ତ୍ୱକୁ ସ୍ୱୀକାର କରେ, କିନ୍ତୁ ଏହାର ଜ୍ଞାନଯୋଗ ଅନ୍ୟ ଜ୍ଞାନମାର୍ଗରୁ ବିଲକ୍ଷଣ । ଜ୍ଞାନବାଦୀ ମୋକ୍ଷ ପ୍ରାପ୍ତିର ମାର୍ଗ ଦର୍ଶାଏ, ଯାହାକୁ କି ଚିତ୍ ଓ ଅଚିତ୍ ପ୍ରକୃତି ପୁରୁଷର ବିବେକ ଯୋଗ କହନ୍ତି । ତାହାକୁ ଗୀତାରେ ଜ୍ଞାନ ଓ ଆତ୍ମୈକତ୍ୱର ସଂପୂର୍ଣ୍ଣ ଅନ୍ୱୟ କହନ୍ତି । ଏହି ଜ୍ଞାନର ଦୁଇଟି ମାର୍ଗ ଅଛି । ସର୍ବଭୂତରେ ଆତ୍ମଦର୍ଶନ ଗୋଟିଏ ମାର୍ଗ, ଯହିଁରେ ସର୍ବଭୂତ ହିଁ ଆଧାର ଓ ଆତ୍ମା ଆଧେୟ । ଜ୍ଞାନ ଆତ୍ମୈକତ୍ୱ ଲାଗି ଏତିକି ପର୍ଯ୍ୟାପ୍ତ ନୁହେଁ । ଦ୍ୱିତୀୟ ମାର୍ଗ ହେଉଛି ଆତ୍ମାରେ ଓ ଆତ୍ମା ଆଧାର ଓ ସର୍ବଭୂତଙ୍କ ଆଧେୟ ରୂପେ ଅନୁଭବ କରାଯାଏ । ଜ୍ଞାନର ଏହି ଦିଗ ପରସ୍ପରର ପରିପୂରକ ଅଟନ୍ତି । (ସର୍ବଭୂତାନି ଚାତ୍ମନି) ଏପରି ପୁରୁଷକୁ ‘ସମଦର୍ଶନ’ କୁହାଯାଏ । ‘ସର୍ବଭୂତସ୍ଥମାତ୍ମାନଂ’ର ଦୃଷ୍ଟାନ୍ତ ଜଗତରେ ସର୍ବତ୍ର ଉପଲବଧ ହୁଏ ।
ପରନ୍ତୁ ‘ସର୍ବ ଭୂତାନିଚାତ୍ମନି’ର ଦୃଷ୍ଟାନ୍ତକୁ ଭଗବାନ ଅର୍ଜୁନଙ୍କ ନିଜର ଦେବଦୁର୍ଲ୍ଲଭ ବିରାଟ ରୂପରେ ଦେଖାଇଥିଲେ । ଗୋଟିଏ ବିରାଟ ଆତ୍ମା ଭିତରେ ଗୋଟିଏ ସ୍ଥାନରେ ଅନେକଧା ବିଭକ୍ତ ସମସ୍ତ ଜଗତକୁ ଅର୍ଜୁନ ଦିବ୍ୟଚକ୍ଷୁ ଦ୍ୱାରା ଦେଖି ପାରିଥିଲେ । ବିରାଟ ଦର୍ଶନର ରହସ୍ୟ ‘ଏକସ୍ଥଂ କୃତ୍ସଂଜଗତ୍’କୁ ପ୍ରତ୍ୟକ୍ଷ କରାଇବାରେ ଭଗବାନ ଶ୍ରୀକୃଷ୍ଣ ଥିଲେ ଏକମାତ୍ର ସୁଯୋଗ୍ୟ । ବିରାଟ ଦର୍ଶନ ପରେ ଅର୍ଜୁନଙ୍କର ଆତ୍ମୈକ୍ୟ ଜ୍ଞାନ ଯଥାର୍ଥ ହେଲା । କିନ୍ତୁ ଏପରି ପ୍ରକୃତ ଜ୍ଞାନୀ ମହାତ୍ମା ହେବା ଅତ୍ୟନ୍ତ ଦୁର୍ଲଭ କଥା । ଯେକି ସମସ୍ତଙ୍କୁ ‘ବାସୁଦେବ’ ବୋଲି ମନେ କରିବ । ସ୍ଥୂଳ ପଦାର୍ଥରୁ ଆରମ୍ଭ କରି ସୂକ୍ଷ୍ମ ପଦାର୍ଥ ପର୍ଯ୍ୟନ୍ତ ପ୍ରାଣୀମାନଙ୍କ ମଧ୍ୟରେ ଏକ ଅନ୍ତର୍ଯ୍ୟାମୀ ପୁରୁଷଙ୍କର ସାକ୍ଷାତକାର ପାଇବ । ଗୀତାରେ କୁହାଯାଇଛି ‘ବାସୁଦେବ ସର୍ବମତ୍ତା ସ ମହାତ୍ମା ମୁଦୁର୍ଲଭ’ । ଏପରି ସମଦୃକ୍ ପୁରୁଷର ଦିବ୍ୟାବିନାୟ ସଂପନ୍ନ ବ୍ରାହ୍ମଣଠାରେ, ହାତୀଠାରେ, କୁକୁରଠାରେ ଓ ଚାଣ୍ଡାଳଠାରେ ସମଦୃଷ୍ଟି (ସମଦର୍ଶିନଃ) ଥାଏ ।
ବିଦ୍ୟାବିନୟସଂପନ୍ନେ ବ୍ରାହ୍ମକ୍ଷେ ଗବି ହସ୍ତିନି,
ଶୁନି ଚୈବ ଶ୍ୱପାଳେ ଚ ପଣ୍ଡିତାଃ ସମଦର୍ଶିନଃ ।
ମାନବୀୟ ଗୁଣ ସମୂହର ବ୍ୟବହାର ପକ୍ଷର ପ୍ରୟୋଗାତ୍ମକ ପ୍ରଣାଳୀ ଗୀତାରେ ନିର୍ଦ୍ଧାରିତ । ବ୍ୟବହାରିକ ଶିକ୍ଷାନୀତି ଅବଲମ୍ବନରେ ଚରମଲକ୍ଷ୍ୟରେ ଉପନୀତ ହେବା ହିଁ ଗୀତାର ମୁଖ୍ୟ ଉଦେ୍ଦଶ୍ୟ । ଦମ, ଦାନ, ଦୟା, ସତ୍ୟ, ଆର୍ଜବ, ଅହିଂସା, ତପସ୍ୟା ପ୍ରଭୃତି ଆଚରଣ ପୂର୍ବକ ଆତ୍ମସାକ୍ଷାତକାରରେ ସାଫଲ୍ୟ ହିଁ ଗୀତାର ଅନ୍ତଶ୍ଚେତନା । ଏତାଦୃଶ ବ୍ୟବହାରିକ ଶିକ୍ଷା ନୀତି ଅବଲମ୍ବନରେ ନିଜ ବ୍ୟକ୍ତିତ୍ୱର ଆଭ୍ୟନ୍ତରୀଣ ସତ୍ୟକୁ ଉପଲବଧି କରିବାକୁ ମୁଁ ଗୀତା ପ୍ରବଚନ ପ୍ରଦାନ ସମୟରେ ଶ୍ରୋତା ସମାଜକୁ ନିବେଦନ କରିଥାଏ । ମୁଁ ମଧ୍ୟ ଶ୍ରୋତାଗଣଙ୍କୁ ଚେତାଇ ଦେଇଥାଏ ଯେ ସାଂସାରିକ କର୍ମରେ ଲିପ୍ତ ରହି ମଧ୍ୟ ଈଶ୍ୱରାନୁଭୂତି ଅର୍ଜନ କରିବାର ମହାନ କୋ÷ଶଳ ପ୍ରଚ୍ଛନ୍ନ ଭାବରେ ଗୀତାର ବ୍ୟବହାରିକ ଶିକ୍ଷାନୀତିରେ ଅଭିବ୍ୟକ୍ତ । ଗୀତାର ଆତ୍ମାର ଅପରୋକ୍ଷାନୁଭୂତିର ଦିବ୍ୟସନେ୍ଦଶ ପ୍ରୟୋଗାତ୍ମକ ପ୍ରଣାଳୀରେ ବ୍ୟକ୍ତ କରାଯାଇଥିବାରୁ ଏହି ପରମଗ୍ରନ୍ଥକୁ ପ୍ରସ୍ଥାନତ୍ରୟୀର ଅନ୍ତର୍ଭୁକ୍ତ କରାଯାଇଛି । ଭାରତୀୟ ଧର୍ମ ଓ ଦର୍ଶନର ମହତ୍ତ୍ୱପୂର୍ଣ୍ଣ ସିଦ୍ଧାନ୍ତ ଉପନିଷଦ, ବ୍ରହ୍ମସୂତ୍ର ଓ ଗୀତାରେ ପ୍ରଦାନ କରାଯାଇଥିବାରୁ ଏହି ଗ୍ରନ୍ଥତ୍ରୟ ‘ପ୍ରସ୍ଥାନତ୍ରୟୀ’ ନାମରେ ଖ୍ୟାତ । ତନ୍ମଧ୍ୟରୁ ଗୀତାରେ ସେହି ସିଦ୍ଧାନ୍ତର ସମନ୍ୱୟଧାରା ସୁବୋଧ ଓ ସରଳ ଭାଷାରେ ଅଭିବ୍ୟକ୍ତ । ଉପନିଷଦର ସାରମର୍ମ ଗୀତାର ସାତଶହ ଶ୍ଳୋକରେ ପ୍ରାଞ୍ଜଳ ଓ ସରଳ ଭାଷାରେ ପ୍ରଦତ୍ତ । ଏହି ଦିବ୍ୟ ଦୃଷ୍ଟିରେ ଗୀତା ହିଁ ସର୍ବେ ପନିଷଦ ସାର । ଗୀତାର ମହନୀୟତା ହେଉଛି ଏଥିରେ ଧର୍ମର ସାମୂହିକ ଚେତାବନୀ ଶ୍ରେୟ ଓ ନିଶ୍ଚିତ ମାର୍ଗ ରୂପେ ଦର୍ଶାଯାଇଛି । ଗୀତାରେ ଭିନ୍ନ ଭିନ୍ନ ଆଧ୍ୟାତ୍ମିକ ପ୍ରବୃତ୍ତିଶୀଳ ମନୁଷ୍ୟମାନଙ୍କ ନିମିତ୍ତ ଏକ ପରମ ରମଣୀୟ ସାଧନ ମାର୍ଗ ନିର୍ଦ୍ଧାରିତ । ସଂକ୍ଷେପରେ ଉଲ୍ଲେଖ କଲେ, ଗୀତାରେ ଜ୍ଞାନ କର୍ମ ଭକ୍ତିର ସମୁଚିତ ମିଳନାତ୍ମକ ଏକ ଯୁକ୍ତିଯୁକ୍ତ, ସମନ୍ୱୟାତ୍ମକ ତଥା ଆଦରଣୀୟ ବ୍ୟବହାର ପକ୍ଷର ଉଦ୍ଘୋଷଣା କରାଯାଇଛି । ଯେ କୋ÷ଣସି ବ୍ୟକ୍ତି ଗୀତାରେ ବ୍ୟକ୍ତ ଏହି ବ୍ୟବହାର ପକ୍ଷକୁ ଆପଣେଇ ନେଇ ଈଶ୍ୱରଙ୍କ ସହିତ ଜୀବନକୁ ଯୋଗ କରିପାରିବ ବୋଲି ମୁଁ ଗୀତା ପ୍ରବଚନରେ ଉଦ୍ଘୋଷଣା କରିଥାଏ । ଏହି ଦୃଷ୍ଟିକୋଣରୁ ଗୀତାକୁ ଯୋଗଶାସ୍ତ୍ର କୁହାଯାଏ । ମୁଁ ମଧ୍ୟ ଶ୍ରୋତା ସମାଜକୁ କହିଥାଏ ଯେ କର୍ମବାଦକୁ କର୍ମଯୋଗରେ ପରିଣତ କରିବାର ମହାନ ସିଦ୍ଧାନ୍ତ ମହାମନ୍ତ୍ର ରୂପେ ଗୀତାରେ ବ୍ୟକ୍ତ । ଭଗବାନ ଦେବକୀନନ୍ଦନ ଶ୍ରୀକୃଷ୍ଣ ଗୋଦହନକାରୀ ଗୋପାଳ ଭୂମିକାରେ ଅବତୀର୍ଣ୍ଣ ହୋଇ ଅର୍ଜୁନଙ୍କୁ ବତ୍ସା ରୂପରେ ଦୁଗ୍ଧପାନ କରାଇବା ଛଳରେ ଗାଭୀରୂପ ଉପନିଷଦ ସମୂହରୁ ଗୀତାମୃତ ସ୍ୱରୂପିଣୀ ମହତଦୁଗ୍ଧ ଅଗଣିତ ବିଜ୍ଞ, ପ୍ରାଜ୍ଞ ଓ ସୁଧାବୃନ୍ଦଙ୍କୁ ପାନ କରାଇ ପାରିଛନ୍ତି ।
ସର୍ବୋପନିଷଦୋ ଖାବୋ ଦୋଗ୍ଧା ଗୋପାଳନନ୍ଦନଃ
ପାର୍ଥୋାବତ୍ସଃ ସୁଧୀଭୋକ୍ତା ଦୁଗ୍ଧଂ ଗୀତାମୃତଂ ମହତ୍ ।
ଆନନ୍ଦନଗର , କାଠଗଡା, ଢେଙ୍କାନାଳ, ୮୮୯୫୨୩୦୭୨୨