କଳି ମଞ୍ଜି ବୁଣୁଛି ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଦି' ହଜାର କୋଟିର କାମ ଉପରେ ଆଖି
ଭୁବନେଶ୍ୱରରୁ ରାମଚଣ୍ଡୀ ପ୍ରସାଦ ରଣସିଂହ : ଗାଁର ବିକାଶ ପାଇଁ ମୋହନ ସରକାର କରିଛନ୍ତି ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନା । ଅବଶ୍ୟ ଏହା ପୂର୍ବର ‘ଆମ ଗାଁ, ଆମ ବିକାଶ’ ଓ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଢାଞ୍ଚାରେ ହିଁ ହୋଇଛି । ତେବେ ପୂର୍ବ ଦୁଇ ଯୋଜନା କେବଳ ନିର୍ବାଚନକୁ ଆଖିଆଗରେ ରଖି କରାଯାଇଥିବାବେଳେ ମୋହନଙ୍କ ଏହି ଯୋଜନା ୫ ବର୍ଷ ପାଇଁ କରାଯାଇଛି । ଗାଏମୋଟ୍ କହିଲେ ଯୋଜନାର ଲକ୍ଷ୍ୟ ଓ ଉଦେ୍ଦଶ୍ୟ ଭଲ । ହେଲେ ଠିକାକାମ ଲୋଭ ପାଇଁ ଏବେ ଗାଁ ଗାଁରେ କଳି ମଞ୍ଜି ବୁଣା ଆରମ୍ଭ ହୋଇଯାଇଛି ।
କଳିମଞ୍ଜି ଆଡ଼କୁ ଯିବା ପୂର୍ବରୁ ନବୀନଙ୍କ ଦୁଇ ଯୋଜନା ଓ ମୋହନଙ୍କ ଗୋଟିଏ ଯୋଜନାର ଇତିବୃତ୍ତ ଜାଣିବାର ଆବଶ୍ୟକତା ରହିଛି । ୨୦୧୯ ନିର୍ବାଚନ ପୂର୍ବରୁ ନବୀନ ଆରମ୍ଭ କରିଥିଲେ ‘ଆମ ଗାଁ, ଆମ ବିକାଶ’ ଯୋଜନା । ୨୦୧୮ ମାର୍ଚ୍ଚ ୫ରେ ନବୀନ ଏହି ଯୋଜନା ନେଇ ସୂଚନା ଦେଇଥିଲେବି ପ୍ରକଳ୍ପ କାର୍ଯ୍ୟାଦେଶଗୁଡ଼ିକ ଜୁଲାଇ ପରେ ହିଁ ମିଳିଥିଲା । ୨୦୧୯ ଜାନୁଆରୀ ୨୨ ବେଳକୁ ଏହା ସାରା ରାଜ୍ୟରେ ପହଁଚିଥିଲା । ୩୧୪ ବ୍ଳକର ୬୭୯୮ ପଞ୍ଚାୟତରେ ପ୍ରାୟ ୬୩ ହଜାର ପ୍ରକଳ୍ପ ପାଇଁ ୧୫୫୪ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା । ଗୋଟିଏ ଗୁଳିରେ ଦୁଇଟି ଶିକାର କରିବା ଥିଲା ନବୀନ ବାବୁଙ୍କ ଉଦେ୍ଦଶ୍ୟ । ପ୍ରଥମତଃ ନିର୍ବାଚନକୁ ଓହ୍ଲାଇବା ପୂର୍ବରୁ ଗାଁମାନଙ୍କରେ ଆଉ କିଛି କାମ ହୋଇଯିବ ଓ ଅନ୍ୟଟି ହେଉଛି ବିଜେଡ଼ିର ଆଗଧାଡ଼ିର କର୍ମୀମାନଙ୍କୁ ଠିକା କାମ ମିଳିଯିବ । ବାସ୍ ୨୦୧୯ରେ ଜିଣିବା ପରେ ନବୀନ ‘ଆମ ଗାଁ, ଆମ ବିକାଶ’ ଯୋଜନାକୁ କବର ଦେଇ ଦେଇଥିଲେ ।
