ବିଜେଡି ପରାଜୟ ନେଇ ବଡ଼ ବୟାନ ଦେଲେ ପୂର୍ବତନ ବିଧାୟକ
Biju Janata Dal, Naveen Patnaik

ଭୁବନେଶ୍ୱର: ଗତ ନିର୍ବଚନରେ ବିଜେଡିକୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଛି । ଆଉ ବିଜେପି ହାତକୁ ଶାସନ ଭାର ଯାଇଛି । ତେବେ ବିଜେଡିର ପରାଜୟକୁ ନେଇ ପୂର୍ବତନ ବିଧାୟକ ମହୀଧର ରଣା ଏକ ବଡ଼ ବୟାନ ଦେଇଛନ୍ତି ।
ସେ କହିଛନ୍ତି ଯେ ବିଜେଡି ନେତାଙ୍କ ମଧ୍ୟରେ ଆକ୍ରୋଶ ମନୋଭାବ ରହିଲା । କାହା ମଧ୍ୟରେ ସମନ୍ୱୟ ରହିଲା ନାହିଁ । ସାଂଗଠନିକ ଦାୟିତ୍ୱ ଦେବାରେ ବି ଅବହେଳା ରହିଲା । ନିର୍ବାଚନରେ ପଞ୍ଚାୟତ ଓ ବ୍ଲକ ସଭାପତିଙ୍କୁ ସାଂଗଠନିକ ଦାୟିତ୍ୱ ଦିଆଗଲା ନାହିଁ । ଦାୟିତ୍ୱ ଓ ଗୁରୁତ୍ୱ ଦିଆନଯିବାରୁ ବିଜେଡି ପରାଜୟ ବରଣ କଲା ।
ସେହିପରି ବିଜେପି ତୁଳନାରେ ବିଜେଡିର ଇସ୍ତହାରରେ ବି ଦମ ନଥିଲା । ଇସ୍ତାହାର ଆଖିଦୃଶିଆ ନଥିଲା । ଦଳରେ ଥିବା ଅନେକ ତ୍ରୁଟି ବିଚୁ୍ୟତି ଦଳୀୟ କନ୍ଦଳକୁ ଆହୁରି ବଢ଼ାଇଲା । ଆମ ଆମ ମଧ୍ୟରେ ଟଣା ଓଟରା ବଢ଼ିବାକୁ ଦଳର ପରାଜୟ ହେଲା ବୋଲି ପୂର୍ବତନ ବିଧାୟକ ମହୀଧର ରଣା କହିଛନ୍ତି ।
ପ୍ରକାଶ ଯେ ନିର୍ବାଚନ ଫଳାଫଳ ଆସିବାର ଇତିମଧ୍ୟରେ ୩ ମାସ ବିତିଗଲାଣି। ୨୪ ବର୍ଷର ବିଜେଡି ଗାଦିକୁ ହଟାଇ ବିଜେପି ପ୍ରଥମଥର ପାଇଁ ରାଜ୍ୟରେ ସରକାର ଗଢିଛି। ଏବେ ବି ବିଜେଡି ପରାଜୟର କାରଣ ଖୋଜୁଛି। ବିଜେଡି ପରାଜୟ ବରଣ କରିବା ପରେ ଦଳୀୟ କର୍ମକର୍ତ୍ତାଙ୍କଠାରୁ ଆରମ୍ଭ କରି ସାରା ରାଜ୍ୟରେ ଚର୍ଚ୍ଚା ଜାରି ରହିଛି। ବିଜେଡି କାହିଁକି ଏତେ ବଡ଼ ପରାଜୟ କଲା ସେନେଇ ନାନା କଥା ସାମ୍ନାକୁ ଆସୁଛି। ଏପରିକି ବିଜେଡିର ବରିଷ୍ଠ ନେତାମାନେ ମଧ୍ୟ ଜଣଙ୍କ ପରେ ଜଣେ ମୁହଁ ଖୋଲି ହାରିବାର କାରଣ କହୁଛନ୍ତି।