୨୦୨୪ ନିର୍ବାଚନ ପୂର୍ବରୁ ପୁଣି ନବୀନଙ୍କ ମୁଣ୍ଡକୁ ଗାଁ ବିକାଶ କଥା ଢୁକିଥିଲା । ତେଣୁ ୨୦୨୩ରେ କ୍ୟାବିନେଟ ବୈଠକରେ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନା ସମ୍ପର୍କରେ ଘୋଷଣା କରାଯାଇଥିଲା । ଏହାର ପ୍ରାୟ ୩ ମାସ ପରେରେ ଅର୍ଥାତ୍ ଅକ୍ଟୋବର ୧୦ରେ ଏହି ଯୋଜନାରେ ଅର୍ଥ ବିତରଣ କରାଯାଇଥିଲା । ୬୭୯୪ ପଞ୍ଚାୟତରେ ୯୦୭୨୩ ପ୍ରକଳ୍ପ ପାଇଁ ୩୩୯୭ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ‘ଆମ ଗାଁ, ଆମ ବିକାଶ’ର ଉଦେ୍ଦଶ୍ୟ ଯାହା ଥିଲା ଏହି ଯୋଜନାର ଉଦେ୍ଦଶ୍ୟ ବି ସମାନ ଥିଲା । ଗାଁ ବିକାଶ ସହ କର୍ମୀ ତୋଷଣ ଥିଲା ଯୋଜନାର ଅନ୍ୟତମ ଉଦେ୍ଦଶ୍ୟ ।
ମୋହନ ମାଝୀଙ୍କ ସରକାର ଆସିବା ପରେ ଏହି ଯୋଜନାର ନାମ ଓ ଢାଞ୍ଚା ବଦଳିଗଲା । ଗତ ଫେବୃଆରୀ ମୁଖ୍ୟମନ୍ତ୍ରୀ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନାର ଶୁଭାରମ୍ଭ କରିଥିଲେ । ପୂର୍ବରୁ ଯୋଜନାର ଆୟୂଷ ନିର୍ବାଚନ ପରେ ସରିଯାଉଥିବାବେଳେ ଏହି ଯୋଜନା କିନ୍ତୁ ୫ ବର୍ଷ ଚାଲିବ ବୋଲି ଘୋଷଣା କରାଯାଇଥିଲା । ପ୍ରତିବର୍ଷ ହଜାରେ କୋଟି ହିସାବରେ ୫ ହଜାର କୋଟିର ବ୍ୟୟ ଅଟକଳ କରାଯାଇଛି । ୨୦୨୪-୨୫ରୁ ୨୦୨୮-୨୯ ପର୍ଯ୍ୟନ୍ତ ଏହି ଯୋଜନା ଚାଲିବ ବୋଲି ସରକାର କହିଛନ୍ତି । ତେବେ ଚଳିତ ବର୍ଷ ୨୦୨୪-୨୫ ଓ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବ୍ୟବସ୍ଥା କରାଯାଇଥିବାରୁ ପ୍ରାୟ ୨ ହଜାର କୋଟିର ପ୍ରକଳ୍ପ ଗାଁମାନଙ୍କରେ କରାଯିବ ।
ଏବେ ଆସିବା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ । ନବୀନ ସରକାରଙ୍କ ଅମଳରେ ରାଜ୍ୟରେ ବିଜେଡ଼ି ସରକାର, ବ୍ଳକରେ, ଜିଲ୍ଲା ପରିଷଦରେ ଓ ପଞ୍ଚାୟତରେ ବିଜେଡ଼ି ଶାସନ ଚାଲିଥିଲା । ତେଣୁ ଯୋଜନା ପାଇଁ ଆସୁଥିବା ଅର୍ଥ ବିଜେଡ଼ି କର୍ମୀଙ୍କ ଜରିଆରେ ଖର୍ଚ୍ଚ ହେଉଥିଲା । ବିଜେଡ଼ି ନେତାମାନେ ହିଁ କାମ କରୁଥିଲେ । ବିଭାଗୀୟ କାମ ହୋଇଥିବାରୁ ଜେଇ ବା ଗ୍ରାମ ପଞ୍ଚାୟତ ଅଧିକାରୀମାନଙ୍କ ନାମରେ କାମ ଥିଲେବି ପ୍ରକୃତ କାର୍ଯ୍ୟ ବିଜେଡ଼ି କର୍ମୀ ଓ ନେତା କରି ବେଶ୍ ଦୁଇ ପଇସା କମାଉଥିଲେ । ଏବେ କିନ୍ତୁ ସମସ୍ୟା ଉପୁଜିଛି । ରାଜ୍ୟରେ ବିଜେପି ଶାସନ ଥିଲେବି ପଞ୍ଚାୟତ ଓ ବ୍ଳକରେ ବିଜେଡ଼ି ଶାସନ । ତେଣୁ ବଡ଼ ପ୍ରଶ୍ନ ହେଉଛି, ଏହି ପ୍ରକଳ୍ପର ଠିକାକାମ କିଏ କରିବ ? ସରକାର ଥିବାରୁ ବିଜେପି ନେତା କହୁଛନ୍ତି ଆମେ, ପଞ୍ଚାୟତରେ ବିଜେଡ଼ି ଶାସନ ଥିବାରୁ ବିଜେଡ଼ି ନେତା କହୁଛନ୍ତି ଆମେ ।ୂ ଫଳରେ ବଳ କଷାକଷି ଆରମ୍ଭ ହୋଇଯାଇଛି । ଗ୍ରାମସଭା ଜରିଆରେ ପ୍ରକଳ୍ପ ହେବବୋଲି କୁହାଯାଇଥିଲେବି ତାହା ବି ଠିକ୍ରେ ପାଳନ କରାଯାଇନାହିଁ । କାହିଁକିନା ଯେଉଁଠି ବିଜେପି ବିଧାୟକ ନାହାନ୍ତି ସେଠାରେ ପରାଜିତ ପ୍ରାର୍ଥୀମାନେ ବିଜେପି କାର୍ଯ୍ୟକର୍ତ୍ତାମାନଙ୍କ ବୈଠକରେ ହୋଇଥିବା ନିଷ୍ପତ୍ତି ଆଧାରରେ କେତେକ ପ୍ରକଳ୍ପ ପାଇଁ ପ୍ରସ୍ତାବ ଦେଇଛନ୍ତି । ଜିଲ୍ଲାପାଳ ଓ ବିଡ଼ିଓଙ୍କୁ କହି ସେମାନଙ୍କ ପ୍ରକଳ୍ପ ତାଲିକା ବି ସାମିଲ୍ କରାଯାଇଥିବା ଦେଖିବାକୁ ମିଳୁଛି । ଇତିମଧ୍ୟରେ ବ୍ଳକକୁ ପ୍ରକଳ୍ପ ତାଲିକା ଅନୁମୋଦନ ହୋଇ ଆସିଯାଇଛି । କିଛି କିଛି ଟଙ୍କା ବି ଆସିଗଲାଣି । କିନ୍ତୁ କାମ କିଏ କରିବ ସେନେଇ ବିବାଦ ଆରମ୍ଭ ହୋଇଯାଇଛି । କେତେକ ପଞ୍ଚାୟତରେ ବିଜେପି ଓ ବିଜେଡ଼ି ନେତାମାନେ ଏକାଠି ହୋଇ ଅଧା ଅଧା ଭାବେ ବାଣ୍ଟି ଦେଇଛନ୍ତି । କିନ୍ତୁ ଅନେକ ସ୍ଥାନରେ କାମକୁ ନେଇ ତୀବ୍ର ବିବାଦ ଆରମ୍ଭ ହେବା ସହ ବଡ଼ କଳିର ଆଶଙ୍କା ଦେଖାଦେଲାଣି । ବିଜେପି ବିଧାୟକମାନେ ଆମ ଦଳର ନେତା କାମ କରିବେ ବୋଲି ଜେଇ ଓ ବିଡ଼ିଓଙ୍କ ଉପରେ ଚାପ ପକାଇଥିବାବେଳେ ବିଜେଡ଼ି ସରପଞ୍ଚ ଓ ବିଜେଡ଼ି ବ୍ଳକ ଅଧ୍ୟକ୍ଷମାନେ କାମ ଆମ ବିଜେଡ଼ି ନେତାଙ୍କୁ ଦିଆଯାଉ ବୋଲି ଜିଦ୍ କରୁଥିବା ଦେଖିବାକୁ ମିଳୁଛି । ଯେଉଁ ଯେଉଁ ସ୍ଥାନରେ ବିଜେଡ଼ି ବିଧାୟକ, ବିଜେଡ଼ି ସମର୍ଥିତ ସରପଞ୍ଚ ଓ ବ୍ଳକ ଅଧ୍ୟକ୍ଷ ଅଛନ୍ତି ସେମାନେ ବିଜେପି ନେତାମାନଙ୍କୁ ଆଦୌ ପ୍ରକଳ୍ପ କାମ ଦେବାକୁ ଚାହୁଁନାହାନ୍ତି । ଯାହାକି ପ୍ରଶାସନିକ ବିସଂଗତି ସୃଷ୍ଟି କରିବା ନିଶ୍ଚିତ । ଆଗାମୀ ଦିନରେ ଅନେକ ପଞ୍ଚାୟତରେ ଏହି କାମ ପାଇଁ କଳି ହେବା ସହ ମାମଲା କୋର୍ଟ କଚେରୀକୁ ବି ଯିବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ପ୍ରକଳ୍ପ କାମ କିଏ କରିବ, ଜିଲ୍ଲାପାଳ, ବିଡ଼ିଓ ଓ ଜେଇ କାହା ଜରିଆରେ କାମ କରାଇବେ ତାହା ଏବେ ଚିନ୍ତାର କାରଣ ପାଲଟିଛି । ମୋହନ ସରକାର ଏନେଇ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା । ନଚେତ୍ ସମ୍ବେଦନଶୀଳ ପଞ୍ଚାୟତରେ ବିବାଦ ଘନୀଭୂତ ହୋଇ ରକ୍ତପାତ ଆଡ଼କୁ ମୁହାଁଇଲେ ଆଶ୍ଚର୍ଯ୍ୟ ହେବାର ନାହିଁ ।